‘ମନ୍‌ କି ବାତ୍’‌ରେ କୃଷି ଆଇନ୍‌ ସହିତ ଅନ୍ୟ କେଉଁ ସମ୍ପର୍କରେ କଣ କହିଲେ ମୋଦି ?

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ କୃଷି ଆଇନ୍‌, କରୋନା ଭାଇରସ ଓ ଲୋକାଲ ପାଇଁ ଭୋକାଲ ସହିତ ଅନ୍ୟାନ୍ୟ ପ୍ରସଙ୍ଗରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି।
କୃଷି ଆଇନ୍‌କୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ଆଇନ୍‌ ପାଇଁ କୃଷକଙ୍କୁ ନୂଆ ଅଧିକାର ସହିତ ନୂଆ ଅବସର ବି ମିଳିଛି। ଫଳରେ କୃଷକଙ୍କ ସମସ୍ୟା କମିଛି। ଏଥିସହିତ କରୋନା ସମ୍ପର୍କରେ ଢିଲା ନ ହୋଇ ସତର୍କତା ରଖିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି।

ନୂଆ କୃଷି ଆଇନ୍‌କୁ ନେଇ କୃଷକ ଆନ୍ଦୋଳନ ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ଷ ବର୍ଷ ଧରି କୃଷକମାନେ ଯେଉଁ ଦାବି କରିଆସୁଥିଲେ ଯାହାକୁ କେହି ପୂରା କରୁ ନଥିଲେ, ତାହା ପୂରା ହୋଇଛି। ନୂଆ କୃଷି ଆଇନ ଅନୁସାରେ, ଫସଲ କିଣିବାର ୩ ଦିନ ମଧ୍ୟରେ ପେମେଣ୍ଟ କରିବାକୁ ପଡ଼ିବ। ଯଦି ପେମେଣ୍ଟ ହୋଇନାହିଁ ତେବେ କୃଷକ ଅଭିଯୋଗ କରିପାରିବେ। ଆଉ ଗୋଟିଏ ମାସ ଭିତରେ ଉକ୍ତ ଅଞ୍ଚଳର ଏସ୍‌ଡିଏମ୍‌ କୃଷକଙ୍କ ସମସ୍ୟାର ସମାଧାନ କରିବେ ବୋଲି ମୋଦି କହିଛନ୍ତି।

ସେହିଭଳି ଲୋକାଲ ପାଇଁ ଭୋକାଲ ହେବା ବିଷୟରେ ମୋଦି କହିଛନ୍ତି ଯେ ଏହି ଅଭିଯାନ ସହିତ ଦେଶ ଆଗକୁ ବଢ଼ୁଛି। ଅରବିନ୍ଦଙ୍କ ସ୍ୱଦେଶୀ ଦର୍ଶନ ଏ ଦିଗରେ ଆମକୁ ପଥ ପ୍ରଦର୍ଶନ କରିଛି। ସେ ସବୁବେଳେ ସ୍ୱଦେଶୀ ଜିନିଷର ବ୍ୟବହାର ସମ୍ପର୍କରେ ଗୁରୁତ୍ୱ ଦେଉଥିଲେ। ଏଥିସହିତ ଗୁରୁ ନାନକଙ୍କ କଥା ସ୍ମରଣ କରି କରୋନା ସମୟରେ ଶିକ୍ଷ ଭାଇଭଉଣୀମାନେ ଲୋକଙ୍କୁ ସାହାଯ୍ୟ କରିଥିବା କଥାକୁ ପ୍ରଶଂସା କରିଛନ୍ତି ମୋଦି।

ସେହିପରି କାନାଡାରୁ ଦେବୀ ଅର୍ଣ୍ଣପୂର୍ଣ୍ଣାଙ୍କ ଏକ ପୁରୁଣା ପ୍ରତିମୂର୍ତ୍ତୀ ଆସିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏହି ପ୍ରତିମାକୁ ପାଖାପାଖି ୧୦୦ ବର୍ଷ ପୂର୍ବେ ୧୯୧୩ ମସିହାରେ ବାରାଣସୀର ଏକ ମନ୍ଦିରରୁ ଚୋରି କରି ବାହାରକୁ ପଠାଇଯାଇଥିଲା। ଯାହା ପୁଣିଥରେ ଭାରକୁ ଫେରୁଛି ବୋଲି ମୋଦି କହିଛନ୍ତି ।

You might also like