ସଂକ୍ରମଣରେ କାବୁ ପାଇବାକୁ କଟକଣା : ଆଉ ସପ୍ତାହେ ବଢ଼ିଲା ଲକଡାଉନ୍‌

ନୂଆଦିଲ୍ଲୀ : ସପ୍ତାହେ ବଢ଼ିଲା ଲକଡାଉନ୍ । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜାତୀୟ ରାଜଧାନୀ ଦିଲ୍ଲୀରେ ଆଉ ସପ୍ତାହେ ପାଇଁ ଲକଡାଉନ୍ କଟକଣାକୁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେନ୍ଦ୍ରିୱାଲ ପ୍ରେସ କନଫରେନ୍ସ ଜରିଆରେ ଏନେଇ ସୂଚନା ଦେଇଛନ୍ତି । ୧୦ ମେରେ ଶେଷ ହେବାକୁ ଥିବା ଲକଡାଉନକୁ ବୃଦ୍ଧି କରାଯାଇ ୧୭ ମେ ସକାଳ ପର୍ଯ୍ୟନ୍ତ ଲାଗୁ କରାଯାଇଛି । ସଂକ୍ରମଣକୁ କାବୁ କରିବାକୁ ଚଳିତ ଥର ଲକଡାଉନ କଟକଣାକୁ ଅଧିକ କଡାକଡି କରାଯିବ । ଛକ ଛକରେ ବସିବେ ପୋଲିସ । ସୋମବାର ଠାରୁ ମେଟ୍ରୋ ସେବା ବନ୍ଦ ରହିଛି ।

ରାଜ୍ୟରେ ଲକଡାଉନ୍ ପ୍ରଭାବ ଦେଖିବାକୁ ମିଳିଛି । ୨୬ ଏପ୍ରିଲ ପରେ କରୋନା ସଂକ୍ରମଣ ମାମଲା ଧୀରେ ଧୀରେ କମିବାରେ ଲାଗିଛି । ବିଗତ ଦୁଇ ଦିନରେ ସଂକ୍ରମଣ ହା ୩୫ ପ୍ରତିଶତରୁ କମି କମି ୨୩ ପ୍ରତିଶତରେ ପହଞ୍ଚିଛି । ଏହା ରାଜ୍ୟ ପାଇଁ ଏକ ଶୁଭ ସଙ୍କେତ । ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ସମ୍ବଳକୁ ମଜବୁତ କରିବା ପାଇଁ ଲକଡାଉନ ସହାୟକ ହୋଇଛି ।

ତେବେ ଏସବୁ ଭିତରେ ଦିଲ୍ଲୀରେ ଅକ୍ସିଜେନ ସଙ୍କଟ ବଡ଼ ସମସ୍ୟା ରୂପେ ଉଭାହୋଇଥିବା କଥା କହିଛନ୍ତି ଦଲ୍ଲୀ ମୁଖ୍ୟମନ୍ତ୍ରୀ । ସାଧାରଣ ଦିନ ତୁଳନାରେ ଏବେ ଅନେକ ଗୁଣ ଅଧିକ ଅକ୍ସିଜେନର ଆବଶ୍ୟକତା ହେଉଛି । ବିଗତ କିଛି ଦିନରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାରଙ୍କ ସହଯୋଗ କ୍ରମେ ଦିଲ୍ଲୀରେ ଆଉ ଅକ୍ସିଜେନର ସମସ୍ୟା ନାହିଁ । ଅକ୍ସିଜେନ ସଙ୍କଟରେ ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି ।

ଏବେ ଦିଲ୍ଲୀରେ ୨୩ ପ୍ରତିଶତ ରହିଛି ସଂକ୍ରମଣ ହାର । ଲକଡାଉନ ବଢ଼ାଇବାର ସମୟ ଆସିଛି । କଟକଣା କୋହଳ କଲେ ପୁଣି ସଂକ୍ରମଣ ବୃଦ୍ଧି ପାଇବ । ଏତେ ଦିନର ସଂଯମତା ଭିତରେ ଯାହା ହୋଇପାରିଛି, ତା’ର କୌଣସି ମୂଲ୍ୟ ରହିବନି । ସର୍ବପ୍ରଥମେ ଆମକୁ ଜୀବନ ବଞ୍ଚାଇବାକୁ ପଡ଼ିବ । ଜୀବନ ବଞ୍ଚିଲେ ଭବିଷ୍ୟତ କଥା ଚିନ୍ତା କରିବା । ଆସନ୍ତାକାଲି ୫ଟାରୁ ଲକଡାଉନ୍ ଅବଧି ଶେଷ ହେବାର ଥିଲା । ହେଲେ ଏବେ ଏହାକୁ ବୃଦ୍ଧି କରି ମେ ୧୭ ସକାଳ ପର୍ଯ୍ୟନ୍ତ କରି ଦିଆଯାଇଛି ।

ସେପଟେ ଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷ ୩ ହଜାର ୭୩୮ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ମୃତ୍ୟୁ ସଂଖ୍ୟା ୪ ହଜାର ଅତିକ୍ରମ କରିଛି । ଦେଶରେ ଗୋଟିଏ ଦିନରେ ୪ ହଜାର ୯୨ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାପୂର୍ବରୁ ଶୁକ୍ରବାର ଦେଶରେ ପ୍ରଥମ ଥର ପାଇଁ ୪ ହଜାର ୨୩୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଫଳରେ ଏହି ସଂଖ୍ୟା ୨ ଲକ୍ଷ ୪୨ ହଜାର ୩୬୨କୁ ବୃଦ୍ଧି ପାଇଛି।

You might also like