ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ପରେ ମିଳିଲା ଏମିତି ଆଭାସ, ମେ’ ୧୭ ପରେ ବଢ଼ିପାରେ ଲକ୍‌ଡାଉନ୍‌ !

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି। ମେ’ ୧୭ରେ ଏହି ଲକ୍‌ଡାଉନ୍‌ ଅବଧି ସରିବ। ତେବେ ଦେଶରେ ପୁଣିଥରେ ଲକ୍‌ଡାଉନ୍‌ ଅବଧି ବଢ଼ିବ କି ? ନା ଏହାକୁ ହଟାଇ ଦିଆଯିବ ? ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଥିବାବେଳେ ସରକାରୀ ସ୍ତରରେ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ।

ଏସବୁ ଭିତରେ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିପାରନ୍ତି। ତେବେ ଅଧିକାଂଶ କଟକଣା କୋହଳ କରିବେ ବୋଲି ଅନୁମାନ କରାଯାଉଛି। ଯେଉଁ ଅଞ୍ଚଳ କରୋନାରେ ଅଧିକ ପ୍ରଭାବିତ ହୋଇନଥିବ ସେହି ଅଞ୍ଚଳରେ କଟକଣା କୋହଳ ହୋଇପାରେ ବୋଲି କୁହାଯାଉଛି । ରେଡ୍‌ ଜୋନ୍‌ରେ ରାତ୍ରୀ କାଳୀନ କର୍ଫ୍ୟୁ ଓ ପବ୍ଲିକ୍‌ ଟ୍ରାନ୍ସପୋର୍ଟରେ ଲାଗିଥିବା ପ୍ରତିବନ୍ଧକ ଜାରି ରହିପାରେ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ, ଲକ୍‌ଡାଉନ୍‌ ପରବର୍ତ୍ତୀ ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ଲୁ ପ୍ରିଣ୍ଟ ମାଗିଛନ୍ତି। ଲକ୍‌ଡାଉନ୍‌ ଉଠିବା ପରେ ଦେଖା ଦେବାକୁ ଥିବା ଚାଲେଞ୍ଜର ମୁକାବିଲା ଲାଗି ନିଜ ନିଜର ରଣନୀତି ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ। ଆସନ୍ତା ୧୫ ତାରିଖ ସୁଦ୍ଧା ଏହା ଦେବା ଲାଗି ଗତକାଲି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭି଼ଡିଓ କନଫରେନ୍ସିଂରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ଦେଶରେ କରୋନା ସ୍ଥିତି ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଗତକାଲି ଆଲୋଚନା କରିଥିଲେ। ତେବେ ଟ୍ରେନ୍, ବିମାନ ଚଳାଚଳକୁ ନେଇ କିଛି ରାଜ୍ୟ ବିରୋଧ କରିଥିବାବେଳେ ଲକ୍‌ଡାଉନ ବଢାଇବା ନେଇ ଦାବି କରାଯାଇଛି।

ମେ’ ୩୧ ତାରିଖ ଯାଏ ବିମାନ ଓ ରେଳ ସେବା ଆରମ୍ଭ ନ କରିବାକୁ ଅନୁରୋଧ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ। ସେହିପରି ତେଲେଙ୍ଗାନା ମୁଖ୍ୟମନ୍‌ରୀ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ କରାଯିବାକୁ ବିରୋଧ କରିଥିବା ଜଣାପଡିଛି। ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଲକଡାଉନ୍ ବଢାଇବା ସପକ୍ଷରେ ଯୁକ୍ତି ବାଢିଛନ୍ତି।

You might also like