ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କାଲି ଡିପ୍ରେସନ୍‌ର‌ ରୂପ ନେବ !

ନୂଆଦିଲ୍ଲୀ: ଗତକାଲି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏହାର ନିକଟସ୍ଥ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ କ୍ଷେତ୍ର ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି।

ଆଜି ସକାଳେ ଏହା ୱେଲ୍‌ ମାର୍କଡ୍ ଲୋ’ ପ୍ରେସର୍‌ ଏରିଆ ଭାବରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତାକାଲି ଏହା ଡିପ୍ରେସନ୍‌ ରୂପ ନେବାର ସମ୍ଭାବନା ରହିଛି। ଏହାପରେ ଘନୀଭୂତ ହୋଇ ମେ’ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ସାଇକ୍ଲୋନ୍‌ରେ ଅର୍ଥାତ୍‌ ବାତ୍ୟାରେ ପରିଣତ ହୋଇପାରେ।

ମେ’ ୧୭ ତାରିଖ ଯାଏ ଏହାର ଗତି ଉତ୍ତରପଶ୍ଚିମ ଦିଗକୁ ଜାରି ରହିବ। ପରେ ଏହା ଗତି ବଦଳାଇ ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗତି କରିବ। ତେବେ ମେ’ ୧୮ ଓ ୧୯ ତାରିଖ ବେଳକୁ ଏହା ଉତ୍ତର ବଙ୍ଗୋପ ସାଗରରେ ପହଞ୍ଚିବ। ଫଳରେ ଏହାର ପ୍ରଭାବରେ ମେ’ ୧୮ ଓ ୧୯ରେ ଉତ୍ତର ବଙ୍ଗୋପ ସାଗର ଅଶାନ୍ତ ରହିବା ସହ ପବନର ବେଗ ବଢ଼ିବ। ଏନେଇ ଭାରତୀୟ ପାଣିପାଗ ବିଭାଗ( IMD) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।

ତେବେ ଆସନ୍ତାକାଲି ଏହି ଲଘୁଚାପ ଡିପ୍ରେସନରେ ପରିଣତ ହେବାପରେ ଏହାର ନିର୍ଦ୍ଦିଷ୍ଟ ଗତିପଥ ଓ ଏହାର ତୀବ୍ରତା କେତେ ରହିବ ସେନେଇ ପୂର୍ବାନୁମାନ କରାଯାଇ ପାରିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

ଏହାର ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ମେ’୧୮ରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ମେ’୧୯ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

You might also like