ମଫସଲି ମଣିଷ ପରି ହାତରେ ଦା’ ଧରି ଫସଲ ଅମଳ କରୁଛନ୍ତି ଆଇଏଏସ୍ ଅଫିସର

ଧଳା ଧୋତି ସାଙ୍ଗକୁ ମୁଣ୍ଡରେ ପଗଡ଼ି : ଯୁବପିଢ଼ିଙ୍କୁ ପରିବାର ଓ ପରମ୍ପରା ସହ ଯୋଡ଼ି ରଖିବାକୁ

ଲୁଧିଆନା : ଦେହରେ ଧୋବ ଫରଫର ଧଳା ଧୋତି ସାଙ୍ଗକୁ ମୁଣ୍ଡରେ ପଗଡ଼ି ଆଉ ମୁହଁରେ ସୂତି କପଡ଼ାର ମାସ୍କ । ମଫସଲି ମଣିଷ ପରି ହାତରେ ଦା’ ଧରି ଜମିରେ କାମ କରୁଛନ୍ତି ଆଇଏଏସ୍ ଅଫିସର ।  ସହରୀ ଜୀବନର ଚାକଚକ୍ୟ ତାଙ୍କୁ ମା’ ମାଟି ଠାରୁ ଦୂରେଇ ରଖିପାରିନି । ଚାକିରି କରିବା ସହ ଜମିରେ ଚାଷ କରୁଛନ୍ତି ୨୦୦୯ ବ୍ୟାଚର ଆଇଏଏସ୍ ଅଫିସର ରାମବୀର ସିଂ । ସେ ଏବେ ପଞ୍ଜାବର ସଙ୍ଗରୁରରେ ଜିଲ୍ଲା ଡେପୁଟି କମିଶନର ଭାବେ କାର୍ଯ୍ୟରତ  । ନୀତି, ଆଦର୍ଶ ଓ ସଂସ୍କାରକୁ ମୂଳମନ୍ତ୍ର କରି ଜୀବନ ବିତାଉଥିବା ଉଚ୍ଚପଦସ୍ଥ ଅଫିସର ସମାଜରେ ପରିବର୍ତ୍ତନର ଧାରା ଆଣିବାକୁ ଚିନ୍ତା କରୁଛନ୍ତି। ମୋଟା ଅଙ୍କର ଦରମା ପାଉଥିଲେ ସୁଦ୍ଧା ନିରାଡ଼ମ୍ବର ଜୀବନଯାପନ କରି ମା’ମାଟି ସହ ଯୋଡ଼ି ହୋଇ ରହିବାକୁ ପସନ୍ଦ କରୁଛନ୍ତି ।

ଉଚ୍ଚ ପଦବୀରେ ଥାଇ ଯୁବଗୋଷ୍ଠୀଙ୍କ ପ୍ରେରଣା ପାଲଟିଛନ୍ତି ଆଇଏଏସ୍ ଅଫିସର ରାମବୀର ସିଂ । ଯୁବପିଢ଼ିଙ୍କୁ ପରିବାର ଓ ପରମ୍ପରା ସହ ଯୋଡ଼ି ରଖିବାକୁ ସେ ଏପରି ପ୍ରୟାସ ଚଳାଇଛନ୍ତି । ପ୍ରଶାସନିକ ଦାୟିତ୍ୱ ସହ ମା’ମାଟିର ମହକକୁ ଭୁଲି ନାହାନ୍ତି । ବୈଶାଖିରେ କ୍ଷେତରେ ସୁନା ଫଳିଲା ପରି ତରଙ୍ଗାୟିତ ହେଉଥିବା ଗହମ ଫସଲ ଅମଳ କରିବାକୁ ହାତରେ ଦା ଧରି ପହଞ୍ଚିଛନ୍ତି ରାମବୀର ସିଂ । ଚାଷୀମୂଲିଆ ପରି ଧୋତି ପିନ୍ଧି ତଥା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁହଁରେ ସୂତା କପଡା ବାନ୍ଧି ଗହମ ଫସଲ କାଟୁଛନ୍ତି । କେବଳ ଏତିକି ନୁହେଁ, ସଙ୍ଗରୁର ସରକାରୀ ବାସଭବନରେ ଗାଈ ଦୁହିଁବା ଠାରୁ ଆରମ୍ଭ କରି ଗହମ ଫସଲ କାଟିବା ପର୍ଯ୍ୟନ୍ତ ସବୁ କାମ ସେ ନିଜେ କରୁଛନ୍ତି।

ଡିସି ରାମବୀର କହିଛନ୍ତି, ସେ ଏକ କୃଷକ ପରିବାରରୁ ଆସିଛନ୍ତି, ଯାହାକୁ ସେ କେବେ ବି ଭୁଲି ନାହାଁନ୍ତି । ସେ ଏବେ ମଧ୍ୟ ତାଙ୍କ ପରିବାର ସହ କ୍ଷେତରେ କାମ କରନ୍ତି । 

ଦିନ ସାରା ତାଙ୍କୁ ଅଫିସ୍ କାମରେ ବ୍ୟସ୍ତ ରହିବାକୁ ପଡ଼େ । ଆଉ ଅଫିସ୍ କାମ ଶେଷ କରିବା ପରେ ଫସଲ ସମ୍ମନ୍ଧୀୟ କିଣାବିକା ପାଇଁ ମଣ୍ଡି ଚାଲିଯାଆନ୍ତି । ଆଉ ତା’ପରେ ଘରକୁ ଫେରି  ସରକାରୀ ବାସଭବନରେ ସେ ନିଜେ କରିଥିବା ଚାଷକାମରେ  ଲାଗିପଡ଼ନ୍ତି । ଏଠାରେ କେବଳ ଗହମ ଫସଲ କରିଛନ୍ତି ତା’ ନୁହେଁ, ପନିପରିବା ସମେତ ଅନ୍ୟାନ୍ୟ ଫସଲ ମଧ୍ୟ ଲଗାଇଛନ୍ତି । ତାଙ୍କ ମତରେ ସବୁଜ କ୍ଷେତର ଶୋଭା ତାଙ୍କୁ ଆତ୍ମତୃପ୍ତି ଦେଇଥାଏ ।  ଆଜିର ଆଡ଼ାଚଉଡ଼ା ଦୁନିଆରରେ ତାଙ୍କର ସାଧାରଣ ଜୀବନ ତାଙ୍କୁ ଦେଇଛି ଭିନ୍ନ ଏକ ପରିଚୟ ।

ହରିୟାଣାର ଝଜ୍ଜର ଜିଲ୍ଲାର ଏକ କୃଷକ ପରିବାରରେ ତାଙ୍କର ଜନ୍ମ । ବାପା ଜଣେ ସରକାରୀ ଚାକିରିଆ ହୋଇଥିବା ବେଳେ ଅବସର ଗ୍ରହଣ କରିସାରିଛନ୍ତି । ରାମବୀର ପିଲାବେଳୁ ପରିବାର ଲୋକଙ୍କ ସହ ଚାଷ କାମ କରିଛନ୍ତି । ଜେଏନୟୁରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରି ସିକ୍ୟୁରିଟି ରିଲେସନରେ ଏମଫିଲ କରିଛନ୍ତି । ୨୦୦୯ ମସିହାରେ ସେ ଆଇଏଏସ ପାଇବା ସହ ଅଗଷ୍ଟରେ ତାଙ୍କୁ ନିଯୁକ୍ତି ମିଳିଥିଲା ।  ଆଇଏଏସ ଅଧିକାରୀ ହେବା ପୂର୍ବରୁ ରାମବୀର ସିଂ ଜଣେ ଆଇଆରଏସ ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ।  ଭାରତୀୟ ପ୍ରାଶାସନିକ ସେବାର ଜଣେ ଅଧିକାରୀଙ୍କ ଏଭଳି ସାଦାସିଧା ଜୀବନଶୈଳୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

 

 

You might also like