ଅଣାୟତ୍ତ ହେଲା କରୋନା; ସହର ସମ୍ପୂର୍ଣ୍ଣ ଲକ୍‌ଡାଉନ

ଔରଙ୍ଗାବାଦ୍‌: ପୁଣି ଲେଉଟିଲା କରୋନା ! ମହାରାଷ୍ଟ୍ରରେ ଦିନକୁ ଦିନ ବେକାବୁ ହେଉଛି ଏହି ମହାମାରୀ। ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଔରଙ୍ଗାବାଦରେ ସମ୍ପୂର୍ଣ୍ଣ ଲକ୍‌ ଡାଉନ ଘୋଷଣା କରାଯାଇଛି। ଔରଙ୍ଗାବାଦ ଜିଲ୍ଲାରେ କରୋନା ସଂକ୍ରମଣ  ସଂଖ୍ୟା୫୭, ୭୫୫ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୫୫୬୯ ଆକ୍ଟିଭ କେସ ରହିଛି।

ଜଣେ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସହରରେ ସମ୍ପୂର୍ଣ୍ଣ ଲକ୍‌ ଡାଉନ ଘୋଷଣା କରାଯାଇଛି । ଶନିବାର ମଧ୍ୟ ରାତ୍ରରୁ ଏହା ଲାଗୁ କରାଯିବ। ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ରହିବ। ୬ଟା ପରଠାରୁ ହଟିବ ବୋଲି ପ୍ରଶାସନିକ ନିର୍ଦ୍ଦେଶ ରହିଛି। ମ୍ୟୁନିସିପାଲ କାଉନ୍‌ସିଲ ଏବଂ ନଗର ପଞ୍ଚାୟତ ସମେତ ଏହାର ସୀମାକୁ ଲାଗିଥିବା ୩ କିମି ଦୂରତା ପର୍ଯ୍ୟନ୍ତ ଲକ୍‌ଡାଉନ କରାଯିବ। ତେବେ ସରକାରୀ କାର୍ଯ୍ୟାଳୟ, ଡାକ୍ତରଖାନା, ମେଡିକାଲ ଷ୍ଟୋର ଏବଂ ଜରୁରୀକାଳୀନ ସେବାରେ ଲାଗିଥିବା ଯାନବାହନ ସ୍ୱାଭାବିକ ଭାବେ ଚାଲିବ।

ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ହୋମ ଡେଲିଭରି  ପାଇଁ ଅନୁମତି ମିଳିବ। କର୍ଫ୍ୟୁ ଉଲ୍ଲଘଂନ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜିଲ୍ଲାରେ ପୂଜାସ୍ଥଳ ମାର୍ଚ୍ଚ ୩୧ ପର୍ଯନ୍ତ ବନ୍ଦ ରହିବ।

ଏଠି କହିରଖିବୁ, ମହାରାଷ୍ଟ୍ରରେ ଶୁକ୍ରବାର ୧୫, ୮୧୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଲଗାତାର ତୃତୀୟ ଦିନ ପାଇଁ ଏହି ରାଜ୍ୟରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇ ରେକର୍ଡ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ସଂକ୍ରମଣ ମାମଲା ବୃଦ୍ଧି ପାଇ ୨୨, ୮୨, ୧୯୧ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୫୨, ୭୨୩ ରହିଛି।

ରାଜ୍ୟରେ ଗତବର୍ଷ ଅକ୍ଟୋବରରେ ଦୈନିକ ୧୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ଏହା ପରେ ଆକ୍ରାନ୍ତଙ୍କ ସଂଖ୍ୟା କମିବାକୁ ଲାଗିଥିଲା। ହେଲେ ଗତ ମାସରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗିଛି। ବୁଧବାର ଏବଂ ଗୁରୁବାର ରାଜ୍ୟରେ ଯଥାକ୍ରମେ ୧୩, ୬୫୯ ଏବଂ ୧୪଼, ୩୧୭ ନୂଆ ମାମଲା ସାମ୍ନାକୁ ଆସିଛି।

ଶୁକ୍ରବାର ଡାକ୍ତରଖାନାରୁ ୧୧, ୩୪୪ ରୋଗୀଙ୍କୁ ଛୁଟି ମିଳିଥିବାବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୨୧, ୧୭, ୭୪୪ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୧, ୧୦, ୪୮୫ ରୋଗୀ ଚିକିତ୍ସିତ ହେଉଛନ୍ତି। ରାଜ୍ୟର ପୁଣେ ସହରରୁ ସବୁଠାରୁ ଅଧିକ ରୋଗୀ ଠାବ ହୋଇଛନ୍ତି। ଏଠାରୁ ଗୋଟିଏ ଦିନରେ ୧, ୮୪୫ ରୋଗୀ ଚିହ୍ନଟ ହୋଇଥିବାବେଳେ ନାଗପୁରରୁ ୧, ୭୨୯ ଏବଂ ମୁମ୍ବାଇରୁ ୧, ୬୪୭ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।

You might also like