ଗୁଲାମ ନବୀ ଆଜାଦ୍ ଛାଡ଼ିବେ ମାଗଣା ସରକାରୀ ଘର

ଶ୍ରୀନଗର: ଜମ୍ମୁ-କାଶ୍ମୀର ନେତାଙ୍କ ମାଗଣା ସରକାରୀ ସେବା ଏବେ ହାତରୁ ଗଲା। କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ ଦୀର୍ଘ ବର୍ଷ ହେଲାଣି ମାଗଣାରେ ଉପଭୋଗ କରୁଥିବା ସରକାରୀ ଗେଷ୍ଟ ହାଉସ୍‌କୁ ବାଧ୍ୟ ହୋଇ ଖାଲି କରିଛନ୍ତି। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପୂର୍ବରୁ ଜମ୍ମୁ-କାଶ୍ମୀରର ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସାରା ଜୀବନ ଏଭଳି ସରକାରୀ ବାସଭବନ ଉପଭୋଗ କରିବାର ନିୟମ ରହିଥିଲା। ହେଲେ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବାରୁ ଏବେ ଗୁଲାମ ନବୀ ଆଜାଦ ବାଧ୍ୟ ହୋଇ ଭିଭିଆଇ ଜୋନରେ ଥିବା ଅତ୍ୟାଧୁନିକ ଗେଷ୍ଟ ହାଉସ ଖାଲି କରିଛନ୍ତି।

ନଭେମ୍ବର ୧ ସୁଦ୍ଧା ଅନ୍ୟ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ନିଜର ସରକାରୀ ବାସଭବନ ଖାଲି କରିବେ। କାରଣ ନଭେମ୍ବର ୧ରୁ ହିଁ ଜମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଣିତ ହେବ।

ଆଜାଦ ୨୦୦୫ ଜୁଲାଇ ମାସରୁ ୨୦୦୮ ଜୁଲାଇ ଯାଏ ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ରହିଥିଲେ। ଏହି ସମୟରେ ସେ ଗୁପକାର ରୋଡର ଜେଥିୟାର ଠାରେ ଥିବା ଜମ୍ମୁ-କାଶ୍ମୀର ବ୍ୟାଙ୍କ ଗେଷ୍ଟ ହାଉସ୍‌ରେ ରହୁଥିଲେ। ସେବେଠାରୁ ସେ ଏହି ଠାରେ ହିଁ ସରକାରୀ ସୁବିଧାସୁଯୋଗ ଉପଭୋଗ କରି ରହି ଆସୁଥିଲେ। ହେଲେ ଏବେ ସେ ଘର ଖାଲି କରିଛନ୍ତି।

ଅଗଷ୍ଟ ୫ରୁ ଗୃହବନ୍ଦୀ ହୋଇ ରହିଥିବା ଜମ୍ମୁ-କାଶ୍ମୀରର ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଫାରୁକ ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କ ନାଁରେ ଗୁକାର ରୋଡରେ ସରକାରୀ ବାସଭବନ ରହିଛି। ସେମାନେ ମଧ୍ୟ ଖୁବ୍‌ଶୀଘ୍ର ଘର ଖାଲି କରିବେ ବୋଲି ଜଣାପଡ଼ିଛି।

ଜମ୍ମୁ-କାଶ୍ମୀର ବିଧାନସଭା ମେମ୍ବର୍ସ ପେନସନ ଆଇନ୍‌ ୧୯୮୪  ଉପତ୍ୟକାର ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସାରା ଜୀବନ ସରକାରୀ ସମ୍ପତ୍ତି ଉପଭୋଗ କରିବାର ଅଧିକାର ପ୍ରଦାନ କରିଥିଲା। ହେଲେ ଧାରା ୩୭୦ ଉଠିବା ପରେ ଏହି ନିୟମ ମଧ୍ୟ ଉଚ୍ଛେଦ ହୋଇଛି।

You might also like