ଗର୍ଭବତୀ ମହିଳାଙ୍କ ଶେଷ ଭିଡିଓ,କାନ୍ଦି କାନ୍ଦି କହିଲେ-‘କରୋନାକୁ ହାଲ୍‌କା ଭାବେ ନିଅନ୍ତୁ ନାହିଁ’

ନୂଆଦିଲ୍ଲୀ: “ହ୍ୟାଲୋ ଏଭ୍ରିୱନ୍‌। ବହୁତ କଷ୍ଟରେ ମୁଁ ଏହି ଭିଡିଓ କରୁଛି। ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି, ଦୟାକରି କରୋନାକୁ ହାଲ୍‌କା ଭାବେ ନିଅନ୍ତୁ ନାହିଁ। ଏହା ବହୁତ ଖରାପ। ବହୁତ ଖରାପ ଲକ୍ଷଣ। ମୁଁ ଠିକ୍‌ ଭାବେ କଥା ହୋଇପାରୁ ନାହିଁ, ହେଲେ ମୋର ମେସେଜ୍‌ ମୁଁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଚାହୁଁଛି। ଯେତେବେଳେ ବି ବାହାରକୁ ଯାଉଛନ୍ତି, ଦୟାକରି ମାସ୍କ ପିନ୍ଧନ୍ତୁ।” ଦିଲ୍ଲୀର ଜଣେ ମହିଳା ତାଙ୍କ ଶେଷ ଭିଡିଓରେ କାନ୍ଦି କାନ୍ଦି ଏଭଳି କିଛି କହିଛନ୍ତି। ସେ ଜାଣିନଥିଲେ ଏହା ତାଙ୍କର ଶେଷ ଭିଡିଓ ବୋଲି। ତଥାପି କରୋନା କେତେ ଭୟଙ୍କର ସେ ତାଙ୍କ ଶେଷ ଭିଡିଓରେ ଲୋକମାନଙ୍କୁ ଚେତାଇଛନ୍ତି। ମହାମାରୀ କରୋନା ସହ ଲଢ଼େଇ କରି ମହିଳା ଜଣକ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଶେଷ ମୁହୂର୍ତ୍ତରେ ମଧ୍ୟ ଲୋକମାନଙ୍କୁ ମାସ୍କ ପିନ୍ଧିବା ପାଇଁ ସେ ଅପିଲ୍‌ କରିଥିଲେ। ଏହି ଭିଡିଓକୁ ତାଙ୍କ ସ୍ୱାମୀ ରବିଶ ଚାୱଲା ଟ୍ୱିଟରରେ ଶେଆର କରିଛନ୍ତି।

ସମ୍ପୃକ୍ତ ମହିଳାଙ୍କ ନାଁ ଦୀପିକା। ଏପ୍ରିଲ ୧୧ରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏପ୍ରିଲ ୧୭ରେ ସେ ଏହି ଭିଡିଓକୁ ରେକର୍ଡିଂ କରିଥିଲେ। ଏହାପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଶେଷରେ ଏପ୍ରିଲ ୨୬ରେ ଦୀପିକାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ୩ ବର୍ଷର ପୁଅ ଅଛି। ସେ ଗର୍ଭବତୀ ଥିଲେ ବୋଲି ଜଣାପଡ଼ିଛି।

ମହାମାରୀ କରୋନା କେତେ ଭୟଙ୍କର, ମୃତ୍ୟୁ ପୂର୍ବରୁ ଦୀପିକା ତାଙ୍କ ଶେଷ ଭିଡିଓରେ ଲୋକଙ୍କୁ ଚେତାଇଛନ୍ତି। ସେ କହିଛନ୍ତି, ‘ଭଗବାନଙ୍କୁ ପ୍ରାର୍ଥନା କରୁଛି, ମୋର ଆଜି ଯେଭଳି ସ୍ଥିତି ହୋଇଛି, କାହାର ବି ଏଭଳି ସ୍ଥିତି ନଆସୁ। କରୋନାକୁ ହାଲ୍‌କା ଭାବେ ନିଅନ୍ତୁ ନାହିଁ। ଦୟାକରି ଆପଣମାନେ ଆପଣଙ୍କ ପରିବାର ସଦସ୍ୟଙ୍କୁ ଏହି କଥା ବୁଝାନ୍ତୁ।ବାହାରକୁ ଯିବା ପୂର୍ବରୁ ସବୁବେଳେ ମାସ୍କ ପିନ୍ଧନ୍ତୁ। ଯଦି ଆପଣ କାହାକୁ ଭେଟୁଛନ୍ତି କିମ୍ବା କାହାସହ କଥାବାର୍ତ୍ତା କରୁଛନ୍ତି, ଦୟାକରି ସେହି ସମୟରେ ଭୁଲ୍‌ରେ ବି ମାସ୍କ ମୁହଁରୁ ବାହାର କରନ୍ତୁ ନାହିଁ। କାହିଁକି ନା ଆପଣଙ୍କ ଘରେ ବୟସ୍କ ବ୍ୟକ୍ତି, ଛୋଟ ପିଲା ଓ ଗର୍ଭବତୀ ମହିଳା ଥିବେ ଏବଂ ସେମାନଙ୍କ ଉପରେ ଏହାର ବେଶୀ ପ୍ରଭାବ ପଡ଼ିବ।  କେବେ ବି ମୁଁ ଏଭଳି ଭାବରେ ବସିବା ଲୋକ ନୁହେଁ। ମୁଁ ସବୁବେଳେ କାମ କରିବାକୁ ଚାହେଁ ଓ କିଛି ଶିଖିବାକୁ ଚାହେଁ’।

ଦୀପିକାଙ୍କ ସ୍ୱାମୀ ରବିଶ ମେ’ ୯ରେ ଟ୍ୱିଟରରେ ଏହି ଭିଡିଓ ଶେଆର କରିଥିଲେ। ସେଇଦିନ ମଦର୍ସ ଡେ‘ ଥିଲା। ମୃତ୍ୟୁ ପୂର୍ବରୁ ଦୀପିକାଙ୍କ ଏହି ଭିଡିଓ ଲୋକମାନଙ୍କୁ ସ୍ତବ୍ଧ କରି ଦେଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୪୮ ହଜାର ୫୨୯ କରୋନା ମାମଲା ସାମ୍ନାକୁ ଆସିଛି । ତେବେ ଏହି ସମୟ ମଧ୍ୟରେ ୪,୨୦୦ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ତେବେ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୩ ଲକ୍ଷ ୫୫ ହଜାର ଲୋକ ସୁସ୍ଥ ହୋଇ ଫେରିଛନ୍ତି । ମୃତ୍ୟୁ ସଂଖ୍ୟା କମୁ ନ ଥିବାରୁ ଚିନ୍ତାରେ ପଡ଼ିଛନ୍ତି ଡାକ୍ତର, ବିଶେଷଜ୍ଞ । ମଙ୍ଗଳବାର ଦେଶରେ ୩,୮୭୬ ରୋଗୀ ଆଖି ବୁଜିଥିବାବେଳେ ଆଜି ୪ ହଜାର ଟପିଛି।

You might also like