ଆସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେଲେ କମଳନାଥ

ଭୋପାଳ:  ଆସ୍ଥା ଭୋଟ୍ ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଇସ୍ତଫା ଦେଲେ । ଆଜି ରାଜ୍ୟପାଳ ଲାଲାଜି ଟଣ୍ଡନଙ୍କୁ ଭେଟି  ତାଙ୍କର ଇସ୍ତଫା ପତ୍ର ଦେବେ ବୋଲି କହିଛନ୍ତି କମଲନାଥ। ଏଥି ସହିତ ବିଜେପି ଉପରେ ବଷିଛନ୍ତି। ଏକ ପ୍ରେସ୍‌ମିଟ୍‌ରେ ସେ ଅଭିଯୋଗ କରିଛନ୍ତି, ଷଡ଼ଯନ୍ତ୍ର କରି ତାଙ୍କ ସରକାରକୁ ଭାଙ୍ଗିବା ପାଇ ବିଜେପି ଚେଷ୍ଟା କରିଛି।

ସେ ଅଭିଯୋଗ କରିଛନ୍ତି, ବିକାଶ ପଥରେ ମଧ୍ୟପ୍ରଦେଶ ସରକାର ଥିଲା। ହେଲେ ଷଡ଼ଯନ୍ତ୍ର କରି ବିକାଶରେ ରୋକ୍ ଲଗାଇଛି ବିଜେପି। ତାଙ୍କ ସରକାର ଚାଷୀଙ୍କ ପାଇଁ କାମ କରିଛି। ଚାଷୀଙ୍କ ହକ୍ ପାଇଁ ଅନେକ ନିଷ୍ପତ୍ତି ତାଙ୍କ ସରକାର ନେଇଛି ବୋଲି ସେ କହିଛନ୍ତି। ୧୫ ବର୍ଷରେ ବିଜେପି ସରକାର ଯାହା ନକରିଛି ତାହା ସେ ୧୫ମାସରେ କରିବାରେ ସକ୍ଷମ ହୋଇଛନ୍ତି ବୋଲି କମଲନାଥ ପ୍ରେସ କନଫରେନସ କରି କହିଛନ୍ତି।

ରାଜ୍ୟରେ ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ହେଲେ ବିଜେପି ଚାହୁଁନଥିଲା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ତେଣୁ ବିଜେପି କ୍ଷମତାକୁ ଆସିବା ପାଇଁ ଅହରହ ଷଡ଼ଯନ୍ତ୍ର କରୁଥିଲା। କଂଗ୍ରେସର ବିଧାୟକଙ୍କୁ ନେଇ କର୍ଣ୍ଣାଟକର ଏକ ରିସୋଟରେ ବିଜେପି ଅଟକ ରଖିଛି ବୋଲି ସେ କହିଛନ୍ତି। ୧୫ ମାସରେ ୪ଶହଟି ନିର୍ବାଚନ ପ୍ରତିଶ୍ରୁତି ତାଙ୍କ ସରକାର ପୂରଣ କରିଛନ୍ତି ବୋଲି କମଲନାଥ କହିଛନ୍ତି। ତାଙ୍କ ସରକାର ବିରୋଧରେ କୌଣସି ଦୁର୍ନୀତି ଅଭିଯୋଗ ଆସିନି।

ଗୁରୁବାର ମଧ୍ୟପ୍ରଦେଶ ବିଧାନସଭାରେ ଆସ୍ଥା ଭୋଟ୍ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବାଚସ୍ପତି ଏନ ପ୍ରସାଦ ପ୍ରଜାପତି ଗୃହୀତ ହୋଇନଥିବା ୧୬ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ୬ କଂଗ୍ରେସ ବିଧାୟକଙ୍କ ଇସ୍ତଫା ବାଚସ୍ପତି ଗ୍ରହଣ କରିଥିଲେ। ମୋଟ୍ ୨୨ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ କମଲନାଥ ସରକାର ସଂଖ୍ୟାଗରିଷ୍ଠତା ହରାଇ ସାରିଛନ୍ତି।

 

You might also like