ମହିଳା ଭିକାରୀଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା

ଶ୍ରୀନଗର: ଆପଣ କେବେ ଭାବି ପାରିବେ ଜଣେ ଭିକାରୀଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ମିଳିବା। ଜମ୍ମୁ-କାଶ୍ମୀରରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ମାଟି କୁଡ଼ିଆ ଘରେ ରହୁଥିବା ଜଣେ ବୃଦ୍ଧା ଭିକାରୀଙ୍କ ଘରୁ ୨ ଲକ୍ଷ ୬୦ ହଜାର ଟଙ୍କା ମିଳିଛି। ପାଖାପାଖି ୩୦ ବର୍ଷ ହେବ ୭୦ ବର୍ଷୀୟ ଏହି ମହିଳା ଜଣକ ରାସ୍ତାକଡ଼ରେ ମାଟି କୁଡ଼ିଆ ଘରେ ରହି ଆସୁଥିଲେ ଓ ଭିକ୍ଷା ବୃତ୍ତି କରି ନିଜର ପେଟ ପୋଷୁଥିଲେ। ଯେତେବେଳେ ପ୍ରଶାସନ ପକ୍ଷରୁ ବୃଦ୍ଧାଙ୍କୁ ମାଟି କୁଡ଼ିଆରୁ ବୃଦ୍ଧାଶ୍ରମକୁ ନିଆଯାଇଥିଲା, ଏହି ସମୟରେ ଲକ୍ଷାଧିକ ଟଙ୍କା କୁଡ଼ିଆ ଘର ଭିତରୁ ମିଳିଥିଲା। ଯାହା ସମସ୍ତଙ୍କୁ ଚକିତ କରିଥିଲା।

ଜମ୍ମୁ-କାଶ୍ମୀର ରାଜୌରୀର ନୌସେରାର ୱାର୍ଡ ନଂ ୯ରେ ବୁଲି ବୁଲି ଭିକ୍ଷା ବୃତ୍ତି କରୁଥିବା ସମ୍ପୃକ୍ତ ମହିଳାଙ୍କୁ ସ୍ଥାନୀୟ ଲୋକ ସାହାଯ୍ୟ କରିଥାନ୍ତି। କିଏ ତାଙ୍କୁ ଟଙ୍କା ଦେଇଥାନ୍ତି ତ ଆଉ କିଏ ଖାଦ୍ୟ ଓ ଆଉ କିଏ ପିନ୍ଧିବା ପାଇଁ କପଡ଼ା ଦେଇଥାନ୍ତି। ଏଭଳି ଭାବରେ ତାଙ୍କର ଜୀବନ ଅତିବାହିତ ହେଉଥିଲା।

ସୂଚନା ଅନୁସାରେ, ରାସ୍ତାକଡ଼ରେ ରହୁଥିବା ବେସାହାରା ଲୋକଙ୍କୁ ସାହାରା ଦେବା ପାଇଁ ରାଜୌରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଭିଯାନ ଆରମ୍ଭ ହୋଇଛି। ଏମାନଙ୍କୁ ଏବେ ସେଲ୍‌ଟର୍‌ ହୋମ୍‌ ଓ ବୃଦ୍ଧାଶ୍ରମରେ ଆଶ୍ରୟ ପାଇଁ ବ୍ୟବସ୍ଥା କରାଯାଇଛି। ଯେତେବେଳେ ରାଜୌରୀ ବୃଦ୍ଧାଶ୍ରମରୁ କିଛି ଲୋକ ଆସି ଉକ୍ତ ବୃଦ୍ଧାଙ୍କୁ ସେମାନଙ୍କ ସହ ନେଇ ଯାଇଥିଲେ, ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ରାସ୍ତାକରେ ଥିବା କୁଡ଼ିଆ ଘର ସବୁ ହଟାଇବା ପାଇଁ ମ୍ୟୁନିସିପାଲିଟି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲା। ଏହି ସମୟରେ ସମ୍ପୃକ୍ତ ବୃଦ୍ଧା ରହୁଥିବା ଘର ଭିତରୁ ଟଙ୍କା ଭର୍ତ୍ତି ବାକ୍ସ ମିଳିଥିଲା। ଖାଲି ଏତିକି ନୁହେଁ ବେଡ୍‌ ତଳୁ ମଧ୍ୟ ଟଙ୍କା ମିଳିଥିଲା। ଯାହାକି ଛୋଟ ଛୋଟ ଲଫାଫା ମଧ୍ୟରେ ଥିଲା। ପାଖାପାଖି ଘର ଭିତରୁ ୨ ଲକ୍ଷ ୬୦ ହଜାର ଟଙ୍କା ମିଳିଥିଲା। ଏସବୁକୁ ଟ୍ରେଜରିରେ ରଖା ଯାଇଥିବା ଜଣାପଡ଼ିଛି। ମହିଳାଙ୍କ ମାନସିକ ସ୍ଥିତିରେ ସୁଧାର ଆସିଲେ ତାଙ୍କୁ ଏହିସବୁ ଟଙ୍କା ଦିଆଯିବ ବୋଲି ସୂଚନା ମିଳିଛି।

ସୂଚନାଥାଉ କି, ଗତବର୍ଷ ଇଜିପ୍ଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା। ଜଣେ ମହିଳା ଭିକାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରେ ୧ କୋଟି ୪୨ ଲକ୍ଷ ଟଙ୍କା ଥିବା ଜଣାପଡ଼ିଥିଲା। ୫୭ ବର୍ଷୀୟ ଏହି ମହିଳା ଭିକାରୀଙ୍କ ନାଁରେ ୫ଟି ଘର ମଧ୍ୟ ଥିଲା।

You might also like