ଉପଭୋକ୍ତାଙ୍କୁ ଝଟ୍‌କା ! ବଜେଟ୍ ପରେ ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍

ରୋଷେଇ ଘରେ ମହଙ୍ଗା ମାଡ଼

ନୂଆଦିଲ୍ଲୀ: ରୋଷେଇ ଘରେ ମହଙ୍ଗା ମାଡ଼। ବଜେଟ୍ ପରେ ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍। ପୁଣି ଥରେ ବୃଦ୍ଧି ପାଇଲା ଘରୋଇ ଗ୍ୟାସ (ଏଲପିଜି ସିଲିଣ୍ଡର) ଦର। ଦେଶର ସବୁଠାରୁ ବଡ଼ ତୈଳ କମ୍ପାନୀ ଇଣ୍ଡିଆନ୍‌ ଅଏଲ କର୍ପୋରେସନ ଲିମିଟେଡ୍‌ ଏଲ୍‌ପିଜି ବିତରଣ କମ୍ପାନୀ ଏହି ଦାମ୍‌ ବୃଦ୍ଧି କରିଛି । ସିଲିଣ୍ଡର ପିଛା ଦାମ୍ ୨୫ ଟଙ୍କା ବଢ଼ିଛି। କିନ୍ତୁ ବାଣିଜ୍ୟିକ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ରେ ୬ଟଙ୍କା ହ୍ରାସ ପାଇଛି । ଏହାପୂର୍ବରୁ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ (19 କିଲୋଗ୍ରାମ) ବୃଦ୍ଧି ୧୯୦ ଟଙ୍କା ବୃଦ୍ଧି ପାଇଥିଲା। ସେହିପରି ଆଜି ପେଟ୍ରୋଲ ଓ ଡିଜେଲ ଦାମରେ ମଧ୍ୟ ବୃଦ୍ଧି ଘଟିଛି।

ଏଲପିଜି ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ପାଇବା ଫଳରେ ଏବେ ଦିଲ୍ଲୀ ସିଲିଣ୍ଡର ଦାମ୍ ୭୧୯ଟଙ୍କା ହୋଇଛି । ଉପଭୋକ୍ତାଙ୍କୁ ୧୪ କିଲୋ ଓଜନର ଅଣ ସବସିଡି ଯୁକ୍ତ ଘରୋଇ ଗ୍ୟାସ୍ ସିଲିଣ୍ଡର ପାଇଁ ଅଧିକ ଟଙ୍କା ଦେବାକୁ ପଡିବ। ଦର ବୃଦ୍ଧି ପରେ ଦିଲ୍ଲୀରେ ୧୪ ଲିଟର ବିଶିଷ୍ଟ ସବସିଡିଯୁକ୍ତ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ୭୧୯ ଟଙ୍କା ହୋଇଛି। ସେହିପରି କୋଲକାତାରେ ୭୪୫.୫୦ ଟଙ୍କା, ମୁମ୍ବାଇରେ ୭୧୦ ଟଙ୍କା ଏବଂ ଚେନ୍ନାଇରେ ୭୩୫ ଟଙ୍କାରେ ପହଞ୍ଚିଛି।

ଏହି ସିଲିଣ୍ଡରର ଦାମ୍‌ ଜାନୁଆରୀ ମାସରେ ୬୯୪ଟଙ୍କା ଥିଲା , କିନ୍ତୁ ଏବେ ଏହାର ଦାମ୍‌ ବଢିଛି। ନୂତନ ହାର ଆଜି ଠାରୁ  ତଥା ଫେବୃଆରୀ ୪ରୁ ଲାଗୁ ହେବ। ଡିସେମ୍ବରରେ IOC ଘରୋଇ LPG ର ମୂଲ୍ୟ ଦୁଇଥର ବୃଦ୍ଧି କରିଥିଲା। ୨ ଡିସେମ୍ବରରେ କମ୍ପାନୀ ୫୦ ଟଙ୍କା ବୃଦ୍ଧି କରିଥିବା ବେଳେ ୧୫ ଡିସେମ୍ବରରେ ପୁଣି ୫୦ ଟଙ୍କା ବୃଦ୍ଧି କରାଯାଇଥିଲା।ସୂଚନାଯୋଗ୍ୟ ନୂଆବର୍ଷ ତଥା ୨୦୨୧ରେ ତୈଳ କମ୍ପାନୀମାନେ ଆଶ୍ୱସ୍ତିକର ଖବର ଦେଇଥିଲେ। ଗ୍ୟାସ୍‌ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରାଯାଇନଥିଲା। କେବଳ ବାଣିଜିକ୍ୟ ସିଲିଣ୍ଡର ଦାମ୍‌ ୧୯କିଲୋଗ୍ରାମ ପ୍ରତି ୧୭ଟଙ୍କା ବୃଦ୍ଧି କରାଯାଇଥିଲା।

ଅନ୍ୟପଟେ ଲଗାତାର ସାତ ଦିନ ସ୍ଥିର ରହିବା ପରେ ଆଜି ଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୩୫ ପଇସା ବୃଦ୍ଧି ପାଇଁ ଲିଟର ପିଛା ୮୬ ଟଙ୍କା ୬୫ ପଇସା ହୋଇଛି। ସେହିପରି ମାୟାନଗରୀ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୩୪ ପଇସା ବୃଦ୍ଧି ପାଇ ୯୩ ଟଙ୍କା ୨୦ ପଇସା ଓ କୋଲକାତାରେ ଏହା ୩୨ ପଇସା ବୃଦ୍ଧି ପାଇ ଲିଟର ପିଛା ୮୮ ଟଙ୍କା ୧ ପଇସା ହୋଇଛି।

You might also like