ଲାଲୁଙ୍କୁ ଜାମିନ ଦେଲେ କୋର୍ଟ, ରଖିଲେ ଅନେକ ସର୍ତ୍ତ

ରାଞ୍ଚି: ଝାଡ଼ଖଣ୍ଡ ହାଇକୋର୍ଟ ଲାଲୁ ପ୍ରସାଦ ଯାଦବଙ୍କୁ ବଡ଼ ଆଶ୍ୱସ୍ତି ଦେବା ସହ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏବେ ଲାଲୁ ଜେଲରୁ ବାହାରକୁ ଆସିପାରିବେ। ଦୁମକା କୋଷାଗାର ମାମଲାରେ ଅଧା ସଜ୍ଜା କାଟି ସାରିଥିବାରୁ ଲାଲୁଙ୍କୁ ଜାମିନ ପ୍ରଦାନ କରିଛନ୍ତି ଅଦାଲତ । ଲାଲୁଙ୍କ ଏହି ଜାମିନ ସମ୍ପୂର୍ଣ୍ଣ ସର୍ତ୍ତମୂଳକ ରହିଛି। କୋର୍ଟଙ୍କ ସର୍ତ୍ତ ଅନୁଯାୟୀ ଲାଲୁ ଏକ ଲକ୍ଷ ଟଙ୍କାର ଏକ ବଣ୍ଡ କୋର୍ଟରେ ଦାଖଲ କରିବେ। ବିନା ଅନୁମତିରେ ସେ ଦେଶ ବାହାରକୁ ଯାଇପାରିବେ ନାହିଁ। ଖାଲି ସେତିକି ନୁହେଁ, ଜାମିନରେ ଥିବା ସମୟରେ ସେ ନିଜର ଠିକଣା ଓ ଫୋନ ନମ୍ବର ବଦଳାଇ ପାରିବେ ନାହିଁ।

ତେବେ କେବଳ ଏକ ଲକ୍ଷ ଟଙ୍କାର ବଣ୍ଡ ନୁହେଁ ବରଂ ୫-୫ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେ ଝରଖଣ୍ଡ ହାଇକୋର୍ଟଙ୍କ ଅନୁମତି ବିନା ଦେଶ ବାହାରକୁ ଯାଇପାରିବେ ନାହିଁ। କୋର୍ଟଙ୍କ ବିନା ଅନୁମତିରେ ସେ ନିଜର ଠିକଣା କିମ୍ବା ମୋବାଇଲ ନମ୍ବର ବି ବଦଳାଇପାରିବେ ନାହିଁ।

ଏହାପୂର୍ବରୁ ଜଷ୍ଟିସ ଆପରେଶ କୁମାର ସିଂଙ୍କ କୋର୍ଟରେ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା। ଲାଲୁ ପ୍ରସାଦଙ୍କ ପକ୍ଷରୁ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ କପିଲ ସିବ୍ବଲ ଜାମିନକୁ ସମର୍ଥନ କରି କୋର୍ଟରେ ଯୁକ୍ତି ରଖିଥିଲେ। ଅନ୍ୟପଟେ ସିବିଆଇ ପକ୍ଷରୁ ରହିଥିବା ଓକିଲ ଲାଲୁଙ୍କ ଜାମିନ ବିରୋଧରେ ଯୁକ୍ତି ରଖିଥିଲେ। ନିମ୍ନ ଅଦାଲତରେ ଲାଲୁଙ୍କୁ ୧୪ ବର୍ଷର ଜେଲଦଣ୍ଡ ଦିଆଯାଇଥିବା ସିବିଆଇ ପକ୍ଷରୁ କୋର୍ଟରେ ଯୁକ୍ତି ରଖାଯାଇଥିଲା। କିନ୍ତୁ କୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ।

ସୂଚନାଥାଉକି, ଲାଲୁ ଯାଦବଙ୍କୁ ଅକ୍ଟୋବର ୨୦୨୦ରେ ଚାଈବାସା ଟ୍ରେଜେରୀ ମାମଲାରେ ଜାମିନ ମଞ୍ଜୁର ହୋଇସାରିଥିଲା। କିନ୍ତୁ ଦୁମକା ଟ୍ରେଜେରୀ ମାମଲା ଥିବା ଯୋଗୁଁ ସେ ଜେଲରୁ ବାହାରି ପାରିନଥିଲେ। ଅନ୍ୟପଟେ ଡୋରଣ୍ଡା ଟ୍ରେଜେରୀ ମାମଲାରେ ଏବେବି ଶୁଣାଣି ଶେଷ ହୋଇନାହିଁ। ଏହି ମାମଲାରେ ବିତର୍କ ଚାଲିଥିଲା। କିନ୍ତୁ କୋଭିଡ କାରଣରୁ ଏବେ ସିବିଆଇ କୋର୍ଟରେ ଏହାର ଶୁଣାଣି ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଲାଲୁ ଯାଦବ ଏବେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ପ୍ରାୟ ଅଢ଼େଇ ବର୍ଷ ଧରି ରାଞ୍ଚିର ରିମ୍ସରେ ଚିକିତ୍ସିତ ହେବା ପରେ ଗତ ଜାନୁଆରୀରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଛାତିରେ ଯନ୍ତ୍ରଣା ଏବଂ ଶ୍ୱାସକ୍ରିୟାରେ ଅସୁବିଧା ହେତୁ ତାଙ୍କୁ ୨୩ ଜାନୁୟାରୀ ୨୦୧ ରେ RIMS ରୁ AIIMS ରେଫର୍ କରାଯାଇଥିଲା।

You might also like