ଲକ୍‌ଡାଉନ୍‌ ୫.୦: କଟକଣା ମୁକ୍ତ ହେଲା ଅନ୍ତଃରାଜ୍ୟ ମାଲ୍ ପରିବହନ ଓ ଲୋକଙ୍କ ଯା’ଆସ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଜୁନ୍‌ ୩୦ ଯାଏ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇ ଥିବାବେଳେ ତିନିଟି ପର୍ଯ୍ୟାୟରେ ଲକ୍‌ଡାଉନ୍‌ କଟକଣା ହଟିବ। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡ୍‌ଲାଇନ୍ସ ଜାରି ହୋଇଛି।  ନୂଆ ଗାଇଡଲାଇନ୍ସ ଅନୁସାରେ, କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ଜୁନ୍ ୩୦ ଯା‌ଏ ଲକ୍‌ଡାଉନ୍‌ କଟକଣା ବଳବତ୍ତର ରହିଛି। ତେବେ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ବାହାରେ ପର୍ଯ୍ୟାୟକ୍ରମେ କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର।

କଣ୍ଟେନ୍‌ମେଣ୍ଟ୍ ଜୋନ୍ ବାହାରେ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍ କଟକଣା ପ୍ରତ୍ୟାହାର ସହ କେଉଁ କେଉଁ କାର୍ଯ୍ୟକଳାପକୁ ଅନୁମତି ମିଳିବ ସେ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଅନ୍‌ଲକ୍‌ ଓ୍ୱାନ୍ ଜାରି ହୋଇଛି।  ରାଜ୍ୟ ସରକାରମାନଙ୍କ ସହ ବିସ୍ତୃତ ଆଲୋଚନା ପରେ ଏ ନେଇ ସାନି ନିର୍ଦ୍ଦେଶନାମା ଜାରି ହୋଇଛି।

ଅନ୍ୟପକ୍ଷରେ ଆସନ୍ତା କାଲିଠୁ ଅର୍ଥାତ୍ ଜୁନ୍ ପହିଲାରୁ ଦେଶ ଭିତରେ ଲୋକଙ୍କ ଯା’ଆସ କଟକଣା ମୁକ୍ତ ହୋଇଛି। ରାଜ୍ୟ ଓ ରାଜ୍ୟ ବାହାରେ ଯାତାୟତ ଓ ମାଲ୍‌ ପରିବହନ ମୁକ୍ତ ଭାବେ ହୋଇପାରିବ। ଏଥିପାଇଁ ଆଉ କୌଣସି ଅନୁମତିର ଆବଶ୍ୟକତା ନାହିଁ। ତେବେ ରାତ୍ରୀକାଳୀନ କର୍ଫ୍ୟୁକୁ ବଳବତ୍ତର ରଖାଯାଇଛି। ଏଣିକି ରାତି ୯ରୁ ସକାଳ ୫ ଯାଏ କର୍ଫ୍ୟୁ ଲାଗୁ ହେବ।

ସେହିପରି ସାମାଜିକ ଦୂରତା ନିଶ୍ଚିତ କରିବାକୁ ଦେଶବ୍ୟାପୀ କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ୍ସକୁ କାର୍ଯ୍ୟକାରୀ କରାଯିବ। ଆବଶ୍ୟକତାକୁ ଦୃଷ୍ଟିରେ ରଖି କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ବାହାରେ କଟକଣା ଯୋଡ଼ିବା କିମ୍ବା କୋହଳ କରିବା ଏବଂ ଜୁଲାଇରୁ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ।

ସର୍ବସାଧାରଣ ସ୍ଥାନ, କାର୍ଯ୍ୟସ୍ଥଳ, ଗାଡ଼ିରେ ଯିବାବେଳେ ମାସ୍କ ପିନ୍ଧିବା, ସର୍ବସାଧାରଣ ସ୍ଥାନରେ ସର୍ବନିମ୍ନ ୬ ଫୁଟ ସାମାଜିକ ଦୂରତ୍ୱ ଜରୁରୀ। ଏକାଠି ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି।

You might also like