ନାବାଳକ ଛାତ୍ରଙ୍କୁ ଜବରଦସ୍ତ ବିବାହ କଲେ ଶିକ୍ଷୟିତ୍ରୀ, ୬ ଦିନ ପରେ ଛାଡ଼ିଦେଲେ

ଜଳନ୍ଧର: ୧୩ ବର୍ଷର ଜଣେ ଛାତ୍ରଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଶିକ୍ଷୟିତ୍ରୀ। ବିବାହ ପରେ ଉକ୍ତ ଛାତ୍ରଙ୍କୁ ୬ ଦିନ ନିଜ ଘରେ ରଖିବା ପରେ ଛାଡ଼ି ଦେଇଛନ୍ତି। ନାବାଳକ ଛାତ୍ର ଘରେ ପହଞ୍ଚି ପରିବାର ଲୋକଙ୍କୁ ଏ ନେଇ ଜଣାଇବା ପରେ କଥା ପଦାକୁ ଆସିଥିଲା। ଘଟଣା ଘଟିଛି ଜଳନ୍ଧର ସହରର ବାବାଖେଲ ଇଲାକାରେ। ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ୧୩ ବର୍ଷର ନାବାଳକ ଛାତ୍ରଙ୍କୁ କାହିଁକି ବିବାହ କରିଥିଲେ ଶିକ୍ଷୟିତ୍ରୀ ? ପୁଣି ଛାଡ଼ିଦେଲେ କାହିଁକି ? ଏହାର ଉତ୍ତର ବି ଆହୁରି ଆଶ୍ଚର୍ଯ୍ୟଜନକ।

ପ୍ରକୃତ କଥା ହେଲା, ଶିକ୍ଷୟିତ୍ରୀଙ୍କ ବିବାହ ବୟସ ଗଡ଼ି ଯାଉଥିଲା। ହେଲେ ବାହାଘର ଠିକ୍‌ ହୋଇ ପାରୁ ନ ଥିବାରୁ ପରିବାର ଲୋକେ ଚିନ୍ତାରେ ଥିଲେ। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସେ ନାବାଳକ ଛାତ୍ରଙ୍କୁ ବିବାହ କରିଥିଲେ। ତାଙ୍କର ବିଶ୍ୱାସ ଥିଲା, ଏପରି କରିବା ଦ୍ୱାରା ତାଙ୍କର ମାଙ୍ଗଳିକ ଦୋଷ କଟିଯିବ।

ନାବାଳକଙ୍କ ପରିବାର ଲୋକେ କରିଥିବା ଅଭିଯୋଗରୁ ଜଣାଯାଏ, ନାବାଳକଙ୍କ ପରିବାରର ଆର୍ଥିକ ସ୍ଥିତି ଏତେ ଭଲ ନ ଥିଲା। ତେଣୁ ନିଜ ଘରେ ରଖି  ପାଠପଢା କଥା ବୁଝିବେ ବୋଲି କହି ଶିକ୍ଷୟିତ୍ରୀ ନାବାଳକ ଛାତ୍ରଙ୍କୁ ଡାକିଥିଲେ। ପରିବାର ଲୋକେ ମଧ୍ୟ ଏଥିରେ ରାଜି ହୋଇଥିଲେ। ହେଲେ ନାବାଳକ ଏଠାକୁ ଆସିବା ପରେ ଶିକ୍ଷୟିତ୍ରୀ ତାଙ୍କୁ ଜବରଦସ୍ତ ବିବାହ କରିଥିଲେ। ୬ ଦିନ ମଧ୍ୟରେ ବିବାହର ସମସ୍ତ ପରମ୍ପରା ପୂରଣ କରିଥିଲେ। ହଲଦୀ ରଶମ ପରମ୍ପରାଠାରୁ ଆରମ୍ଭ କରି ବିବାହ ଏବଂ ଚତୁର୍ଥୀ ରୀତି ମଧ୍ୟ ପାଳନ କରିଥିଲେ। ପଣ୍ଡିତଙ୍କ କହିବା ଅନୁଯାୟୀ,  ଶେଷରେ ଶିକ୍ଷୟିତ୍ରୀ ଚୁଡ଼ି ଭାଙ୍ଗି ବିଧବା ହେବାର ନାଟକ ମଧ୍ୟ କରିଥିଲେ। ଏହା ପରେ ଏକ ଶୋଭସଭାର ଆୟୋଜନ କରାଯାଇଥିଲା।

ବିବାହ ଓ ବିଧବା ହେବାର ସବୁ ରୀତିରିବାଜ ସରିବା ପରେ ଶିକ୍ଷୟିତ୍ରୀ ଛାତ୍ରଙ୍କୁ ତାଙ୍କ ଘରକୁ ପଠାଇ ଦେଇଥିଲେ। ଘରକୁ ଫେରିବା ପରେ ଛାତ୍ର ସବୁକଥା କହିଥିଲା। ଶିକ୍ଷୟିତ୍ରୀ ଏବଂ ତାଙ୍କ ପରିବାର ଲୋକେ ତାଙ୍କୁ ଘର କାମ କରାଉଥିଲେ ବୋଲି ଛାତ୍ରଜଣକ ଅଭିଯୋଗ କରିଛନ୍ତି।

ଏହା ପରେ ଛାତ୍ରଙ୍କ ପରିବାର ଲୋକେ ଥାନାରେ ମାମଲା ଦାଏର କରିଥିଲେ। ପୋଲିସ ଶିକ୍ଷୟିତ୍ରୀ ଏବଂ ଏପରି କରିବା ପାଇଁ କହିଥିବା ପଣ୍ଡିତଙ୍କୁ ଥାନାକୁ ଡାକିଥିଲେ। ସେଠାରେ ଆପୋଷ ବୁଝାମଣା ଭିତରେ ସମାଧାନ ହେବା ପରେ ସମସ୍ତେ ଘରକୁ ଫେରି ଆସିଥିଲେ। ହେଲେ ବରିଷ୍ଠ ଅଧିକାରୀ ଏ ବିଷୟରେ ଜାଣିବା ପରେ ଘଟଣାର ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି। ନାବାଳିକା ସହ ବିବାହ ଯଦିଓ ପ୍ରତୀକାତ୍ମକ ଥିଲା ତେବେ ତଥାପି ଏପରି ବିବାହ ବେଆଇନ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି।

You might also like