ବାପାଙ୍କ ମୃତ୍ୟୁ ଖବର ଶୁଣି ବି ଘରକୁ ଯାଇ ନ ଥିଲେ ବଜେଟ ଦାୟିତ୍ୱରେ ଥିବା ଅଧିକାରୀ

ନୂଆଦିଲ୍ଲୀ:ବଜେଟ ଛପା କାମ କେତେ କଠିନ ଯିଏ କରେ ସିଏ ଜାଣେ। ବଜେଟ ପ୍ରସ୍ତୁତ କରିବା ପାଇଁ ନିଜକୁ କେତେ ଦୃଢ କରିବା ଆବଶ୍ୟକ ତାହାର ଏକ ପ୍ରମାଣ ଦେଇଛନ୍ତି ଡେପୁଟି ମ୍ୟାନେଜର (ପ୍ରେସ) କୁଲଦୀପ ଶର୍ମା। ବଜେଟ ଛପା ଦାୟିତ୍ୱରେ ଥିବା ବେଳେ ଅର୍ଥାତ୍‌ ଜାନୁଆରୀ ୨୬ ତାରିଖ ତାଙ୍କ ବାପାଙ୍କ ମୃତୃ ଘଟିଥିଲା। ତଥାପି ସେ ଛୁଟିରେ ନ ଯାଇ ନିଜ କାର୍ଯ୍ୟ କରୁଥିଲେ।

ବଜେଟ ଛପା ଦାୟିତ୍ୱରେ ଥିବା ଅଧିକାରୀ ଛୁଟି ନେଇପାରିବେନି କିମ୍ବା ଘରକୁ ଯାଇପାରିବେନି। ଶର୍ମା ମଧ୍ୟ ଏହି ନିୟମକୁ ନିଷ୍ଠାର ସହ ପାଳନ କରିଥିଲେ।  ବଜେଟ ଛପା କାମ ଚାଲିଥିବାବେଳେ  ତାଙ୍କ ପିତାଙ୍କ ଦେହାନ୍ତ ହୋଇଗଲା। ହେଲେ ସରକାରଙ୍କ ବଜେଟ୍‌ ନିୟମ ମାନି ସେ ଘରକୁ ଯାଇ ନ ଥିଲେ। ସେ କହିଥିଲେ, ବଜେଟ ଛପା କାମ ପୂରା ହେଲା ପରେ ହିଁ  ଘରକୁ ଯିବେ। ଶର୍ମାଙ୍କ ଏପରି କର୍ମ ପ୍ରବଣତା ଏବଂ ନିଷ୍ଠାକୁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପ୍ରଶଂସା କରାଯାଇଛି।

ସୂଚନାଥାଉ କି, ବଜେଟ ଛପା କାମ ନର୍ଥ ବ୍ଲକରେ କରାଯାଇଥିଲା। ହାଲ୍‌ୱା ସେରେମନି ପରେ ଏହି କାମରେ ନିଯୁକ୍ତ କର୍ମଚାରୀମାନେ ବଜେଟ୍‌ ଭାଷଣ ଶେଷ ନ ହେବା ପର୍ଯ୍ୟନ୍ତ ବାହାରକୁ ବାହାରି ନ ଥାନ୍ତି।

You might also like