ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଜେଲ କି ଜରିମାନା ନୁହେଁ, ମିଳିବ….
ଇସ୍ଲାମାବାଦ୍: ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏଣିକି ଆଉ ଜେଲ କି ଜରିମାନା ହେବନି । ମିଳିବ ନୂଆ ଦଣ୍ଡ। ଦୁଷ୍କର୍ମ ଅଭିଯୁକ୍ତଙ୍କୁ ରାସାୟନିକ ପ୍ରକ୍ରିୟାରେ ନପୁସଂକ କରାଯିବ। ସେତିକି ନୁହେଁ, ଯୌନ ଅପରାଧ ମୂଳକ ମାମଲାର ଶୁଣାଣି ଅଦାଲତରେ ଶୀଘ୍ର କରାଯିବ। ଏ ନେଇ ଆସିଥିବା ଆଇନକୁ ମଞ୍ଜୁରୀ ମିଳିଛି। ତେବେ କେଉଁ ଦେଶରେ ଜାଣନ୍ତି ? ପଡ଼ୋଶୀ ପାକିସ୍ତାନରେଏପରି ଆଇନ ଅନୁମୋଦନ କରାଯାଇଛି।
ସଂଘୀୟ ମନ୍ତ୍ରୀମଣ୍ଡଳ ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମଙ୍ଗଳବାର ଏପରି ଆଇନକୁ ମଞ୍ଜୁରୀ ଦେଇଛନ୍ତି। ତେବେ ଏପରି ଆଇନକୁ ମାନବାଧିକାର କମିଶନ ବିରୋଧ କରିଛି। ଜିଓ ଟିଭି ଅନୁସାରେ, ଏହି ଆଇନକୁ କେବଳ ନୀତିଗତ ଅନୁମୋଦନ ମିଳିଛି। ଅଧିକାରୀ ସ୍ତରରେ ଏହାକୁ ଘୋଷଣା କରାଯାଇ ନାହିଁ।
ଏହି ଅଧ୍ୟାଦେଶ ଅନୁସାରେ, ପୋଲିସରେ ମହିଳାଙ୍କ ଭୂମିକା ବୃଦ୍ଧି, ବଳାତ୍କାର ମାମଲାର ଶୀଘ୍ର ଶୁଣାଣି ଏବଂ ସାକ୍ଷୀଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଇଛି । ଏପରି ଅପରାଧକୁ ଇମ୍ରାନ ଖାନ ଏହାକୁ ଏକ ଗୁରୁତର ବିଷୟ ବୋଲି କହିବା ସହ ଏଥିରେ ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଆମ ନାଗରିକଙ୍କ ପାଇଁ ଏକ ନିରାପଦ ପରିବେଶ ନିଶ୍ଚିତ କରିବାକୁ ହେବ।
ସେ ଆହୁରି କହିଛନ୍ତି, ପୀଡିତା ବିନା ଭୟରେ ଯେପରି ମାମଲା ରୁଜୁ କରିବେ ଏବଂ ସରକାର ତାଙ୍କ ପରିଚୟ ଗୁପ୍ତ ରଖିବେ ସେ ବିଷୟରେ ଗୁରୁତ୍ୱ ଦିଆଯିବ। ଇମ୍ରାନ କହିଛନ୍ତି, ଏହି ଆଇନ ସ୍ପଷ୍ଟ ହେବା ଉଚିତ ଏବଂ ଏହାକୁ କଡାକଡ଼ି ପାଳନ କରାଯିବା ଦରକାର। ସୂଚନାଥାଉ କି, ସଂଘୀୟ ମନ୍ତ୍ରୀମଣ୍ଡଳ ବୈଠକରେ କିଛି ମନ୍ତ୍ରୀ ବଳାତ୍କାରୀଙ୍କୁ ସାର୍ବଜନୀନ ଭାବେ ଫାଶୀ ଦିଆଯିବା ଉଚିତ ବୋଲି ସୁପାରିଶ କରିଥିଲେ। କ୍ଷମତାସୀନ ପାକିସ୍ତାନ ତହରିକ-ଏ-ଇନ୍ସାଫର ସାଂସଦ ଫୈସଲ ଜାବେଦ ଖାନ୍ ଟ୍ୱିଟରରେ ଲେଖିଛନ୍ତି, ଏହି ଆଇନ୍ ଶିଘ୍ର ସଂସଦରେ ଆଗତ ହେବ।