୨୦୦୪ରୁ ଜଣେ ହେଲେ ବି ମୁସ୍‌ଲିମ୍‌ ସାଂସଦ ହୋଇନାହାଁନ୍ତି

ନୂଆଦିଲ୍ଲୀ: ଦେଶର ସବୁ ରାଜନୈତିକ ଦଳ ଧର୍ମନିରପେକ୍ଷପତାକୁ ଗୁରୁତ୍ୱ ଦିଅନ୍ତି ବୋଲି ପ୍ରଚାର କରନ୍ତି। ଅନେକ ସମୟରେ ସଂଖ୍ୟାଲଘୁମାନଙ୍କର ସମ୍ମାନ ଓ ସ୍ୱାଭିମାନର କଥା ମଧ୍ୟ କୁହନ୍ତି। ହେଲେ କର୍ଣ୍ଣାଟକରେ ସଂଖ୍ୟାଲଘୁଙ୍କ ପ୍ରତି ରାନୈତିକ ଦଳଗୁଡ଼ିକର ଆଭିମୁଖ୍ୟ କ’ଣ ତାହା ମିଳିଥିବା ଏକ ତଥ୍ୟରୁ ସ୍ପଷ୍ଟ ଜଣାପଡ଼ିଛି।

୨୦୦୪ରୁ ଏବେ ଯାଏ କର୍ଣ୍ଣାଟକାବାସୀ ଜଣେ ହେଲେ ବି ମୁସ୍‌ଲିମ ବ୍ୟକ୍ତିଙ୍କୁ ସାଂସଦ ଭାବେ ଲୋକସଭାକୁ ପଠାଇ ନାହାନ୍ତି। ସେହିପରି ରାଜ୍ୟସଭାକୁ ମଧ୍ୟ କର୍ଣ୍ଣାଟକାରୁ କୌଣସି ମୁସ୍‌ଲିମ ଯାଇନାହାନ୍ତି।

୨୦୦୪ରୁ ଆଜି ଯାଏ କର୍ଣାଟକାରୁ ୮୪ ଜଣ ସାଂସଦ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଯାଇଛନ୍ତି। କେବଳ ଇକ୍‌ବାଲ୍‌ ଅହମ୍ମଦ ସାରଦଗି ଏକମାତ୍ର ମୁସ୍‌ଲିମ ପ୍ରାର୍ଥୀ ଭାବେ କାଲୁବର୍ଗିରୁ ନିର୍ବାଚିତ ହୋଇଥିଲେ।

୨୦୦୪ରୁ ୨୦୧୯ ମଧ୍ୟରେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ୧୧ ଜଣ ମୁସ୍‌ଲିମ୍‌ଙ୍କୁ ପ୍ରାର୍ଥୀ କରିଛି। କିନ୍ତୁ ବିଜେପି ଆଜି ଯାଏ କୌଣସି ମୁସ୍‌ଲିମଙ୍କୁ ଦଳୀୟ ଟିକେଟ୍‌ ଦେଇନାହିଁ। କର୍ଣ୍ଣାଟକାରେ ମୁସ୍‌ଲିମ ସଂପ୍ରଦାୟର ସଂଖ୍ୟା ୧୨% ରହିଥିଲେ ହେଁ କ’ଣ ପାଇଁ ରାଜନୀତିକ ଦଳର ନେତାମାନେ ସେମାନଙ୍କୁ ପ୍ରାର୍ଥୀ କରୁନାହାନ୍ତି, ସେହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି।

୨୦୦୪ରେ ୪ ଜଣ ମୁସ୍‌ଲିମ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ହେଲେ ଏମାନଙ୍କ ମଧ୍ୟରୁ ଜଣେ ହିଁ ଜିତିଥିଲେ। ୨୦୦୯ରେ ୩ ଜଣ ମୁସ୍‌ଲିମ ପ୍ରାର୍ଥୀ ହୋଇଥିଲେ ହେଁ, ଏମାନଙ୍କ ମଧ୍ୟରୁ କେହି ବି ଜିତି ନଥିଲେ। ୨୦୧୪ରେ ମଧ୍ୟ ସମାନ ଘଟଣା ଘଟିଥିଲା। ୨୦୧୯ରେ ଜଣେ ମାତ୍ର ମୁସ୍‌ଲିମ ପ୍ରାର୍ଥୀ ରହିଛନ୍ତି। ସେ ଜିତୁଛନ୍ତି କି ହାରୁଛନ୍ତି, ସେକଥା ମେ’ ୨୩ରେ ଜଣାପଡ଼ିବ।

ଅନ୍ୟପକ୍ଷରେ ୧୯୯୧ରୁ ୨୦୦୪ ଯାଏ ଜାଫର ଶରିଫ ତିନିଥର ଲୋକସଭା ନିର୍ବାଚନ ଜିତିଥିଲେ। ସେ ୧୯୯୧, ୧୯୯୮ ଓ ୧୯୯୯ରେ ଲୋକସଭାକୁ ଯାଇଥିଲେ। ୧୯୯୬ରେ କ୍ୱମର ଉଲ୍ ଇସ୍‌ଲାମ ଜିତିଥିବା ବେଳେ ଶେଷଥର ପାଇଁ ୨୦୦୪ରେ ଇକ୍‌ବାଲ ଜିତିଥିଲେ।

 

You might also like