ମେ’ ୩୧ ଯାଏ ଏହି ରାଜ୍ୟ ବଢ଼ାଇଲା ଲକ୍‌ଡାଉନ ଅବଧି

ମୁମ୍ବାଇ: କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଜାରି ହୋଇଥିବା ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଅବଧି ଆଜି ଶେଷ ହେବ। ଏତେ ଦିନର ଲକ୍‌ଡାଉନ ସତ୍ତ୍ୱେ ଦେଶରେ କରୋନା ଭାଇରସ ନିୟନ୍ତ୍ରଣ ହୋଇପାରି ନାହିଁ। ବରଂ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି। ଏପରି ପରିସ୍ଥିତିରେ ଲକ୍‌ଡାଉନ ଅବଧି ବଢିବା ନେଇ ସ୍ପଷ୍ଟ ଆଭାସ ମିଳି ସାରିଛି।

ନିକଟରେ ଦେଶବାସୀଙ୍କୁ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ସମ୍ପର୍କରେ ସଙ୍କେତ ଦେଇ ସାରିଛନ୍ତି। ଏହା ନୂଆ ରୂପରେଖ ନେଇ ଆସିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ।

ତେବେ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନକୁ ନେଇ କେନ୍ଦ୍ର ସରକାର ଘୋଷଣା କରିବା ପୂର୍ବରୁ ଅର୍ଥାତ ଏହା ଜାରି ହେବା ପୂର୍ବରୁ ମହାରାଷ୍ଟ୍ର ସରକାର ରାଜ୍ୟରେ ଲକ୍‌ଡାଉନ ଅବଧିକୁ ମେ’ ୩୧ ଯାଏ ବଢ଼ାଇଛନ୍ତି। ମହାରାଷ୍ଟ୍ରରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। ଯଦିଓ ମହାରାଷ୍ଟ୍ରରେ ଲକ୍‌ଡାଉନ ଅବଧିକୁ ବୃଦ୍ଧି କରାଯାଇଛି ତେବେ କମ୍ ସଂକ୍ରମିତ ହୋଇ ଥିବା ଅଞ୍ଚଳରେ କଟକଣା କୋହଳ ହେବ ବୋଲି ସୂଚନା ମିଳିଛି।

You might also like