ଜଣାପଡ଼ିଲା ରହସ୍ୟମୟ ରୋଗର କାରଣ; ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ୫୫୦
ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ଏଲୁରୁରେ ଦେଖା ଦେଇଥିବା ରହସ୍ୟମୟ ରୋଗ (Mystery Disease) ସମସ୍ତଙ୍କ ନିଦ ହଜାଇ ଦେଇଛି। କାହିଁକି ହେଉଛି ଏହି ରୋଗ ? କ’ଣ ଏହାର କାରଣ ଏ ନେଇ ଚିକିତ୍ସା ବିଜ୍ଞାନୀଙ୍କ ଚିନ୍ତା ବଢି ଯାଇଥିଲା। ଏବେ ରୋଗର କାରଣ ଜଣା ପଡ଼ିଛି। ହେଲେ ଏହି କାରଣ ଚିକିତ୍ସକଙ୍କ ଚିନ୍ତା ଆହୁରି ବଢାଇ ଦେଇଛି।
ସୂଚନା ଥାଉ କି, ଏହି ରୋଗ ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଳ୫୫୦ ଜଣ ଆକ୍ରାନ୍ତ ହୋଇଛନ୍ତି। ରୋଗର କାରଣ ଜାଣିବା ପାଇଁ ଦିଲ୍ଲୀ ଏମ୍ସ ଡାକ୍ତରୀ ଟିମ୍ ଲାଗିଛନ୍ତି। ଏବେ ଏହି ରୋଗର କାରଣକୁ ନେଇ ଏକ ବଡ଼ ଖୁଲାସା ହୋଇଛି। ଡାକ୍ତରୀ ଟିମ୍ ରୋଗୀଙ୍କ ରକ୍ତ ପରୀକ୍ଷା କରିଥିଲେ। ପରୀକ୍ଷାରୁ ଅତି କମ୍ରେ ୧୦ ଜଣ ରୋଗୀଙ୍କ ରକ୍ତରେ ଶିଶା (Lead)ର କଣିକା ମିଳିଛି।
ଦିଲ୍ଲୀ ଏମ୍ସ ଡାକ୍ତରଙ୍କ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଏଲୁରୁରେ ଶନିବାରଠାରୁ ବର୍ତ୍ତମାନ ସୁଦ୍ଧା ଅତି କମ୍ରେ ୫୫୦ ଜଣ ଏହି ରହସ୍ୟମୟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଡାକ୍ତରୀ ଟିମ୍ ରୋଗୀଙ୍କ ରକ୍ତ ପରୀକ୍ଷା କରିବା ପରେ ତାଙ୍କର ଶରୀରରେ ଲିଡ୍ ଥିବା ଜଣାପଡ଼ିଛି। ବୋଧହୁଏ ପାଣି କିମ୍ବା କ୍ଷୀର ଦ୍ୱାରା ଏମାନଙ୍କ ରକ୍ତରେ ଲିଡ୍ ଧାତୁ କଣିକା ପହଞ୍ଚିଛି।
ଏଲୁରୁ ସରକାରୀ ଡାକ୍ତରଖାନା ସୁପରିଣ୍ଟେଣ୍ଡେଣ୍ଟ୍ ଡା.ଏବି ମୋହନ ଗଣମାଧ୍ୟମକୁ କହିଛନ୍ତି, ରୋଗୀଙ୍କ ନମୂନା ରକ୍ତରୁ ଲିଡ୍ ଏବଂ ନିକେଲ ପରି ଭାରୀ ଧାତୁ ମିଳିଛି। ଆମେ ଆଉ କିଛି ନମୂନା ପରୀକ୍ଷା ପାଇଁ ପଠାଇଛୁ। ଏହାର ଫଳାଫଳ ଜାଣିବା ପରେ ରୋଗର କାରଣ ସ୍ପଷ୍ଟ ହେବ।
ଆକ୍ରାନ୍ତ ୫୫୦ ଜଣଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮୪ ଲୋକଙ୍କର ଚିକିତ୍ସା ବର୍ତ୍ତମାନ ସୁଦ୍ଧା ଚାଲିଛି। ଖୁବ୍ ଶିଘ୍ର ସୁସ୍ଥ ହୋଇ ସେମାନେ ଘରକୁ ଫେରିବେ ବୋଲି ଡା.ଏବି ମୋହନ କହିଛନ୍ତି।