୪ ରାଜ୍ୟରେ ନିଦ ହଜାଇ ଦେଲେଣି ପଙ୍ଗପାଳ

ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ଭାରତରୁ ଧିରେ ଧିରେ କେନ୍ଦ୍ରାଞ୍ଚଳକୁ ବ୍ୟାପିବାରେ ଲାଗିଲାଣି ପଙ୍ଗପାଳ ଆକ୍ରମଣ। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ଓ ହରିଆଣା ପରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ପହଞ୍ଚିଲେଣି ପଙ୍ଗପାଳ।

ଗୁଜରାଟ, ରାଜସ୍ଥାନ, ପଞ୍ଜାବ ଓ ମଧ୍ୟପ୍ରଦେଶରେ ଚାଷୀଙ୍କ ନିଦ ହଜାଇ ଦେଲେଣି। ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ସୀମା ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି ପଙ୍ଗପାଳ।

ପୂର୍ବ ଉପକୂଳର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଅମ୍ପନ ବାତ୍ୟାରେ ଜର୍ଜରିତ ହୋଇଥିବାବେଳେ ପଶ୍ଚିମ ଭାଗରେ ପଙ୍ଗପାଳ ଚାଷୀଙ୍କ ପାଇଁ ଦୁର୍ଦ୍ଦିନ ଆଣି ଦେଇଛନ୍ତି। ତେବେ ପଙ୍ଗପାଳ ଦ୍ୱାରା କ୍ଷତିଗ୍ରସ୍ତ ରାଜ୍ୟଗୁଡ଼ିକୁ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ପ୍ରକାଶଥାଉକି, ପାକିସ୍ତାନରେ ଖାଦ୍ୟ ସଙ୍କଟ ପରେ ଭାରତର ପ୍ରାୟ ୮ଟି ରାଜ୍ୟକୁ ଚରିଗଲେଣି ଲକ୍ଷ ଲକ୍ଷ, ପଲପଲ। ଏମାନେ ଯେଉଁ ବାଟ ଦେଇ ଯାଉଛନ୍ତି ହେକ୍ଟର ହେକ୍ଟର ଫସଲ ଖାଇ ଧ୍ୱଂସ କରିଦେଇଛନ୍ତି।

ଜାତିସଂଘର ଫୁଡ ଆଣ୍ଡ ଏଗ୍ରିକଲ୍ଚର ଅର୍ଗାନାଇଜେସନ୍-ଫାଓର ଆକଳନ କହୁଛି, ବର୍ତ୍ତମାନ ପଶ୍ଚିମା ପବନ ବହୁଥିବାରୁ ସପ୍ତାହେ ଭିତରେ ଏହି ଫସଲ ଧ୍ୱଂସକାରୀ କୀଟ ଓଡ଼ିଶା ପଶିପାରନ୍ତି। ଏପରିକି ମଧ୍ୟପ୍ରଦେଶରୁ ଛତିଶଗଡ଼ ଡେଇଁ ଓଡ଼ିଶାକୁ ମାଡ଼ି ଆସିବାର ବି ସମ୍ଭାବନା ଦେଖାଦେଇଛି, ଯାହାକୁ ନେଇ ଆତଙ୍କିତ ଛତିଶଗଡ଼ ସୀମାନ୍ତ ଓଡ଼ିଶା ଚାଷୀ।

You might also like