୬ରେ ଭାରତ ଓ ଚୀନ ମଧ୍ୟରେ ପୁଣି ଉଚ୍ଚସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ: ଗୋଟିଏ ଦିନ ପରେ ଭାରତ ଓ ଚୀନ ମଧ୍ୟରେ ପୁଣି ଉଚ୍ଚସ୍ତରୀୟ ଆଲୋଚନା ହେବ। ଦୀର୍ଘଦିନ ଧରି ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ ଆଲୋଚନା ହେବ। ଲଦାଖ ପାର୍ଶ୍ୱବର୍ତ୍ତୀ ବାସ୍ତବିକ ନିୟନ୍ତ୍ରଣ ରେଖା (LAC) ନିକଟରେ ଦେଖାଦେଇଥିବା ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ପୂର୍ବରୁ ୧୦ ଥରରୁ ଅଧିକ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନାହିଁ। ସେପଟେ ଚୀନ ପକ୍ଷରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଆହୁରି ସୈନ୍ୟ ଠୁଳ କରାଯାଉଥିବା ସୂଚନା ମିଳିଥିବାରୁ ଏହି ଆଲୋଚନା ଉପରେ ସମସ୍ତଙ୍କର ନଜର ରହିଛି।

ଅସନ୍ତା ୬ ତାରିଖରେ ଦୁଇଦେଶ ମଧ୍ୟରେ ଏହି ଆଲୋଚନା ହେବ। ଦୁଇ ଦେଶର ଲେଫ୍ଟନାଣ୍ଟ ଜେନେରାଲସ୍ତରୀୟ ଅଧିକାରୀମାନେ ଏଇ ଆଲୋଚନାରେ ସାମିଲ ହେବେ।

ଭାରତ ପକ୍ଷରୁ ୧୪ କୋର୍ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ଆଲୋଚନାରେ ପ୍ରତିନିଧିତ୍ୱ କରିବେ ବୋଲି ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି। ଚୀନ ପକ୍ଷରୁ ମୁତୟନ କରାଯାଇଥିବା ସେନାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଏଥିରେ ମୁଖ୍ୟ ଦାବି ରହିବ।

ଏଥିସହ ଭାରତ ସୀମାରେ ଯେକୌଣସି ନିର୍ମାଣ କାମ ବେଳେ ଚୀନ ଯେପରି ବାଧା ସୃଷ୍ଟି ନ କରେ ସେ ନେଇ ମୁଖ୍ୟ ପ୍ରସଙ୍ଗ ରହିବ।

ଗତ କିଛି ଦିନ ହେଲା ଲଦାଖ ନିକଟ LAC ରେ ଭାରତ ଓ ଚୀନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇ ଦେଶ ମଧ୍ୟରେ ଏହାକୁ ନେଇ ପୂର୍ବରୁ ୧୦ ଥରରୁ ଅଧିକ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନାହିଁ। ଏପରିକି ମେଜର ଜେନେରାଲ ରାଙ୍କ ଅଧିକାରୀଙ୍କ ମଧ୍ୟରେ ୩ ଥର ହୋଇଥିବା କଥାବାର୍ତା ମଧ୍ୟ ବିଫଳ ହୋଇଛି। ବୈଠକ ପୂର୍ବରୁ ଉତ୍ତେଜନା ହ୍ରାସ ଲାଗି ଗଲୱାନ ଘାଟୀରେ ଉଭୟ ସେନା ପଛକୁ ହଟିଥିବା ସୂଚନା ମିଳିଛି।

 

You might also like