୯୦ ଘଣ୍ଟାର ପରିଶ୍ରମ ପରେ ଅପରେସନ ଫେଲ୍‌, ଯବାନଙ୍କ ଆଖିରେ ଲୁହ

ନିୱାଡ଼ି:  ମଧ୍ୟପ୍ରଦେଶର ନିୱାଡ଼ି ଜିଲ୍ଲାରେ ଗତ ବୁଧବାର ୨୦୦ ଫୁଟ୍‌ର ଏକ ବୋରୱେଲ୍‌ରେ ୫ ବର୍ଷର ଗୋଟିଏ ଶିଶୁ ଗଳିପଡ଼ିଥିଲା। ଶିଶୁଟିକୁ ଉଦ୍ଧାର କରାଯିବା ପାଇଁ ରେସ୍କ୍ୟୁ ଅପରେସନ କରାଯାଇଥିଲା। ହେଲେ ଏହି ଅପରେସନ ସଫଳ ହୋଇପାରିନାହିଁ। ୯୦ ଘଣ୍ଟାର ପରିଶ୍ରମ ପରେ ବି ଶିଶୁଟିକୁ ଜୀବନ୍ତ ଉଦ୍ଧାର କରାଯାଇପାରି ନାହିଁ।

ଘଟଣା ମୁତାବକ ବୁଧବାର ସକାଳ ୯ଟା ସମୟରେ ନୱାଡ଼ି ଜିଲ୍ଲାର ପୃଥ୍ୱୀପୁର ଗ୍ରାମରେ ଥିବା ଏକ ଖୋଲା ବୋରୱେଲ୍‌ରେ ପ୍ରହଲ୍ଲାଦ ନାମକ ଏକ ୫ ବର୍ଷର ଶିଶୁ ଖସିପଡ଼ିଥିଲା। ଏହାପରେ ସ୍ଥାନୀୟ ପ୍ରଶାସନ ଶିଶୁଟିକୁ ବଞ୍ଚାଇବା ପାଇଁ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ।

ଏହି ଅପରେସନ୍‌ରେ ସେନାର ଯବାନ ଏବଂ ଏନ୍‌ଡିଆର୍‌ଏଫ୍‌ ଯବାନ ମଧ୍ୟ ସାମିଲ୍‌ ହୋଇଥିଲେ। ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବହାର ସତ୍ତ୍ୱେ ବୋରୱେଲଟିକୁ ଖୋଳିବା ପାଇଁ ୪ ଦିନ ସମୟ ଲାଗିଯାଇଥିଲା। ବହୁତ ବିଳମ୍ବ ହୋଇଯାଇଥିବାରୁ ଶେଷରେ ଶିଶୁଟି ମୃତ ଭାବେ ଉଦ୍ଧାର ହୋଇଥିଲା।

ତେବେ ଶିଶୁଟିର ଶବକୁ ବାହାରକୁ କଢ଼ାଯିବାବେଳେ ଉପସ୍ଥିତ ଲୋକଙ୍କ ସହ ୯୦ ଘଣ୍ଟାର ଅପରେସନ କରିଥିବା ସେନା ଯବାନଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା।

You might also like