ଏହି ରାଜ୍ୟର ୩ ସହରରେ ଲକ୍‌ଡାଉନ୍‌ ଘୋଷଣା, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ୍‌ ଓ କଲେଜ

ଭୋପାଳ: କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ଇନ୍ଦୋର, ଭୋପାଳ ଓ ଜବଲପୁରରେ ଦିନକ ପାଇଁ ଲକ୍‌ଡାଉନ୍ ଘୋଷଣା‌ କରଛନ୍ତି। ପ୍ରତି ରବିବାର ଏହି ୩ ସହରରେ ଲକ୍‌ଡାଉନ୍‌ କଟକଣା ଲାଗୁ ହେବ ବୋଲି ମଧ୍ୟପ୍ରଦେଶ ସରକାର ଘୋଷଣା କରିଛନ୍ତି।ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ।

ଏହି ୩ ସହରରେ ଥିବା ସ୍କୁଲ୍‌ ଓ କଲେଜ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ। ମଧ୍ୟପ୍ରଦେଶରେ କରୋନା ସ୍ଥିତିକୁ ନେଇ ଏକ ସମୀକ୍ଷା ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଲକ୍‌ଡାଉନ୍‌ କଟକଣାରୁ ଜରୁରୀ ସେବା ଓ ଶିଳ୍ପକୁ ବାଦ୍‌ ଦିଆଯାଇଛି।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଟ୍ୱିଟ୍‌ କରି କହିଛନ୍ତି, ଇନ୍ଦୋର, ଭୋପାଳ ଓ ଜବଲପୁରରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିପାଇଁ ରବିବାର ଅର୍ଥାତ୍‌ ଶନିବାର ରାତି ୧୦ରୁ ସୋମବାର ସକାଳ ୬ଟା ଯାଏ ଏହି ୩ ସହରରେ ଲକ୍‌ଡାଉନ୍‌ କଟକଣା ଲାଗୁ ହେବ। ଲୋକଙ୍କ ସହଯୋଗ ବିନା ଆମେ କରୋନାର ମୁକାବିଲା କରିପାରିବା ନାହିଁ। ତେଣୁ ଆପଣ ସମସ୍ତଙ୍କୁ ଅନୁରୋଧ, ଆପଣମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ତଥା କୋଭିଡ୍‌ ନିୟମ ପାଳନ କରନ୍ତୁ।

ଶନିବାର ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ମଧ୍ୟପ୍ରଦେଶରେ ୧,୩୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୭୧ ଜଣ ସୁସ୍ଥ ହୋଇଛନ୍ତି ଓ ୨ ଜଣଙ୍କ ମୃତ୍ୟୁ ଘଟିଛି।

You might also like