କରୋନା ପାଇଁ ହନ୍ତସନ୍ତ ମହାରାଷ୍ଟ୍ର; ମାୟାନଗରୀର ମାୟା ଛାଡ଼ି ଘର ମୁହାଁ ଲୋକେ

ମୁମ୍ବାଇ: ମହାନଗରୀ ମୁମ୍ବାଇ ସମେତ ପୂରା ମହାରାଷ୍ଟ୍ରରେ ଅତି ସାଂଘାତିକ ରହିଛି କରୋନା ସ୍ଥିତି। ଗତକାଲି କେବଳ ମୁମ୍ବାଇରେ ୧୦୪୪ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ସଂଖ୍ୟା ୩୩ ହଜାର ୮୩୫କୁ ବୃଦ୍ଧି ପାଇଛି। ସେହିପରି ପୂରା ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୫୬ ହଜାର ୯୪୮କୁ ବୃଦ୍ଧି ପାଇଥିବା ବେଳେ ୧୮୯୭ ଜଣ ଭୂତାଣୁର ଶିକାର ହୋଇଛନ୍ତି।

ତେବେ ଅନ୍ୟତମ ହଟ୍‌ସ୍ପଟ୍ ଧାରାବୀରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ଗଲା ୨୪ ଘଣ୍ଟାରେ ମାତ୍ର ୧୮ ପଜିଟିଭ୍ ଚିହ୍ନଟ ହେବା ରାଜ୍ୟପାଇଁ ଆଶ୍ୱସ୍ତୀ ଆଣିଛି।

ତେବେ କରୋନା ଦାଉରୁ କିନ୍ତୁ ଏସିଆର ସର୍ବବୃହତ ବସ୍ତୀ ଧାରାବୀରେ ବିପରିତ ଚିତ୍ର ଦେଖିବାକୁ ମିଳିଛି। ପେଟପାଟଣା ଆଶାରେ ମାୟାନଗରୀ ମୁମ୍ବାଇକୁ ଛୁଟି ଆସୁଥିବା ଗରିବ ଖଟିଖିଆଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଜାଗା ଦେଇଥାଏ ଏହି ଚର୍ଚ୍ଚିତ ବସ୍ତୀ। ତେବେ ଏଠାକାର ବାସିନ୍ଦା ଏବେ ଭିଟାମାଟି ମୁହାଁ ହେଲେଣି। ସମସ୍ତଙ୍କୁ ଘାରିଛି କରୋନା ଭୟ।

ମୁମ୍ବାଇ ଦେଶର କରୋନା କ୍ୟାପିଟାଲରେ ପରିଣତ ହୋଇଥିବା ବେଳେ ଅନ୍ୟତମ ହଟସ୍ପଟ ଭାବେ ଚିହ୍ନଟ ହୋଇଛି ଧାରାବୀ। ଏଠାରେ ଏଯାଏଁ ୨୩ ଶହ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫ଶହ ୯ ଜଣ ଏବେ ଚିକିତ୍ସିତ ହେଉଥିବା ବେଳେ ୭୯୧ ଜଣ ସୁସ୍ଥ ହୋଇଛନ୍ତି।

ତେବେ ଆଶ୍ୱସ୍ତୀର ଖବର ହେଉଛି ଗଲା ୨୪ ଘଣ୍ଟାରେ ଏଠାରେ ସଂକ୍ରମଣ ହାର କମିଛି। ଗତକାଲି ଧାରାବୀ ଅଞ୍ଚଳରୁ ମାତ୍ର ୧୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସାମୟିକ ସମୟ ପାଇଁ ହୋଇଥିଲେ ମଧ୍ୟ ସଂକ୍ରମଣରେ ବ୍ରେକ୍ ଲାଗିବା କରୋନା ଲଢ଼େଇକୁ ବଳ ଯୋଗାଇବ ବୋଲି ବ୍ରିହନ ମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ ବା  ବିଏମସି କର୍ତ୍ତୃପକ୍ଷ ଆଶା ପ୍ରକାଶ କରିଛନ୍ତି।

କେବଳ ଧାରାବୀ ବସ୍ତୀ ଅଞ୍ଚଳ ନୁହେଁ, ସମଗ୍ର ମହାରାଷ୍ଟ୍ରରେ ସମାନ ଚିତ୍ର ଦେଖିବାକୁ ମିଳୁଛି। ମାୟାନଗରିର ମାୟା ଛାଡ଼ି ସମସ୍ତେ ନିଜ ନିଜ ଘରକୁ ଫେରିଯିବା ଲାଗି ଯେଉଁଥିରେ ପାରିଲେ ସେଥିରେ ଠେଲାପେଲା ହୋଇ ବସିପଡ଼ୁଛନ୍ତି। ପ୍ରବାସୀ ଶ୍ରମିକ ରାଜ୍ୟରେ ସଂକ୍ରମଣ ସ୍ଥିତି ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଥିବାରୁ ଏଠାରେ ଅଧିକ ଦିନ ରହିବାକୁ ସୁରକ୍ଷିତ ମଣୁନାହାନ୍ତି ପ୍ରବାସୀ। ତେଣୁ ଯେକୌଣସି ଉପାୟରେ ନିଜ ନିଜ ରାଜ୍ୟକୁ ଫେରିଯିବାକୁ ଉଦ୍ୟମ କରୁଛନ୍ତି ଏମାନେ।

ଗତକାଲି ମୁମ୍ବାଇରେ ଆଉ ୩୯ ଜଣଙ୍କ ଜୀବନ ନେଇଛି କରୋନା। ଏଥିସହିତ ରାଜ୍ୟରେ ମହାନଗରୀର ମୃତ୍ୟୁସଂଖ୍ୟା ୧୦୬୫କୁ ବୃଦ୍ଧି ପାଇଛି। ସେହିପରି ଥାନେରେ ୧୫, କଲ୍ୟାନ୍‌ରେ ୧୦, ପୁନେରେ ୮, ସୋଲାପୁରରେ ୭, ଔରଙ୍ଗାବାଦ୍, ମୀରା ଭାୟାନ୍ଦର ଓ ଉଲ୍ଲାସନଗରରେ ୫ ଜଣ ଲେଖାଁଏ କରନାର ଶିକାର ହୋଇଛନ୍ତି।

You might also like