ଶରୀରରେ ଅକ୍ସିଜେନ ସ୍ତର କମିଲେ ଏହି ସବୁ ଲକ୍ଷଣ ଦେଖାଯାଏ; ନଜରଅନ୍ଦାଜ କରନ୍ତୁ ନାହିଁ, ପଢ଼ନ୍ତୁ…

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କରୋନାର ଏହି ନୂଆ ଷ୍ଟ୍ରେନ ଅତ୍ୟନ୍ତ ବିପଜ୍ଜନକ ବୋଲି ପ୍ରମାଣିତ ହେଉଛି। କରୋନାର ଏହି ନୂଆ ଷ୍ଟ୍ରେନ ସିଧାସଳଖ ଫୁସଫୁସ୍ ଉପରେ ଆକ୍ରମଣ କରୁଛି। ଏହାସହ ରୋଗୀଙ୍କ ଶରୀରରୁ ଅକ୍ସିଜେନ ପରିମାଣ କମାଇ ଦେଉଛି। ଏହି ନୂଆ ଷ୍ଟ୍ରେନ୍ ସିଧାସଳଖ ଭାବେ ଫୁସଫୁସ୍ ଏବଂ ଶ୍ୱାସକ୍ରିୟା ଉପରେ ଗଭୀର ପ୍ରଭାବ ପକାଉଛି। ଏଥିପାଇଁ ଶରୀରକୁ ସୁସ୍ଥ ରଖିବାକୁ ହେଲେ ଅଧିକରୁ ଅଧିକ ଅକ୍ସିଜେନ ଆବଶ୍ୟକ।

କରୋନା ଯୋଗୁଁ ଶରୀରରେ ଅକ୍ସିଜେନ ପରିମାଣ କମିବା ପରେ ଅନେକ ଗମ୍ଭୀର ପରିଣାମ ସାମ୍ନାକୁ ଆସିଥାଏ। ତେଣୁ କରୋନା ରୋଗୀ ଏବଂ ତାଙ୍କର ଦେଖାଶୁଣା କରୁଥିବା ଲୋକ ଏଥିପ୍ରତି ବିଶେଷ ଗୁରୁତ୍ୱ ଦେବା ଉଚିତ୍। ଶରୀରରେ ଯେଭଳି ଅକ୍ସିଜେନ ପରିମାଣ କମ ନହେବ ସେଥିପ୍ରତି ବିଶେଷ ଯତ୍ନବାନ ହେବା ଆବଶ୍ୟକ। ଏମିତି ଅନେକ କରୋନା ରୋଗୀ ଅଛନ୍ତି ଯେଉଁମାନେ ଗୁରୁତର ହୋଇନାହାନ୍ତି। ସେମାନଙ୍କ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ଉଚିତ। ତାଙ୍କ ଶରୀରରୁ ଯେଭଳି ଅକ୍ସିଜେନ ପରିମାଣ କମ ନ ହେଉ ସେଥିପ୍ରତି ଗୁରୁତ୍ୱ ଦେଲେ ଭଲ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଜଣେ ସୁସ୍ଥ ବ୍ୟକ୍ତି ନିକଟରେ ଅକ୍ସିଜେନ ପରିମାଣ ୯୫ ରୁ ୧୦୦ ପ୍ରତିଶତ ରହିବା ଆବଶ୍ୟକ।

ରକ୍ତରେ ଥିବା ହିମୋଗ୍ଲୋବିନ ଶରୀରରେ ଅକ୍ସିଜେନର ବାହାକ ହୋଇଥାଏ। ଏହା ସମ୍ପୂର୍ଣ୍ଣ ଶରୀରରେ ଅକ୍ସିଜେନକୁ ପରିଚାଳନା କରିଥାଏ। ଶରୀରରେ ଅକ୍ସିଜେନର ପରିମାଣ କମିଲେ ଏହା ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରିବାର ସମ୍ଭାବନା ଅଧିକ ଥାଏ। ଶରୀରରୁ ଅକ୍ସିଜେନ କମିଲେ ହାଲିଆ ଓ ଧଇଁସଇଁ ଲାଗେ। ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଧିମା ପଡ଼ିଯାଏ। ଖାଲି ସେତିକି ନୁହେଁ ଅକ୍ସିଜେନ କମିଲେ, ବ୍ରେନ ହାମରେଜ ତଥା ହୃଦଘାତର ସମ୍ଭାବନା ମଧ୍ୟ ବଢ଼ିଥାଏ। ମଧୁମେହ ରୋଗୀଙ୍କ ଶରୀରରେ ଅକ୍ସିଜେନ କମିବାରୁ ରକ୍ତରେ ହଠାତ୍ ସୁଗର ପରିମାଣ ବଢ଼ିଯାଏ। ଯାହାକି ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ଅକ୍ସିଜେନ ଅଭାବରୁ ଥାଇରଡ୍ ହର୍ମୋନର ସନ୍ତୁଳନ ମଧ୍ୟ ବିଗିଡ଼ିବାର ସମ୍ଭାବନା ରହିଛି।

ଅମ୍ଳଜାନ ଅଭାବରୁ ଏହି ସବୁ ଲକ୍ଷଣ ଦେଖାଯାଏ:-

– ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବେ

– ନିଶ୍ୱାସ ଫୁଲିବାରେ ଲାଗିବ

– କ୍ଳାନ୍ତ ଅନୁଭବ ହେବ

– ଦ୍ୱନ୍ଦ୍ୱ ଅନୁଭବ ହେବ

– ଓଠ ଏବଂ ମୁହଁର ରଙ୍ଗ ନୀଳ ପଡ଼ିଯିବ

– ଛାତିରେ ଯନ୍ତ୍ରଣା କିମ୍ବା ପୋଡ଼ା ଜଳା ହେବ

– ଚଲାବୁଲା କରିବାରେ ସମସ୍ୟା ଦେଖାଦେବ

ଶରୀରରେ ଅକ୍ସିଜେନ ପରିମାଣ କେମିତି ବଢ଼ାଇବେ ?

ଯଦି କୌଣସି ରୋଗୀଙ୍କୁ ଅନୁଭବ ହୁଏ ଯେ, ଶରୀରରେ ଅକ୍ସିଜେନ ପରିମାଣ କମିବାରେ ଲାଗିଛି। ତେବେ ତାଙ୍କୁ ଖଟ ଉପରେ ହେଉ କିମ୍ବା ଚଟାଣରେ, ପେଟ ମାଡ଼ି ଶୋଇବାକୁ କୁହାଯାଏ। ଏହାକୁ ପ୍ରୋନ ପୋଜିସନିଂ କୁହାଯାଏ। ପେଟ ମାଡ଼ି ଶୋଇବା ଦ୍ୱାରା ଶରୀରରେ ଅକ୍ସିଜେନ ପରିମାଣ ଅଧିକ ବଢ଼ିଥାଏ। ଏହି ପୋଜିସନରେ ରୋଗୀର ପେଟ ତଳକୁ ଲାଗି ରହିବା ଦରକାର ଏବଂ ପିଠି ଉପରକୁ ରହିବା ଆବଶ୍ୟକ। ଏହାଦ୍ୱାରା ଫୁସଫୁସ୍ ସ୍ପିଡରେ କାମ କରିଥାଏ ଏବଂ ନିଶ୍ୱାସ ନେବାରେ ସହଜ ହୋଇଥାଏ।

ଶରୀରରେ ଅକ୍ସିଜେନ ପରିମାଣ କମିଲେ ପେଟ ମାଡ଼ି ଶୋଇ ଯାଆନ୍ତୁ

– ମୁଣ୍ଡ, ଅଣ୍ଟା ଏବଂ ପାଦ ତଳେ ତକିଆ ରଖନ୍ତୁ

– ଏହି ସମୟରେ ନିଜ ମୁଣ୍ଡକୁ ଆରାମଦାୟକ ସ୍ଥିତିରେ ରଖନ୍ତୁ

– ୧ରୁ ୨ ଘଣ୍ଟା ମଧ୍ୟରେ ପୋଜିସନ ପରିବର୍ତ୍ତନ କରନ୍ତୁ

–  ମଝିରେ ମଝିରେ ଅମ୍ଳଜାନ ସ୍ତର ଯାଞ୍ଚ କରନ୍ତୁ

You might also like