ଜୁନ ୩୦ ଯାଏ ବଢ଼ିଲା ଲକ୍‌ଡାଉନ୍ ଅବଧି

ନୂଆଦିଲ୍ଲୀ: କଣ୍ଟେନମେଣ୍ଟ ଜୋନରେ ଜୁନ୍ ୩୦ ଯାଏଁ ବଢ଼ିଲା ଲକଡ଼ାଉନ୍ ଅବଧି। ତେବେ କଣ୍ଟେନମେଣ୍ଟ ଜୋନ୍ ବାହାରେ ପର୍ଯ୍ୟାୟ କ୍ରମେ କଟକଣା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏ ନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି ହୋଇଛି।

ଜୁନ୍ ୮ ତାରିଖରୁ ପ୍ରଥମ ପର୍ଯ୍ୟାୟରେ ଧାର୍ମିକ ସ୍ଥଳ, ପୂଜା ସ୍ଥଳୀ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ସେହିଭଳି ହୋଟେଲ, ରେସ୍ତୋରାଁ ଓ ଅନ୍ୟାନ୍ୟ ହସ୍ପିଟାଲିଟି ସେବା ଆରମ୍ଭ ହେବ। ସପିଙ୍ଗ୍ ମଲ ମଧ୍ୟ ଖୋଲିପାରିବ। ତେବେ ଏହିସବୁ ସେବା ଆରମ୍ଭ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ନିୟମାବାଳୀ ଜାରି କରାଯିବ।

ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଖୋଲିବ କି ନାହିଁ, ସେ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର, ଅଭିଭାବକ ଓ ଅନ୍ୟମାନଙ୍କ ସହ ଜୁଲାଇ ମାସରେ ଆଲୋଚନା କରି ନିଷ୍ପତ୍ତି ନେଇ ପାରିବେ। ତୃତୀୟ ପର୍ଯ୍ୟାୟରେ ଆନ୍ତର୍ଜାତିକ ବିମାନ ସେବା, ମେଟ୍ରୋ ଟ୍ରେନ୍, ସିନେମା ହଲ, ଜିମନାସିୟମ୍, ସ୍ବିମିଂ ପୁଲ, ଏଣ୍ଟରଟେନମେଣ୍ଟ, ବାର, ଅଡିଟୋରିୟମ ଆଦି ଖୋଲିବ।

କିନ୍ତୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ରହିବ। ଅତ୍ୟାବଶ୍ୟକ ତଥା ଜରୁରୀ ସେବାକୁ ଛାଡ଼ିଦେଲେ ଅନ୍ୟ ସବୁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବନ୍ଦ ରହିବ।

 

  • ପ୍ରଥମ ପର୍ଯ୍ୟାୟ: ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ 
  • ଦ୍ୱିତୀୟ ପର୍ଯ୍ୟାୟ: ଏପ୍ରିଲ ୧୫ରୁ ମେ ୩ 
  • ତୃତୀୟ ପର୍ଯ୍ୟାୟ: ମେ ୪ରୁ ମେ ୧୭
  • ଚତୁର୍ଥ ପର୍ଯ୍ୟାୟ:  ମେ ୧୮ରୁ  ମେ ୩୧
  • ପଞ୍ଚମ ପର୍ଯ୍ୟାୟ: ଜୁନ୍ ୧ରୁ ଜୁନ୍ ଜୁନ୍ ୩୦

ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ଯାଏ ଘୋଷଣା ହୋଇଥିଲା ପ୍ରଥମ ପର୍ଯ୍ୟାୟ ଲକଡାଉନ। ଏପ୍ରିଲ ୧୫ରୁ ମେ ୩ ଯାଏ ଘୋଷଣା ହୋଇଥିଲା ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍। ସେହିପରି ମେ ୪ରୁ ମେ ୧୭ ଯାଏଁ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଘୋଷଣା ହୋଇଥିଲା।

ତେବେ ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବା ସମୟରେ ଲକ୍‌ଡାଉନ୍ ୪.୦ର କଥା ଉଠାଇଥିଲେ, ଏହା ନୂଆ ରୂପରେ ଆସିବ ବୋଲି କହିଥିଲେ।

You might also like