୧୬୦୦କି.ମି ଚାଲିଚାଲି ଆସିଲେ, ଘରେ ପହଞ୍ଚିବା ପୂର୍ବରୁ ଆଖି ବୁଜିଲେ

ଲକ୍ଷ୍ନୌ: ଲକ୍‌ଡାଉନ୍‌ ସମୟରେ ଜଣେ ଯୁବକ ମୁମ୍ୱାଇରୁ ୧୬୦୦ କିଲୋମିଟର ଦୂରରୁ ଚାଲି ଚାଲି ୟୁପିର ଶ୍ରାବସ୍ତି ଜିଲ୍ଲାରେ ପହଞ୍ଚିଥିଲେ। ସେଠାରୁ ସେ ତାଙ୍କ ଗାଁକୁ ମଧ୍ୟ ଯାଇଥିଲେ, କିନ୍ତୁ ପ୍ରଶାସନ କରୋନା ଭୟରେ ତାଙ୍କୁ ଗ୍ରାମର ଏକ ସ୍କୁଲ ଘରେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖିଥିଲା। କିନ୍ତୁ କ୍ୱାରେଣ୍ଟାଇନରେ ରହିବାର ୬ଘଣ୍ଟାପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଯୁବକ ହେଉଛନ୍ତି ଶ୍ରାବସ୍ତର ଜିଲ୍ଲାର ମାହ୍ଲିପୁର ଅଞ୍ଚଳର ମଠଖାନୱା ଗାଁର।

ଖବର ଅନୁଯାୟୀ, ସୋମବାର ଦିନ ସକାଳ ୭ ଟାରେ ମହାରାଷ୍ଟ୍ରର ମୁମ୍ବାଇ ଠାରୁ ୧୬୦୦ କିଲୋମିଟର ଦୂରରୁ ଚାଲିଚାଲି ଏହି ଯୁବକ ତାଙ୍କ ଗାଁରେ ପହଞ୍ଚିଥିଲେ। ପରେ ତାଙ୍କୁ ଗାଁର ଏକ ସ୍କୁଲ ଘରେ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା। ଦିନ ପ୍ରାୟ ୧ଟା ବେଳେ କଥାବାର୍ତ୍ତା କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

କ୍ୱାରେଣ୍ଟାଇନ ସେଣ୍ଟରରେ ଯୁବକଙ୍କ ମୃତ୍ୟୁ ଖବର ଗାଁରେ ଚାରିଆଡେ ବ୍ୟାପିଲା ପରେ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଖବର ପାଇ ସ୍ୱାସ୍ଥ୍ୟବିଭାଗ ଏବଂ ପୋଲିସ ବିଭାଗର ଉଚ୍ଚ ପଦାଧିକାରୀମାନେ ସେଠାରେ ପହଞ୍ଚିଥିଲେ। ପରେ ତାଙ୍କ ମୃତ ଦେହକୁ କରୋନା ପ୍ରୋଟୋକଲ ଅନୁଯାୟୀ ପୋଷ୍ଟମର୍ଟମ କରିବାପାଇଁ ପଠାଯାଇଥିଲା। ବ୍ୟକ୍ତି ଜଣଙ୍କର ମୃତର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏନେଇ ପୋଲିସ ଓ ସ୍ୱସ୍ଥ୍ୟବିଭାଗ ଘଟଣାର ତଦନ୍ତ କରୁଥିବାର ଜଣାପଡିଛି।

ପରେ ମୃତଦେହ ନିକଟରେ ପହଞ୍ଚିଥିବା ପରିବାର ସଦସ୍ୟଙ୍କୁ ମଧ୍ୟ ଉକ୍ତ ବିଦ୍ୟାଳୟରେ କ୍ୱାରଣ୍ଟାଇନ୍‌ରେ ରଖାଯାଇଥିଲା। ମୃତକଙ୍କ ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ଯେହେତୁ ସେ ଏତେ ଦୂରରୂ ଚାଲିଚାଲି ଆସିଥିଲେ, ତାଙ୍କ ଶରୀର ବହୁତ କ୍ଲାନ୍ତ ହୋଇପଡିଥିଲା।

ଏନେଇ ଶ୍ରାବସ୍ତିର ସିଏମ୍‌ଓପି ଭାର୍ଗବ କହିଛନ୍ତି ଯେ, ବର୍ତ୍ତମାନ ଘଟଣାଟିର ବିଷୟରେ କିଛି କୁହାଯାଇପାରିବ ନାହିଁ। କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟଭାବେ ଜଣାପଡିନାହିଁ। ଘଟଣାର ତଦନ୍ତ ଜାରି ରହିଛି।

You might also like