‘ସାମ୍ନାରେ ଛିଡ଼ା ହେବା ଭୁଲି ଯାଅ; ଚୀନ ନାଁ ଧରିବାର ବି ପ୍ରଧାନମନ୍ତ୍ରୀଙ୍କର ତାକତ ନାହିଁ’

ନୂଆଦିଲ୍ଲୀ: ଲଦାଖରେ ଚୀନ ସହିତ ଜାରି ରହିଥିବା ସୀମା ବିବାଦକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ। ଦଳର ସଂସଦ ରାହୁଲ ଗାନ୍ଧି ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏନେଇ ସେ ଟ୍ୱିଟ୍ କରି କହିଛନ୍ତି “ଚୀନ ସାମ୍ନାରେ ଛିଡ଼ା ହେବା ଭୁଲି ଯାଅ। ପ୍ରଧାନମନ୍ତ୍ରୀ ମୋଦିଙ୍କର ଚୀନ ନାଁ ନେବାର ବି ତାକତ ନାହିଁ।”

ଏକ ଜାତୀୟ ଗଣମାଧ୍ୟମର ଖବରକୁ ଶେୟାର କରିବା ସହିତ ଏପରି ଟ୍ୱିଟ୍ କରିଛନ୍ତି ରାହୁଲ ଗାନ୍ଧି। ଚୀନ୍‌ର ସୀମା ଅନୁପ୍ରବେଶ ନେଇ ପ୍ରତିରକ୍ଷାମନ୍ତ୍ରାଳୟ ୱେବ୍‌ସାଇଟ୍‌ରେ ଏକ ତଥ୍ୟ ଦିଆଯାଇଥିଲା। ଏହି ତଥ୍ୟରେ କୁହାଯାଇଥିଲା ଯେ ଲଦାଖର କେତେକ ସୀମାନ୍ତ ଅଞ୍ଚଳରେ ଚୀନ୍‌ର ଅନୁପ୍ରବେଶ ହୋଇଛି। ତଥ୍ୟରେ ଚୀନର ଅନୁପ୍ରବେଶ କଥା ସରକାର ସ୍ୱୀକାର କରିଥିଲେ ସରକାର। ଆଉ ଏବେ ପ୍ରତିରକ୍ଷା ୱେବ୍‌ସାଇଟ୍‌ରେ ଏହି ତଥ୍ୟକୁ ହଟାଇ ଦିଆଯାଇଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଯାହାକୁ ନେଇ ଟ୍ୱିଟ୍ କରିଛନ୍ତି ରାହୁଲ।

ପ୍ରକୃତ କଥା ହେଲା ପ୍ରତିରକ୍ଷା ମନ୍ତ୍ରାଳୟର ୱେବ୍‌ସାଇଟ୍‌ରେ ଲଦାଖର ସୀମାନ୍ତରେ ଚୀନ୍‌ର ଅନୁପ୍ରବେଶ ନେଇ ସରକାରୀ ସ୍ତରରେ ଏକ ତଥ୍ୟ ଅପ୍‌ଲୋଡ ହୋଇଥିଲା। କିନ୍ତୁ ଏହି ତଥ୍ୟ ଏବେ ଆଉ ନାହିଁ। ମନ୍ତ୍ରାଳୟ ତଥ୍ୟକୁ ଉଠାଇ ନେଇଛି।

ଅନ୍ୟପଟେ କଂଗ୍ରେସ ନେତା ଅଜୟ ମାକନ ମଧ୍ୟ ଏ ନେଇ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଚୀନ ସେନା ଆମ ଭୂଭାଗ ଉପରେ ଅନୁପ୍ରବେଶ କରିଛି। LACରେ ସେନା ଲଢୁଛି କିନ୍ତୁ ସରକାର ଭ୍ରମାତ୍ମକ ସୂଚନା ଦେଉଛନ୍ତି। ITBP ଯବାନ ପଛକୁ ହଟୁଛି ବରଂ ଚୀନ ସେନା କିନ୍ତୁ ହଟୁନାହିଁ ବୋଲି ମାକନ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ଇଲାକା ଭିତରକୁ କେହି ବି ଅନୁପ୍ରବେଶ କରିନାହାଁନ୍ତି। କେହି ବି ଆମ ଭୂଭାଗ ଉପରେ କବ୍ଜା କରି ନାହାଁନ୍ତି। କିନ୍ତୁପ୍ରତିରକ୍ଷା ମନ୍ତ୍ରାଳୟରେ ଏପରି ରିପୋର୍ଟ କେମିତି ପ୍ରକାଶ ପାଇଲା ? ଆଉ ତାକୁ ପୁଣି କାହିଁକି ଉଠାଇ ନିଆଗଲା? କଣ ପ୍ରତିରକ୍ଷା ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀଙ୍କୁ ବଞ୍ଚାଇବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ମାକନ।

ୱେବ୍‌ସାଇଟ୍‌ରେ ଅପଲୋଡ ହୋଇଥିବା ତଥ୍ୟ ସମ୍ପର୍କରେ ସୂଚନା ଦେଇ ଶ୍ରୀମାକନ କହିଛନ୍ତି ଯେ, ଗଲୱାନ ଘାଟିରେ ଚୀନର ଅନୁପ୍ରବେଶ ବଢ଼ିଛି। ମେ ୧୭ ଓ ୧୮ ତାରିଖରେ ଅଲଗା ଅଲଗା ସ୍ଥାନରେ ଚୀନ ସେନା ଅନୁପ୍ରବେଶ କରିଛି। ଏହି ସୂଚନା ପ୍ରତିରକ୍ଷା ମନ୍ତ୍ରାଳୟର ତଥ୍ୟରେ କୁହାଯାଇଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ୧୯ ଜୁନରେ ଅନୁପ୍ରବେଶକୁ ଅସ୍ୱୀକାର କରିଛନ୍ତି।  ତେବେ କାହିଁକି ଏହି ତଥ୍ୟ ୱେବ୍‌ସାଇଟ୍‌ରୁ ହଟାଇ ଦିଆଗଲା ? ସତ ସାମ୍ନାକୁ ଆସିବା ନିହାତି ଦରକାର ବୋଲି ମାକନ କହିଛନ୍ତି।

You might also like