ଲକ୍‌ଡାଉନ୍‌ ଅବଧି ବୃଦ୍ଧି ପାଇଁ ନିବେଦନ କଲେ ଏସବୁ ରାଜ୍ୟ

ବେଙ୍ଗାଲୁରୁ: ୧୪ ତାରିଖ ପରେ ଦେଶରେ ଲାଗୁ ହୋଇଥିବା ଲକଡାଉନ ଆହୁରି ବଢିପାରେ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି  ଗୋଟିଏ ପରେ ଗୋଟିଏ ରାଜ୍ୟ ଲକଡାଉନ ବୃଦ୍ଧି କରିବା ସପକ୍ଷରେ ମତ ଦେବା ଆରମ୍ଭ କରିଛନ୍ତି।

ପ୍ରଥମେ ତେଲେଙ୍ଗାନା ସରକାର ଲକଡାଉନକୁ ଆଉ କିଛି ଦିନ ବୃଦ୍ଧି କରିବାକୁ ନିବେଦନ କରିଥିଲେ। ଏବେ କର୍ଣ୍ଣାଟକ ସରକାର ମଧ୍ୟ ଲକଡାଉନ ଅବଧିକୁ ଆଉ ୨ ସପ୍ତାହ ବୃଦ୍ଧି କରିବା ସପକ୍ଷରେ ମତ ଦେଇଛନ୍ତି। ମେଡିକାଲ ଏଡୁକେସନ ମିନିଷ୍ଟର ସୁଧାକର କେ କହିଛନ୍ତି, “ଲକଡାଉନ ଉଠିବ କି ନାହିଁ, ସେ ବିଷୟରେ ଏବେଠାରୁ କହିବା ଭୁଲ ହେବ। ଆମକୁ ଆଉ କିଛି ଦିନ ସ୍ଥିତି ଉପରେ ନଜର ରଖିବାକୁ ପଡ଼ିବ।

ଲକଡାଉନ ପ୍ରତ୍ୟାହାର ନିଷ୍ପତ୍ତି କୋଭିଡ୍‌-୧୯ ସ୍ଥିତି ଉପରେ ନିର୍ଭର କରୁଛି। ସେହିପରି ଲକଡାଉନ ଉଠିଲେ ବି ଏକକାଳୀନ ଏହା କାର୍ଯ୍ୟକାରୀ ହେବନି। ବରଂ ପର୍ଯ୍ୟାୟକ୍ରମେ ସ୍ଥିତିକୁ ଦେଖି କେଉଁଠୁ କେତେବେଳେ କଟକଣା ହଟାଯିବ, ତା’ର ବିଚାର କରାଯିବ। ତଥାପି ଯେଉଁ ଅଞ୍ଚଳଗୁଡ଼ିକ ରେର୍ଡ ଆଲର୍ଟରେ ଅଛି ବା ଯେଉଁ ସବୁ ଅଞ୍ଚଳକୁ କରୋନାର ହଟସ୍ପଟ କୁହାଯାଉଛି, ସେଠାରେ ଏବେ ଲକଡାଉନ ପ୍ରତ୍ୟାହାର କରାଯିବା ଠିକ ହେବ ନାହିଁ।

ଏସବୁ ସ୍ଥାନରେ ଆଉ ୨ ସପ୍ତାହ ଲକଡାଉନକୁ କାର୍ଯ୍ୟ କରାଯିବା ଦରକାର। ଏ ସମ୍ପର୍କରେ ମୁଁ କେନ୍ଦ୍ରକୁ ଅନୁରୋଧ କରିବି। ଅତିକମରେ ଚଳିତ ମାସ ଶେଷ ଯାଏ ଲକଡାଉନ କାର୍ଯ୍ୟକାରୀ ହେବା ଉଚିତ।”

କୋଭିଡ୍-୧୯କୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୫ରୁ ୨୧ ଦିନ ପାଇଁ ସାରା ଦେଶରେ ଲକଡାଉନ ଜାରି କରାଯାଇଛି। ଆସନ୍ତା ୧୪ ତାରିଖ ରାତି ୧୨ଟାରେ ଏହାର ଅବଧି ଶେଷ ହେଉଛି।

You might also like