ମାରଣା ଷଣ୍ଢ କବଳରୁ ଜେଜେ ମା’ଙ୍କୁ ଉଦ୍ଧାର କଲା କୁନି ନାତି

ଚଣ୍ଡିଗଡ: ମାରଣା ଷଣ୍ଢ ଗୋଡଉଛି। ଷଣ୍ଢର ଆକ୍ରମଣରେ ଜେଜେମା’ ତଳେ ପଡ଼ି ଚିତ୍କାର କରୁଛନ୍ତି। ଛୋଟ ପିଲାଟିଏ ଷଣ୍ଢକୁ ନ ଡରି ଦଉଡି ଆସୁଛି ଜେଜେ ମା’ଙ୍କୁ ଉଦ୍ଧାର କରିବା ପାଇଁ। ହେଲେ ଷଣ୍ଢ ଆକ୍ରମଣରୁ ସେ ବି ବର୍ତ୍ତି ପାରୁନି। ତଥାପି ଜେଜେ ମା’ଙ୍କୁ ଛାଡ଼ି ଯାଉନି। ଏମିତି ଏକ ଘଟଣା ଘଟିଛି ହରିଆଣାର ମେହେନ୍ଦ୍ରଗଡ଼ ଅଞ୍ଚଳରେ। ସିସିଟସିଭି ଫୁଟେଜରୁ ମିଳିଥିବା ଘଟଣାର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଛୋଟ ପିଲାଟିର  ସାହାସ ଓ ଜେଜେମା’ଙ୍କ ପ୍ରତି ଭଲ ପାଇବା ଦେଖିବା ପରେ ପ୍ରଶଂସାର ସୁଅ ଛୁଟିଛି।

ଗତ ସୋମବାରର ଘଟଣା। ଭିଡିଓରେ ଦେଖିବାକୁ ମିଳିଛି, ଜଣେ ବୟସ୍କ ବୃଦ୍ଧା ରାସ୍ତାରେ ଯାଉଥିବାବେଳେ ହଠାତ୍‌ ଏକ ଷଣ୍ଢ ମାଡ଼ି ଆସୁଛି। ମହିଳାଙ୍କୁ ସିଂଘରେ ଠେଲି ରାସ୍ତାର ଏକ କଡରେ ପକାଇ ଦେଉଛି। ଏହା ଦେଖି  ଆଗେ ଆଗେ ଯାଉଥିବା ମହିଳାଙ୍କ ନାତି ଦୌଡି ଆସି ଜେଜେମା’ଙ୍କୁ ତଳୁ ଉଠାଇବାକୁ ଉଦ୍ୟମ କରୁଛି।

ଏହା ଦେଖି ଉତ୍ତ୍ୟକ୍ତ ଷଣ୍ଢ ଦୌଡ଼ି ଆସି ଛୋଟ ପିଲାଟିକୁ ମଧ୍ୟ ସିଂଘରେ ଟେକି ଫୋପାଡି ଦେବା ସହ ଗୋଇଠା ମାରୁଛି। ତଥାପି ଜେଜେମା’ଙ୍କୁ ଉଠାଇ ପିଲାଟି ଆଣୁଛି। ହେଲେ ସେଠାରୁ ପଳାଇବା ପୂର୍ବରୁ ଷଣ୍ଢଟି ଏଥର ଆହୁରି ଉତ୍ତ୍ୟକ୍ତ ହୋଇ ମାଡି ଆସୁଛି ଏବଂ ଏକ କିକ୍‌ରେ ମା’ ନାତିଙ୍କୁ ଦୂରକୁ ଫିଙ୍ଗି ଦେଉଛି।

ମା-ନାତି ଦୁହେଁ ତଳେ ପଡି ଯାଉଛନ୍ତି। ତଥାପି ନାତି ମା’ଙ୍କୁ ଛାଡ଼ି ଚାଲି ଯାଉନି। ଉଠାଇବାରେ ସାହାଯ୍ୟ କରୁଛି। ହେଲେ ଷଣ୍ଢ ବି ସେମାନଙ୍କୁ ଛାଡ଼ୁନି। ଏହି ସମୟରେ ସ୍ଥାନୀୟ ଲୋକ ବାଡି ଧରି ଗୋଡାଇ ଆସୁଥିବା ଦେଖିବାକୁ ମିଳୁଛି। ସେମାନେ ମା’ ଓ ନାତିଙ୍କୁ ଉଠାଇବାରେ ସାହାଯ୍ୟ କରୁଛନ୍ତି।

ନିଉଜ ଏଜେନ୍ସି ANIର କହିବା ଅନୁଯାୟୀ, ଷଣ୍ଢ ଆକ୍ରମଣରେ ୩ ଜଣ ସ୍ଥାନୀୟ ଲୋକ ଆହତ ହୋଇଛନ୍ତି।  ଏଥିସହିତ ଛୋଟ ପିଲାଟି ମଧ୍ୟ ଆହତ ହୋଇଛି। ଯାହା ବି ହେଉ, କୁନି ନାତିଟି ଜେଜେ ମା’ଙ୍କ ଜୀବନ ବଞ୍ଚାଇ ପାରିଛି।

 

You might also like