ମୋଦିଙ୍କୁ ଭେଟିଲେ ଶାହ: ଲକ୍ଡାଉନ୍ ୫.୦ ନେଇ ଆଲୋଚନା
ନୂଆଦିଲ୍ଲୀ: ମେ ୩୧ରେ ଶେଷ ହେବ ଲକ୍ଡାଉନ୍୪.୦ ଅବଧି। ଏହାପର କାର୍ଯ୍ୟପନ୍ଥା କଣ ହେବ ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଲକ୍ଡାଉନ୍ ୫.୦ ନେଇ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ସାକ୍ଷାତ କରିଛନ୍ତି ଶାହ। ଉଭୟଙ୍କ ନେତାଙ୍କ ମଧ୍ୟରେ ୧୧.୪୫ ବୈଠକ ଆରମ୍ଭ ହୋଇଥିବା ସୂଚନା ମିଳିଛି।
ମେ ୩୧ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଅବଧି ସରୁଥିବାରୁ ଲକ୍ଡାଉନ୍ ଆହୁରି ବଢ଼ାଇବା ପାଇଁ ଆଲୋଚନା ହୋଇପାରେ ବୋଲି ଖବର ଶୁଣିବାକୁ ମିଳୁଛି। ଏନେଇ ଗତକାଲି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍ରେ କଥା ହୋଇ ପରାମର୍ଶ ଲୋଡ଼ିଥିଲେ ଗୃହମନ୍ତ୍ରୀ ଅମିତ ଶାହ। ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକ୍ଡାଉନ୍ ବଢ଼ାଇବା ସପକ୍ଷରେ ମତ ଦେଇଥିବା ଶୁଣିବାକୁ ମିଳୁଛି।
ଏ ନେଇ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଶୁକ୍ରବାର ସୂଚନା ଦେଇଥିଲେ। ସେ କହିଥିଲେ, “ମୁଁ ଫୋନ୍ ଯୋଗେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ କଥା ହୋଇଛି। ମୁଁ ଭାବୁଛି ଆଉ ୧୫ ଦିନ ଲକ୍ଡାଉନ୍ ବୃଦ୍ଧି ହେବା ଉଚିତ୍। ଯଦି ଲକ୍ଡାଉନ୍ ବୃଦ୍ଧି ହୁଏ ତେବେ କିଛି କ୍ଷେତ୍ରରେ ଆମେ କଟକଣା କୋହଳ କରିବା ଦାବି କରିଛୁ। ୫୦% ସହିତ ରେଷ୍ଟୁରାଣ୍ଟ ଖୋଲିବା ଦରକାର। ସେହିପରି ଅନେକ ଲୋକ ଜିମ୍ ସେଣ୍ଟର ଖୋଲିବାକୁ ଚାହୁଁଛନ୍ତି। ସର୍ବୋପରି ଦେଶରେ କରୋନା ମହାମାରୀ ବଢ଼ୁଥିବାରୁ ଲକ୍ଡାଉନ୍ ୧୫ ଦିନ ନିହାତି ବଢ଼ିବା ଦରକାର।” ବୋଲି ପ୍ରମୋଦ କହିଥିଲେ।
ଦେଶରେ ଲକ୍ଡାଉନ୍ ପରେ ଲକ୍ଡାଉନ୍ ଜାରି ହେଉଥିଲେ ବି କରୋନା ମହାମାରୀ ସଂକ୍ରମଣ ଥମିବାରୁ ନାଁ ନେଉନାହିଁ। ବର୍ତ୍ତମାନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧.ଲକ୍ଷ ୬୫ ହଜାର ଥିବା ବେଳେ ମୃତ୍ୟୁ ସଂଖ୍ୟା ୪,୭୦୦ରେ ପହଞ୍ଚିଛି।
ପ୍ରକାଶ ଥାଉକି, ଲକ୍ଡାଉନ୍ ୫.୦ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଘୋଷଣା କରିବା ନେଇ ପୂର୍ବରୁ ଖବର ରହିଥିଲା।