ବ୍ୟସ୍ତ ବିବ୍ରତ ହୋଇ କାହିଁଁକି ଗୋଆ ଛାଡ଼ିଲେ ଓଡ଼ିଆ ବିଚାରପତି ?

ଗୋଆ: ଅତି ବ୍ୟସ୍ତ ବିବ୍ରତ ହୋଇ ଗୋଆ ଛାଡ଼ିଛନ୍ତି ଓଡ଼ିଆ ଜଜ୍ ଜଷ୍ଟିସ୍ ପ୍ରଫୁଲ୍ଲ କୁମାର ମିଶ୍ର। ଏହି ଅବସରପ୍ରାପ୍ତ ବିଚାରପତି ଗୋଆରେ ଲୋକାୟୁକ୍ତ ଥିଲେ। ସେ ୨୦୧୬ ମାର୍ଚ୍ଚ ୧୮ ରୁ ୨୦୨୦ ସେପ୍ଟେମ୍ୱର ୧୬ ପର୍ଯ୍ୟନ୍ତ ଗୋଆର ଲୋକାୟୁକ୍ତ ଭାବେ କାମ କରିଛନ୍ତି। ଏହି ସାମ୍ୱିଧାନିକ ପଦବୀରେ ରହି ନିଷ୍ଠାର ସହ ନିଜର କାମ କରିଛନ୍ତି ସେ। କିନ୍ତୁ କାହା ପାଖରେ ମୁଣ୍ଡ ନୁଆଁଇ ନାହାନ୍ତି।

ତେବେ ଗୋଆ ରାଜ୍ୟ ସରକାରଙ୍କ ଅସହଯୋଗ ତାଙ୍କୁ ବାଧିଛି। ସେ ସରକାରଙ୍କୁ ବାରମ୍ୱାର ତାଗିଦ୍ କରିଛନ୍ତି। ଆକ୍ସନ ଟେକେନ ରିପୋର୍ଟ ମାଗିଛନ୍ତି। କିନ୍ତୁ ଗୋଆ ସରକାର ସବୁ ଜାଣିଶୁଣି ଚୁପ୍ ରହିଛନ୍ତି। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏ କଥା ଜଷ୍ଟିସ୍ ମିଶ୍ର କହିଛନ୍ତି। କଟକରେ ଜନ୍ମିତ ଜଷ୍ଟିସ ମିଶ୍ର ପୂର୍ବରୁ ପାଟନା ହାଇକୋର୍ଟରେ ମୁଖ୍ୟ ବିଚାରପତି ଥିଲେ।

ଲୋକାୟୁକ୍ତ ଭାବେ କାର୍ଯ୍ୟ କରିବା ମଧ୍ୟରେ ସେ ୧୯୧ଟି ମାମଲାର ବିଚାର କରିଛନ୍ତି। ୧୩୩ଟି ମାମଲାରେ ରାୟ ଶୁଣାଇଛନ୍ତି। ବିଚାରାଧୀନ ଥିବା ୫୮ଟି ମାମଲା ମଧ୍ୟରୁ ୨୧ଟି ମାମଲାରେ ସେ ଗୋଆ ସରକାରଙ୍କୁ ରିପୋର୍ଟ ଦେଇଛନ୍ତି ଓ ଆକ୍ସନ ଟେକେନ ରିପୋର୍ଟ ମାଗିଛନ୍ତି। କିନ୍ତୁ ସରକାର ଆକ୍ସନ ଟେକେନ ରିପୋର୍ଟ ଦେବାକୁ କୁନ୍ଥୁ କୁନ୍ଥୁ ହୋଇଛନ୍ତି। ତାହା ଏପର୍ଯ୍ୟନ୍ତ ବି ମିଳିନାହିଁ। ବିଭିନ୍ନ ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ କରିଛନ୍ତି। ବଦଳି ପାଇଁ କହିଛନ୍ତି, ପୁଣି କେଉଁଥିରେ ଅଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିଏ ପୁଣି ପଦବୀ ପାଇଁ ଯୋଗ୍ୟ ନୁହଁନ୍ତି ବୋଲି ସରକାରଙ୍କୁ ସୁପାରିସ କରିଛନ୍ତି। ଅଧିକାଂଶ କ୍ଷେତ୍ରରେ ସରକାର ଏହାକୁ ପାଳନ କରିନାହାନ୍ତି। ବଡ଼ବଡ଼ିଆଙ୍କ ନାଁ ଉଠିଲା ବେଳକୁ ସରକାର ଚୁପ୍ ରହିଛନ୍ତି।

ଜଷ୍ଟିସ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ଗୋଆ ଲୋକାୟୁକ୍ତ ଆଇନର ଦାନ୍ତ ନାହିଁ। କେରଳ ଓ କର୍ଣ୍ଣାଟକ ଭଳି ରାଜ୍ୟରେ ଲୋକାୟୁକ୍ତ ଆଇନ କଡ଼ା ହୋଇଥିବା ବେଳେ ଗୋଆର ଲୋକାୟୁକ୍ତ କିନ୍ତୁ ସେଭଳି ନୁହେଁ ବୋଲି ସେ କହିଛନ୍ତି। ଗୋଆରେ ଲୋକାୟୁକ୍ତ କାହାକୁ ଦୋଷୀ ସାବ୍ୟସ୍ତ କରିପାରିବେ ନାହିଁ ବା ଅଦାଲତ ଅବମାନନା ମାମଲାରେ କାହାକୁ ଟାଣିପାରିବେ ନାହିଁ। କେବଳ ସୁପାରିସ କରିପାରିବେ।

କେତେକ ମାମଲାରେ ସରକାର ତାଙ୍କର ଆଦେଶ ମାନିନଥିବା ସେ କହିଛନ୍ତି। ଏହି ସ୍ପଷ୍ଟବାଦୀ ବିଚାରପତି ଅବସର ସମୟରେ ଫେୟାରୱେଲ୍ ନନେଇ ଓଡ଼ିଶା ଫେରିଛନ୍ତି। ସେ କହିଛନ୍ତି ଗୋଆରେ ଲୋକାୟୁକ୍ତ ବ୍ୟବସ୍ଥାକୁ ଉଚ୍ଛେଦ କରିଦିଆଯିବା ଦରକାର। କାହିଁକି ନା ସୁପାରିସ ସରକାର ମାନୁନାହାନ୍ତି। ଲୋକାୟୁକ୍ତ କେବଳ ଧର୍ମକୁ ଆଖିଠାର ସଦୃଶ ହୋଇଛି। ସରକାରୀ ଅର୍ଥ ବ୍ୟୟ ହେଉଛି। ଏହି ଓଡ଼ିଆ ଜଜ୍‌ଙ୍କ ନୀର୍ଭିକତା ଓ ନିରପେକ୍ଷତା ଗୋଆ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଛି।

You might also like