ତର୍କ ବିତର୍କ ପରେ ତିନ୍ ତଲାକ୍ ବିଲ୍ ଲୋକସଭାରେ ପାସ୍

ନୂଆଦିଲ୍ଲୀ: ସରଗରମ ଆଲୋଚନା ପରେ ସଂଶୋଧିତ ତିନ୍ ତଲାକ୍ ବିଲ୍‌ ଲୋକସଭାରେ ପାସ୍‌ ହୋଇଛି। ତେବେ ପାସ୍‌ ହେବା ପୂର୍ବରୁ କକ୍ଷ୍ୟତ୍ୟାଗ କରିଥିଲେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ।

ତିନ୍ ତଲାକର ଅପରାଧୀକରଣ ଦିଗକୁ ବିରୋଧୀ ଜୋରଦାର ବିରୋଧ କରିଥିଲେ।

ତିନି ଥର ତଲାକ୍ କହି ପତ୍ନୀଙ୍କ ଛାଡ଼ପତ୍ର ଦେଉଥିବା ବ୍ୟକ୍ତିଙ୍କ ଲାଗି ବିଲ୍‌ରେ ୩ ବର୍ଷ ଜେଲ୍ ଯିବାର ବ୍ୟବସ୍ଥା ରହିଛି। ତେବେ ଅଧିକାଂଶ ବିରୋଧୀ ଦଳ ଏହି ବ୍ୟବସ୍ଥାକୁ ଜୋରଦାର ଢଙ୍ଗରେ ବିରୋଧ କରିଛନ୍ତି।

ଅନ୍ୟପକ୍ଷରେ ବିଲ୍‌କୁ ପାର୍ଲାମେଣ୍ଟ ସିଲେକ୍ଟ କମିଟିକୁ ପଠାଇବା ଲାଗି ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ତିନ୍ ତଲାକ୍ ବିଲ୍ କୌଣସି ସଂପ୍ରଦାୟ ବିରୁଦ୍ଧରେ ନୁହେଁ ବୋଲି ଯୁକ୍ତି ରଖିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ। ଏହା ମୁସଲମାନ ମହିଳାଙ୍କ ସଶସ୍ତ୍ରୀକରଣ ଲାଗି ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି।

ଆଜି ଲୋକସଭାରେ ଆଗତ ବିଲ୍‌ରେ ୩ଟି ସଂଶୋଧନ କରାଯାଇଛି। ଏହା ଅନ୍ତର୍ଗତ ମହିଳା ନିଜେ କିମ୍ବା ତାଙ୍କ ନିକଟ ସଂପର୍କୀୟ ହିଁ କେବଳ ମାମଲା ରୁଜୁ କରିପାରିବେ। ଯଦି ପତି ଓ ପତ୍ନୀଙ୍କ ମଧ୍ୟରେ ବୁଝାମଣା ହୋଇଯାଏ, ତେବେ ମହିଳା ମାମଲା ପ୍ରତ୍ୟାହାର କରିପାରିବେ। ସେହିପରି ମାଜିଷ୍ଟ୍ରେଟ୍‌ ଚାହିଁଲେ ଅଭିଯୁକ୍ତଙ୍କୁ ଜାମିନ ଦେଇପାରିବେ। ତେବେ ତିନ୍ ତଲାକ୍ ବିଲ୍ ଇସ୍ଲାମ୍‌ ବିରୋଧୀ ବୋଲି ବିଭିନ୍ନ ସଂଗଠନ ଯୁକ୍ତି କରିଅସୁଛନ୍ତି।

ତିନ୍ ତଲାକ୍ ବିଲ୍ ଇସ୍ଲାମ୍‌ ପୂର୍ବରୁ ଲୋକସଭାରେ ପାଶ୍ ହୋଇଥିଲେ ବି ସଂଖ୍ୟା ଦୃଷ୍ଟିରୁ ରାଜ୍ୟସଭାରେ ପାଶ୍ ହୋଇପାରିନଥିଲା। ଫଳରେ ସରକାର ଗତ ସେପ୍ଟେମ୍ବର୍ ମାସରେ ଅର୍ଡିନାନ୍ସ ଆଣି ବିଲ୍‌କୁ କାର୍ଯ୍ୟକାରୀ କରାଇଥିଲେ।

ତେବେ ୬ ମାସ ମଧ୍ୟରେ ବିଲ୍ ପାସ୍ କରାଇବା ବାଧ୍ୟତାମୂଳକ ହୋଇଥିବାରୁ ଏହାକୁ ପୁଣି ଲୋକସଭାରେ ଉପସ୍ଥାପନ କରାଯାଇଛି। ସରକାରଙ୍କ ପଦକ୍ଷେପକୁ ମହିଳା ଅଧୀକାର କର୍ମୀ ଏବଂ ପୀଡ଼ିତା ସ୍ୱାଗତ କରିଛନ୍ତି।

ତିନ୍ ତଲାକ୍ ବ୍ୟବସ୍ଥା ଅସାମ୍ବିଧାନିକ ଓ ଏହା ମୁସ୍ଲିମ୍ ମହିଳାଙ୍କ ଅଧିକାର କ୍ଷୂଣ୍ଣ ହେଉଥିବା ଦେଶର ସର୍ବୋଚ୍ଚ ଅଦାଲତ ଗତ ସେପ୍ଟେମ୍ବରରେ ରାୟ ଦେଇଥିଲେ।

You might also like