ଆମେରିକା ଓ ଚୀନ ମଧ୍ୟରେ ଆହୁରି ବିଗିଡ଼ିଲା ସଂପର୍କ
ୱାଶିଂଟନ: ଆମେରିକା ଓ ଚୀନ ମଧ୍ୟରେ ସଂପର୍କ ଅଧିକରୁ ଅଧିକ ତିକ୍ତ ହେବାରେ ଲାଗିଛି। ହଷ୍ଟନରେ ଥିବା ବାଣିଜ୍ୟିକ ଦୂତାବାସକୁ ୭୨ ଘଣ୍ଟା ଭିତରେ ବନ୍ଦ କରିବା ଲାଗି ଚୀନ୍କୁ ନିର୍ଦ୍ଦେଶ ଦେଇଛି ଆମେରିକା। ଚୀନ୍ର ବାଣିଜ୍ୟିକ ଦୂତାବାସରେ ଅନ୍ଧାରରେ କିଛି କାଗଜପତ୍ର ଜଳାଇ ଦିଆଯାଉଥିବା ଏବଂ ପୁଣି ପାଣି ଢାଳି ନିଆଁ ଲିଭାଯାଉଥିବା ଘଟଣା ପ୍ରଚାର ହୋଇଥିଲା।
ସ୍ଥାନୀୟ ପୋଲିସ କର୍ମଚାରୀ ଏସମ୍ପର୍କରେ ଖବର ପାଇବା ପରେ ଦୂତାବାସ ପରିସରରେ ପଶିବାକୁ ଚାହିଁଥିଲେ। ତେବେ ଏଥିପାଇଁ ସେମାନଙ୍କୁ ଅନୁମତି ଦିଆଯାଇନଥିଲା। ଏହାପରେ ଟ୍ରଂପ୍ ସରକାର ପ୍ରତିକ୍ରିୟାଶୀଳ ହୋଇ ଅଚାନକ ଏଭଳି ନିର୍ଦ୍ଦେଶ ଦେଇଥିବା କୁହାଯାଉଛି।
ଅନ୍ୟପକ୍ଷରେ ଚୀନ ବୈଦେଶିକ ମନ୍ତ୍ରାଳୟ ଏନେଇ ପ୍ରତିକ୍ରିୟା ରଖି କହିଛି, ଆମେରିକା ଏହି ଭୁଲ୍ ନିଷ୍ପତ୍ତିକୁ ଫେରାଇ ନନେଲେ ଚୀନ ଏହା ବିରୋଧରେ ଉଚିତ ପଦକ୍ଷେପ ନେବ। ଆମେରିକା ପକ୍ଷରୁ ଏକପାଖିଆ ନିଷ୍ପତ୍ତି ଅନ୍ତର୍ଜାତୀୟ ଆଇନ ଏବଂ ଦ୍ୱିପାକ୍ଷିକ ବାଣିଜ୍ୟିକ ଚୁକ୍ତିର ଉଲ୍ଲଂଘନ ବୋଲି ଚୀନ କହିଛି।