ହୋଟେଲ୍ରେ ଭିତରେ ସିଂହ, ଭିଡିଓ ଭାଇରାଲ୍
ଗାନ୍ଧିନଗର: ହୋଟେଲ୍ରେ ବୁଲୁଛି ସିଂହ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଗୁଜରାଟ ଜୁନାଗଡ଼ ନିକଟରେ ଥିବା ଏକ ହୋଟେଲ୍ ଭିତରେ ସିଂହ ବୁଲୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ବେଫିକର୍ ଭାବେ ସିଂହଟି ହୋଟେଲ୍ ଭିତରେ ବୁଲି, ସେଠାରୁ ଫେରି ଯାଉଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି। ସୌଭାଗ୍ୟବଶତଃ, ସିଂହ ହାବୁଡ଼ରେ କୌଣସି ଲୋକେ ପଡ଼ିନଥିଲେ।
ଗତ ୮ ତାରିଖ ଭୋର୍ ୫ଟାରେ ଜୁନାଗଡ଼ ନିକଟରେ ଥିବା ଏକ ହୋଟେଲ୍ ଭିତରକୁ ସିଂହଟି ପଶିଥିଲା। ସିଂହଟି ପ୍ରଥମେ ହୋଟେଲ୍ର ମେନ୍ ଗେଟ୍ ଡେଇଁ ଭିତରକୁ ପଶିଥିଲା। ଗୋଟିଏ ଲମ୍ଫରେ ସିଂହଟି ମୁଖ୍ୟ ଫାଟକ ଟପି ଯାଇଥିଲା। ସେଠାରେ ଉପସ୍ଥିତ ଥିବା ସିକ୍ୟୁରିଟି ଗାର୍ଡ ପ୍ରଥମେ ହଠାତ୍ କିଛି ଜାଣିପାରିନଥିଲେ। ପରେ ସତର୍କ ହୋଇ ଏଣେ ତେଣେ ଅନାଇଥିଲେ ହେଲେ ସେତେବେଳକୁ ସିଂହଟି ହୋଟେଲ୍ ପରିସରରେ ପ୍ରବେଶ କରି ସାରିଥିଲା।
ସିଂହଟି କେତେବେଳେ ହୋଟେଲ୍ର ଏଣ୍ଟ୍ରାନ୍ସରେ ତ ଆଉ କେତେବେଳେ ପାର୍କିଂ ଲଟ୍ରେ ବୁଲୁଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପରେ ସିଂହଟି ପୁଣି ଗେଟ୍ ଡେଇଁ ପଳାଇ ଯାଇଥିଲା। ସୌଭାଗ୍ୟବଶତଃ, ଏହି ସମୟରେ କୌଣସି ବ୍ୟକ୍ତି ସିଂହ ହାବୁଡ଼ରେ ପଡ଼ି ନଥିଲେ। ହୋଟେଲ୍ଟି ଗିର୍ ଅଭୟାରଣ୍ୟ ନିକଟବର୍ତ୍ତୀ ଅଞ୍ଚଳରେ ଥିବାରୁ, ସେଠାରେ ସିଂହ ଦେଖାଯିବା ଏକପ୍ରକାର ସାଧାରଣ କଥା ପାଲଟି ଗଲାଣି।