କାମ ଦେଲା ଲକଡାଉନ୍‌: ରାଜଧାନୀରେ କମିଲା ସଂକ୍ରମଣ

କମୁଛି ସଂକ୍ରମଣ

  • ଲକଡାଉନ୍‌ ଯୋଗୁଁ ଦିଲ୍ଲୀରେ ଖସୁଛି କରୋନା ସଂକ୍ରମଣ ଗ୍ରାଫ୍
  • ଦିଲ୍ଲୀରେ ଦୈନିକ ସଂକ୍ରମଣ ୫ ହଜାର ତଳକୁ ଖସିଲା
  • ୨୪ ଘଣ୍ଟାରେ ଦିଲ୍ଲୀରେ ୪ ହଜାର ୫୨୪ ନୂଆ ମାମଲା
  • ଦୈନିକ ସଂକ୍ରମଣରେ ମାସକ ଭିତରେ ସର୍ବନିମ୍ନ
  • ସୁସ୍ଥ ହେଲେଣି ୧୩ ଲକ୍ଷ ସଂକ୍ରମିତ, ଆକ୍ଟିଭ୍‌ କେସ୍ ୫୬,୦୪୯

ନୂଆଦିଲ୍ଲୀ: ଲକଡାଉନ୍‌ କଟକଣା ଯୋଗୁଁ ରାଜଧାନୀ ଦିଲ୍ଲୀରେ ଖସୁଛି କରୋନା ସଂକ୍ରମଣ ଗ୍ରାଫ୍। ଦିଲ୍ଲୀରେ ଏବେ ଦୈନିକ ସଂକ୍ରମଣ ୫ ହଜାର ତଳକୁ ଖସିଆସିଛି। ଗତକାଲି ଦିଲ୍ଲୀରେ ୪ ହଜାର ୫୨୪ ନୂଆ ମାମଲା ସାମ୍ନାକୁ ଆସିଥିଲା। ମାସକ ଭିତରେ ଏହା ସର୍ବନିମ୍ନ ମାମଲା ଅଟେ। ସେହିପରି ଦିଲ୍ଲୀରେ ୨୪ ଘଣ୍ଟାରେ ୧୦ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି। ତେବେ ୨୪ ଘଣ୍ଟାରେ ଦିଲ୍ଲୀରେ ୩୪୦ ଜଣଙ୍କ ଜୀବନ ଯାଇଛି। ଏହାସହ ଆଶ୍ୱସ୍ତିକର ବିଷୟ ରାଜଧାନୀରେ ୧୩ ଲକ୍ଷରୁ ଅଧିକ ଲୋକେ ସୁସ୍ଥ ହୋଇସାରିଲେଣି। ଏବେ ଦିଲ୍ଲୀରେ ଆକ୍ଟିଭ୍‌ କେସ୍ ରହିଛି ୫୬ ହଜାର। ଲଗାତର ୪ ଦିନ ହେବ ଦିଲ୍ଲୀରେ ୧୦ ହଜାର ତଳେ ରହିଛି ଦୈନିକ ସଂକ୍ରମଣ।

ସେପଟେ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ମଧ୍ୟ ଖସୁଛି ଦୈନିକ ସଂକ୍ରମଣ ଗ୍ରାଫ୍। ମହାରାଷ୍ଟ୍ରରେ ଏବେ ଦୈନିକ ସଂକ୍ରମଣ ୨୬ ହଜାରକୁ ଖସି ଆସିଥିବା ବେଳେ କର୍ଣ୍ଣାଟକରେ ମଧ୍ୟ ୩୮ ହଜାରକୁ ଖସିଛି ଦୈନିକ ସଂକ୍ରମଣ। ଦେଶରେ ମଧ୍ୟ କରୋନା ସଂକ୍ରମଣ ଧୀରେଧରେ କମୁଛି। ଭାରତରେ ଦୈନିକ ସଂକ୍ରମଣ ଗ୍ରାଫ୍ ୩ ଲକ୍ଷ ତଳକୁ ଖସିଆସିଛି।

ତେବେ ଏଠାରେ କହିରଖୁଛୁ ଯେ, ଦୀର୍ଘଦିନ ପରେ ଦେଶରେ କମିଛି ସଂକ୍ରମଣ। ଗତକାଲି ୩ ଲକ୍ଷ ତଳେ ରହିଛି ସଂକ୍ରମିତଙ୍କ ସଂଖ୍ୟା। ଗତକାଲି ଦେଶରେ ୨ ଲକ୍ଷ ୮୧ ହଜାର ୩୮୬ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୯ ଲକ୍ଷ ୬୫ ହଜାର ୪୬୩ କୁ ବୃଦ୍ଧି ପାଇଛି। ଏହାସହ ଗତକାଲି ଦେଶରେ ୪୧୦୬ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ସାରା ଦେଶରେ ମୋଟ୍‌ କରୋନାଜନିତ ମୃତ୍ୟୁସଂଖ୍ୟା ୨,୭୪,୩୯୦କୁ ବୃଦ୍ଧି ପାଇଛି।

ସେପଟେ, ଦେଶକୁ ମିଳିଲା ଆଉ ଏକ କରୋନା ଔଷଧ । କରୋନା ଚିକିତ୍ସା କ୍ଷେତ୍ରରେ ଫଳପ୍ରଦ କୁହାଯାଉଥିବା ଆଣ୍ଟି କୋଭିଡ୍ ଔଷଧ ଟୁ-ଡିଜି ବା 2-Deoxy-D-glucoseର ପ୍ରଚଳନ କରାଯାଇଛି । ଦିଲ୍ଲୀର ଡିଆରଡିଓ ଭବନରେ ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏହାର ପ୍ରଚଳନ ଆରମ୍ଭ କରିଛନ୍ତି । ମଧ୍ୟମରୁ ଗୁରୁତର ଥିବା କରୋନା ରୋଗୀଙ୍କ କ୍ଷେତ୍ରରେ ଏହି 2-G ଔଷଧ ପ୍ରୟୋଗ  କରାଯିବ ।ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ପ୍ୟାକେଟ ମେଡିସିନ୍ ଛଡ଼ାଯାଇଛି । ଆଗାମୀ ସମୟରେ ଔଷଧର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉତ୍ପାଦନ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ଡିଆରଡିଓ ବୈଜ୍ଞାନିକ ମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି

You might also like