ତୀବ୍ର ବେଗରେ ମାଡ଼ୁଛି ବ୍ଲାକ୍ ଫଙ୍ଗସ୍ : ଦେଶରେ ଏବେ ସୁଦ୍ଧା ୭୨୫୧ ରୋଗୀ ଚିହ୍ନଟ, ୨୧୯ ମୃତ

ନୂଆଦିଲ୍ଲୀ : ଦେଶ କରୋନା ମହାମାରୀର ଦ୍ୱିତୀୟ ଲହରୀର ଭୟାବହତା ମଧ୍ୟରେ ଆତଙ୍କ ସୃଷ୍ଟି କଲାଣି ବ୍ଲାକ୍ ଫଙ୍ଗସ୍ । କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ ସାମାନ୍ୟ ଥମିଥିବା ବେଳେ ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ସାଜିଛି ମ୍ୟୁକରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ । ଦେଶର ବିଭିନ୍ନ ସ୍ଥାନରେ ମୋଟ ୭୨୫୧ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା ବେଳେ ଏଥିରେ ୨୧୯ ଲୋକ ପ୍ରାଣ ହରାଇ ସାରିଲେଣି । ଏହାକୁ ଦୃଷ୍ଟିରେ ରଖି ମହାମାରୀ ଅଧିନୟମ ୧୯୮୭ ଅନୁସାରେ ବ୍ଲାକ୍ ପଙ୍ଗସକୁ ମହାମାରୀ ଘୋଷଣା କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ କହିଛନ୍ତି କେନ୍ଦ୍ର ସରକାର ।

ଏହାରି ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜ୍ୟର ତିନୋଟି ହସ୍ପିଟାଲ ଯଥା, ଲୋକମାନ୍ୟକ, ଜିଟିବି ଓ ରାଜୀବ ଗାନ୍ଧୀ ହସ୍ପିଟାଲରେ ବ୍ଲାକ୍ ଫଙ୍ଗସ୍ ପାଇଁ ସମର୍ପିତ କେନ୍ଦ୍ର ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପୂର୍ବରୁ ରାଜସ୍ଥାନ ସରକାର ବ୍ଲାକ ଫଙ୍ଗସକୁ ମହମାରୀ ଘୋଷଣା କରିସାରିଛନ୍ତି । ଏଥିସହ ଦେଶର ଅନେକ ରାଜ୍ୟ ଏବେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ପାଇଁ ସତର୍କ ଅଛନ୍ତି ।

ବ୍ଲାକ୍ ଫଙ୍ଗସରେ ୧୦ ଅଧିକ ପ୍ରଭାବିତ ରାଜ୍ୟ ଗୁଡିକର ତାଲିକା :

– ମହାରାଷ୍ଟ୍ର: ରାଜ୍ୟରେ ୧,୫୦୦ ବ୍ଲାକ୍ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ବେଳେ ୯୦ ଜଣ ପ୍ରାଣ ହରାଇଛନ୍ତି ।

– ଗୁଜୁରାଟ: ୧,୧୬୩ ଟି ମୁକାରାମିକୋସିସ୍ ମାମଲା ଚିହ୍ନଟ ହୋଇଥିବା ବେଳେ ୬୧ ଜଣଙ୍କର ମୃତ୍ୟୁ ହୋଇଛି ।

– ମଧ୍ୟପ୍ରଦେଶ: ରାଜ୍ୟରେ ୫୭୫ ବ୍ଲାକ୍ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ବେଳେ ୩୧ ଜଣଙ୍କର ମୃତ୍ୟୁ ଘଟିଛି ।

– ହରିୟାଣା: ହରିୟାଣାରେ ୨୬୮ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ଆଠ ଜଣ ପ୍ରାଣ ହରାଇଛନ୍ତି ।

– ଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ୨୦୩ ଜଣ ମୁକାରାମିକୋସିସ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ଜଣେ ଏହି ରୋଗରେ ପ୍ରାଣ ହରାଇଛନ୍ତି ।

– ଉତ୍ତରପ୍ରଦେଶ : ସେହିପରି ଉତ୍ତରପ୍ରଦେଶରେ ମ୍ୟୁକରମାଇକୋସିସରେ ୧୬୯ ଜଣ ପୀଡିତ ଥିବାବେଳେ ୮ ଜଣ ପ୍ରାଣ ହରାଇଛନ୍ତି ।

– ବିହାର : ଏବେ ସୁଦ୍ଧା ୧୦୩ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ପ୍ରାଣହାନୀ ହୋଇଛି ।

– ଛତିଶଗଡ଼ : ଛତିଶଗଡରେ ମ୍ୟୁକରମାଇକୋସିସରେ ୧୦୧ ଜଣ ପୀଡିତ ଅଛନ୍ତି ଏବଂ ଜଣଙ୍କର ଜୀବନ ଯାଇଛି ।

– କର୍ଣ୍ଣାଟକ : ୯୭ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏହି ରୋଗରେ ଏବେ ସୁଦ୍ଧା କେହି ପ୍ରାଣ ହରାଇ ନାହାନ୍ତି ।

– ତେଲେଙ୍ଗାନା : ଏଠାରେ ୯୦ ଜଣ ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କର ଜୀବନ ଯାଇଛି ।

You might also like