ଖୁସି ଖବର : ଏଲ୍‌ପିଜି ଗ୍ୟାସରେ ୧୨୨ ଟଙ୍କା ହ୍ରାସ

ନୂଆଦିଲ୍ଲୀ : କରୋନା ସଂକଟ କାଳରେ ବଡ ଖୁସିର ଖବର। ଜୁନ୍ ମାସ ଆରମ୍ଭ ହେବା ମାତ୍ରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଏଲ୍‌ପିଜି ଗ୍ୟାସର ମୂଲ୍ୟ ହ୍ରାସ କରିଛନ୍ତି। ଯଦିଓ ୧୪.୨ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ, ବାଣିଜ୍ୟିକ ବ୍ୟବହାର ପାଇଁ ଗ୍ୟାସ କମ୍ପାନୀଗୁଡିକ ୧୯ କିଲୋଗ୍ରାମର ଗ୍ୟାସ ସିଲିଣ୍ଡର ପ୍ରତି ମୂଲ୍ୟ ୧୨୨ ଟଙ୍କା ହ୍ରାସ କରିଛନ୍ତି। ଦିଲ୍ଲୀରେ, ଜୁନ୍ ୧ ରୁ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ସିଲିଣ୍ଡର ପିଛା ୧୪୭୩.୫୦ ଟଙ୍କା ହୋଇଛି, ଯାହା ପୂର୍ବରୁ ୧୫୯୫.୫୦ ଟଙ୍କା ଥିଲା।

ସୂଚନା ମୁତାବକ ମେ ୧ ରେ, ଗ୍ୟାସ କମ୍ପାନୀଗୁଡିକ ବ୍ୟବସାୟିକ ବ୍ୟବହାର ପାଇଁ ଆସୁଥିବା ୧୯ କିଲୋଗ୍ରାମ ବିଶିଷ୍ଟ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪୫.୫୦ ଟଙ୍କା ହ୍ରାସ କରିଥିଲେ। ଫଳରେ ଏହାର ମୂଲ୍ୟ ୧୬୪୧ ରୁ ୧୫୯୫.୫ ଟଙ୍କାକୁ ଖସି ଆସିଛି। ଅନ୍ୟପକ୍ଷରେ, ଏପ୍ରିଲ ଆରମ୍ଭରେ ଘରୋଇ ଏଲପିଜି ୧୦ ଟଙ୍କା ଶସ୍ତା ହୋଇଗଲା। ଏହା ପରେ ଦିଲ୍ଲୀରେ ଘରୋଇ ଗ୍ୟାସ୍ ୮୦୯ ଟଙ୍କାରେ ଉପଲବ୍ଧ ହେଉଛି।

ଇଣ୍ଡେନ ୱେବସାଇଟ୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ୧୯ କିଲୋଗ୍ରାମ ବିଶିଷ୍ଟ ଗ୍ୟାସ ସିଲିଣ୍ଡରର ନୂତନ ମୂଲ୍ୟ ୧୫୯୫.୫୦ ଟଙ୍କା ବଦଳରେ ୧୪୭୩.୫ ଟଙ୍କା ହୋ‍ଇଛି। ସେହିଭଳି ନୂଆ ମୂଲ୍ୟ ଅନୁଯାୟୀ ମୁମ୍ବାଇରେ ୧୫୪୫ ଟଙ୍କା ବଦଳରେ ୧୪୨୨.୫ ଟଙ୍କା, କୋଲକାତାରେ ୧୬୬୭.୫୦ ଟଙ୍କା ବଦଳରେ ୧୫୪୪.୫5 ଟଙ୍କା ଏବଂ ଚେନ୍ନାଇରେ ୧୭୨୫.୫୦ ଟଙ୍କା ବଦଳରେ ୧୬୦୩ ଟଙ୍କା ରହିଛି।

ଅନ୍ୟପକ୍ଷରେ ୨୦୨୧ରେ ଘରୋଇ ଗ୍ୟାସର ମୂଲ୍ୟରେ ଏକ ବଡ ବୃଦ୍ଧି ରେକର୍ଡ କରାଯାଇଛି। ଜାନୁଆରୀରେ ଏହାର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। କିନ୍ତୁ ଫେବୃଆରୀ ୪ରେ ଏହାର ମୂଲ୍ୟ ୬୯୪ ଟଙ୍କାରୁ ୨୫ ଟଙ୍କା ବଢି  ୭୧୯ ଟଙ୍କାକୁ ବୃଦ୍ଧି ପାଇଥିଲା। ଏହା ପରେ ଫେବୃଆରୀ ୧୫ରେ ଏହାର ମୂଲ୍ୟରେ ୫୦ ଟଙ୍କା ବୃଦ୍ଧି ହୋଇ ୭୬୯ ଟଙ୍କା ହୋଇଗଲା। ତା’ପରେ ଫେବୃଆରୀ ୨୫ରେ ଏଥିରେ ୨୫ଟଙ୍କା ବୃଦ୍ଧି କରାଯାଇ ୭୯୪ ଟଙ୍କା ହୋଇଗଲା। ମାର୍ଚ୍ଚ ୧ରେ ଏହାର ମୂଲ୍ୟ ପୁଣି ୨୫ ଟଙ୍କା ବୃଦ୍ଧି ପାଇ ୮୧୯ ଟଙ୍କା ହୋଇଥିଲା। ତେବେ ଏପ୍ରିଲରେ ମୂଲ୍ୟ ୧୦ ରୁ ୮୦୯ ଟଙ୍କା ହ୍ରାସ ପାଇଥିଲା।

ସେହିଭଳି ଏହି ସମୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ସ୍ଥିର ରହିଛି। ପ୍ରକାଶ ଥାଉଯେ କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଅନେକ ଦେଶରେ ଲକଡାଉନ୍ କରାଯାଇଛି। ଏହା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଚାହିଦା ହ୍ରାସ କରିଛି, ଯେଉଁ କାରଣରୁ ଏହାର ମୂଲ୍ୟ ରେକର୍ଡ ନିମ୍ନ ସ୍ତରରେ ପହଞ୍ଚିଛି। ଗତ ମାସରେ, ବ୍ରେଣ୍ଟ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୫.୯୮ ଡଲାରରେ ପହଞ୍ଚିଛି। ଦୁଇ ଦଶନ୍ଧି ମଧ୍ୟରେ ଅଶୋଧିତ ତେଲର ଏହା ସର୍ବନିମ୍ନ ମୂଲ୍ୟ ଥିଲା। ଶୁକ୍ରବାର ବ୍ରେଣ୍ଟ ଅଶୋଧିତ ତୈଳ ବ୍ୟାରେଲ ୨୬.୪୩ ଡଲାରରେ ପହଞ୍ଚିଛି।

You might also like