ଲକ୍ ଡାଉନ ଅବଧି ବୃଦ୍ଧି ପାଇଁ ଦାବି ବଢୁଛି

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଲକ୍ ଡାଉନ ଅବଧି ବୃଦ୍ଧି ପାଇଁ ଦାବି ହୋଇଛି ।ଏନେଇ କେନ୍ଦ୍ର ମନ୍ତ୍ରୀସ୍ତରୀୟ କମିଟି ଓ ବିଭିନ୍ନ ରାଜ୍ୟ ପକ୍ଷରୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି ।

ଅନେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବାକୁ ଲକ ଡାଉନ ଅବଧି ବୃଦ୍ଧି କରିବାକୁ ସେମାନେ ଦାବି କରିଛନ୍ତି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଏପ୍ରିଲ ୧୪ ପରେ ମଧ୍ୟ ଯଦି ଲକଡାଉନ ଅବଧି ବୃଦ୍ଧି ହୁଏ ତେବେ ଏହାକୁ ଜନସାଧାରଣ ସମର୍ଥନ କରିବାକୁ ଅପିଲ କରିଛନ୍ତି । ଲକଡାଉନ ବେଳେ ଲୋକମାନେ ଯେମିତି ସମର୍ଥନ ଦେଇଛନ୍ତି, ଏହାର ଅବଧି ବୃଦ୍ଧି ହେଲେ ସେମିତି ସମର୍ଥନ କରିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି ।

ତେଣୁ ଲକଡାଉନ ଅବଧି ବୃଦ୍ଧି ପାଇବା ନେଇ ଲୋକଙ୍କ ମଧ୍ୟରେ କଳ୍ପନାଜଳ୍ପନା ଦେଖାଦେଇଛି। ତେବେ ଲକଡାଉନ ବଢ଼ିବା ନେଇ ଏପର୍ଯ୍ୟନ୍ତ  କୌଣସି ପଦକ୍ଷେପ ନି‌ଆଯାଇ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ ଅଗ୍ରୱାଲ୍ ଗତକାଲି ପ୍ରେସମିଟରେ କହିଛନ୍ତି।

ଲକଡାଉନ୍ ବଢାଇବା ପାଇଁ ଯେଉଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଦନ ହୋଇଛି, ସେହି ରାଜ୍ୟ ଗୁଡ଼ିକର ସ୍ଥିତିକୁ ଯାଞ୍ଚ କରାଯାଉଛି। ହେଲେ ଏହାକୁ ବଢ଼ାଇବା ନେଇ କୌଣସି ନିଷ୍ପତ୍ତି ହୋଇନି। ଯଦି, କିଛି ନିଷ୍ପତ୍ତି ହୁଏ ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଜାରି ହେବ। ତାପୂର୍ବରୁ କୌଣସି ଗୁଜବକୁ ବିଶ୍ୱାସ କରିବାକୁ ମନା କରାଯାଇଛି। ଅନ୍ୟପକ୍ଷରେ ଇଣ୍ଡିଗୋ ପକ୍ଷରୁ ବିମାନ ସେବା ଏପ୍ରିଲ ୩୦ ପର୍ଯ୍ୟନ୍ତ ବାତିଲ କରି ଦିଆଯାଇଛି।

You might also like