୪ ଜିଲ୍ଲା କରୋନା ମୁକ୍ତ : ୫୪ ଜିଲ୍ଲାରେ ସଂକ୍ରମଣ ୧୦ରୁ କମ୍‌

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ହାର ହ୍ରାସ ପାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ଅନୁସାରେ ସହର, ଗାଁ, ସାହିରେ ଟେଷ୍ଟିଂ, ଟ୍ରେସିଂ, ଟ୍ରିଟମେଣ୍ଟ୍ ଜାରି ରହିଛି । ସେହିପରି ରାଜ୍ୟରେ ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଜନସଂଖ୍ୟା ହିସାବରେ ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶର ୪ ଜିଲ୍ଲା ଗତ ଗୁରୁବାର ଦିନ କରୋନା ମୁକ୍ତ ଘୋଷଣା ହୋଇଛି । ଅନ୍ୟପଟେ ୨୦ ଲକ୍ଷରୁ ଅଧିକ ଲୋକସଂଖ୍ୟା ଥିବା ଅନ୍ୟ ୫୪ ଜିଲ୍ଲାରେ ମଧ୍ୟ ସଂକ୍ରମଣ ୧୦ ତଳେ ରହିଛି ।

ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ଉନ୍ନତ ମାଇକ୍ରୋ ମ୍ୟାନେଜମେଣ୍ଟ ହେତୁ ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୬୪୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଉତ୍ତରପ୍ରଦେଶରେ କରୋନାର ପଜିଟିଭ ହାର ମାତ୍ର ୦.୩ ପ୍ରତିଶତ ଥିବାବେଳେ ଆରୋଗ୍ୟ ହାର ୯୮ ପ୍ରତିଶତରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶରେ ଯେତିକି ସକ୍ରିମ ସଂକ୍ରମିତଙ୍କ ସଂଖ୍ୟା ରହିଛି, ଅନେକ ରାଜ୍ୟରେ ପ୍ରତିଦିନ ତା’ ଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

ୟୁପିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସକ୍ରିୟତା ହେତୁ କରୋନା ସଂକ୍ରମଣ ହାରରେ ଏକ ବଡ଼ ହ୍ରାସ ଘଟିଛି । ଆଗାମୀ ଦିନରେ ଉତ୍ତରପ୍ରଦେଶର ଅନ୍ୟାନ୍ୟ ଜିଲ୍ଲା ମଧ୍ୟ ଖୁବ୍ ଶୀଘ୍ର କରୋନା ମୁକ୍ତ ହେବ ବୋଲି ଆଶା କରାଯାଉଛି ।  ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ଏବଂ ସମ୍ଭାବ୍ୟ ତୃତୀୟ ଲହରୀକୁ ଏଡ଼ାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ଅଭିଯାନ ମଧ୍ୟ କରାଯାଉଛି ।  ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ୦୨ କୋଟି ୧୫ ଲକ୍ଷ ୮୮ ହଜାର ୩୨୩ ଲୋକଙ୍କର ଟିକାକରଣ ଶେଷ ହୋଇଛି ।

ତ୍ତରପ୍ରଦେଶରେ ପ୍ରତିଦିନ ହାରାହାରି ୪ ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୩,୯୧,୪୪୧ ଲୋକଙ୍କୁ ଟିକା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଦୈନିକ ୫ ରୁ ୬ ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥି ସହିତ ଜୁଲାଇ ମାସରେ ପ୍ରତିଦିନ ୧୦ ରୁ ୧୨ ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରହିଛି । ଟିକା ନେଉଥିବା ଲୋକଙ୍କ ସଂଖ୍ୟା ବଢ଼ାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

You might also like