ଆଜିଠୁ ମାର୍ଚ୍ଚ ୨୧ ଯାଏ ଏହି ସହର ସମ୍ପୂର୍ଣ୍ଣ ଲକ୍‌ଡାଉନ୍

ନାଗପୁର: କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ନାଗପୁରରେ ଆଜିଠୁ ଲକ୍‌ଡାଉନ୍ କଟକଣା‌ ଲାଗୁ ହୋଇଛି। କଟକଣା ଲାଗୁ ହେବା ଫଳରେ ନାଗପୁର ସହରର ରାସ୍ତାଘାଟ ଖାଁ ଖାଁ ଲାଗୁଛି। ରାସ୍ତାରେ ହାତଗଣତି କେତୋଟି ଗାଡ଼ିମୋଟର ଚାଲୁଥିବା ଦେଖିବାକୁ ମିଳିଛି। ଜରୁରୀ ସେବା ଓ ଜରୁରୀ ସାମଗ୍ରୀ ଦୋକାନକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍ କଟକଣା ଜାରି ରହିବ। ବିନା କାରଣରେ ଲୋକଙ୍କୁ ଘର ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ଏହାସହ ଲକ୍‌ଡାଉନ୍‌ କଟକଣା ପାଳନ କରିବାକୁ କୁହାଯାଇଛି।

ସେପଟେ ଲାଟୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଛି। ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ରାତି ୮ଟାରୁ ସକାଳ ୫ଟା ଯାଏ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଛି।

ଗୋଟିଏପଟେ ନାଗପୁରରେ ଲକ୍‌ଡାଉନ୍‌ କଟକଣା ଲାଗୁ ହୋଇଥିବା ବେଳେ ଅନ୍ୟପଟେ ମହାରାଷ୍ଟ୍ରର ଅନ୍ୟ ଅଞ୍ଚଳରେ ପ୍ରବଳ ଗହଳି ଦେଖିବାକୁ ମିଳିଛି। ମୁମ୍ବାଇର ଦାଦର ମାର୍କେଟ୍‌ରେ ଲୋକମାନେ କୋଭିଡ୍ କଟକଣା ନ ମାନି ବିଭିନ୍ନ ସ୍ଥାନରେ ଭିଡ଼ ଲଗାଉଥିବା ଦେଖିବାକୁ ମିଳିଛି। କିଛି ଲୋକ ମାସ୍କ ପିନ୍ଧୁଥିବା ବେଳେ ଆଉ କିଛି ଲୋକ ବିନା ମାସ୍କରେ ବଜାରରେ ବୁଲୁଥିବା ଦେଖିବାକୁ ମିଳିଛି।

ଗତକାଲି ନାଗପୁରରେ ୧,୫୦୦ରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୁମ୍ବାଇ ସହରରେ ୧,୮୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଆଗକୁ ମହାରାଷ୍ଟ୍ରର ଅଧିକାଂଶ ସ୍ଥାନରେ ଲକ୍‌ଡାଉନ୍ ଲାଗୁ କରାଯାଇପାରେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ପୂର୍ବରୁ ସଙ୍କେତ ଦେଇସାରିଛନ୍ତି। କିଛିଦିନ ଭିତରେ ଏସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଉଦ୍ଧବ ଠାକ୍‌ରେ କହିଥିଲେ। ପାଖାପାଖି ମାସକ ଭିତରେ ମହାରାଷ୍ଟ୍ରରେ କରୋନା ମାମଲା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ରରେ ପ୍ରାୟ ଗୋଟିଏ ମାସ ହେଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଦେଶର ମୋଟ୍‌ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୬୦% ଲୋକ ମହାରାଷ୍ଟ୍ରରୁ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ ଚିନ୍ତା ବଢ଼ିଛି।

You might also like