ଭୋକରେ ଛଟ‌ପଟ ହେଉଥିଲେ ପିଲା, ବିକ୍ରି ହୋଇପାରିଲାନି ସ୍ତ୍ରୀର ଗହଣା, ଆତ୍ମହତ୍ୟା କଲେ ଶ୍ରମିକ

କାନପୁର: କରୋନା ଲକ୍‌ଡାଉନ୍‌ ସମୟରେ ବିଭିନ୍ନଆଡ଼ୁ ଅନେକ କରୁଣ ଚିତ୍ର ସାମ୍ନାକୁ ଆସୁଛି। କେଉଁଠି ମ’ ତା ପିଲାକୁ  ଦଉଡ଼ିରେ ଟାଣି ଟାଣି ବୋହି ନେଉଛି ତ ଆଉ କେଉଁଟି ପତ୍ନିକୁ କାଠ ଗାଡ଼ିରେ ବସାଇ ମାଇଲ ମାଇଲ୍ ବାଟ ଅତିକ୍ରିମ କରୁଛି ଶ୍ରମିକ ସ୍ୱାମୀ। ପୁଣି କେତେବେଳେ ଚାଲି ଚାଲି ଥକି ପଡ଼ିଥିବା ଶ୍ରମିକମାନଙ୍କୁ ଦଳି ମକଚି ଦେଇ ମାଡ଼ି ଯାଉଛି ଟ୍ରେନ୍। ଏବେ ପୁଣି ଏକ ଛାତି ଥରା ଖବର ସାମ୍ନାକୁ ଆସିଛି, ଯାହା ଜାଣିଲେ ଆପଣଙ୍କ ଆଖିରୁ ଲୁହ ଝରି ପଡ଼ିବ।

ପିଲାଙ୍କ ମୁହଁରେ ମୁଠେ ଦାନା ଯୋଗାଡ଼ି କରିବାରେ ଅସମର୍ଥ ହେବା ପରେ ଆତ୍ମହତ୍ୟା କଲେ ୪୦ ବର୍ଷୀୟ ଶ୍ରମିକ। ପତ୍ନୀ ଘରୁ ବାହାରିଯିବା ପରେ ଫାଶୀ ଦଉଡ଼ିରେ ସବୁଦିନ ପାଇଁ ଝୁଲାଇ ଦେଲେ ଜୀବନ। ଉତ୍ତର ପ୍ରଦେଶର କାନ୍‌ପୁରରେ ଘଟିଛି ଏଭଳି ଦୁଃଖଦ ଦୁର୍ଘଟଣା।

କାକାଦେବ ଥାନା ଅଞ୍ଚଳର ରାଜପୁରୱାରେ ବାସ କରୁଥିବା ବିଜୟଙ୍କର ୪ ପିଲା ଓ ପତ୍ନୀଙ୍କୁ ନେଇ ତେଲ ଲୁଣର ସଂସାର ଟିଏ ଚାଲୁଥିଲା। ଶ୍ରମିକ ଶ୍ରେଣୀରେ ଆସୁଥିବା ବିଜୟ ମଜୁରୀ ଖଟି ୫ ପ୍ରାଣୀର ପେଟ ପୋଷୁଥିଲେ। କିନ୍ତୁ ହଠାତ୍‌ କରୋନା ଭାଇରସ୍‌ ପାଇଁ ଦେଶବ୍ୟାପୀ ଘୋଷଣା ହୋଇଗଲା ଲକ୍‌ଡାଉନ୍‌। ଅଖଚକ ସବୁ ବନ୍ଦ। ଦୋକାନ ବଜାର କଳକାରଖାନ ଠିକା ସଂସ୍ତା ସବୁ ବନ୍ଦ ହୋଇଯିବାରୁ କାମ ହରାଇଲେ ବିଜୟ। ଲକ୍‌ଡାଉନ୍ ବଢ଼ିବାରୁ ଧୀରେ ଧୀରେ ବିଜୟଙ୍କ ପାଖରେ ଗଚ୍ଛିତ ଖାଦ୍ୟ ଓ ଟଙ୍କା ମଧ୍ୟ ସରି ଆସିଲା। ଶେଷରେ ଭୋକରେ ଆଉଟୁପାଉଟ୍‌ ହେଲା ପୂରା ପରିବାର।

ଅଭାବ ଯୋଗୁ ଚାରି ଚାରିଟି ପିଲାଙ୍କ ମୁହଁରେ ଦାନା ଦେବା ତାଙ୍କ ପକ୍ଷରେ କଷ୍ଟକର ହୋଇପଡ଼ିଥିଲା। ପିଲାଙ୍କ ଭୋକିଲା ମୁହଁରେ ମୁଠେ ଦାନା ପାଇଁ କାମ ଯୋଗାଡ଼ କରିବାକୁ ଏ ଦୁଆର ସେ ଦୁଆର ହେଲେ ବିଜୟ। କିନ୍ତୁ କେଉଁଠି ବି ତାଙ୍କୁ କାମ ମିଳିଲାନି। ପ୍ରାୟ ୧୫ ଦିନ ହେବ ଅଧାପେଟ ଖାଇ ରହୁଥିଲେ ପିଲା। ବିଜୟଙ୍କ ମାନସିକ ଚାପ ବଢ଼ିବାକୁ ଲାଗିଲା। ପରିସ୍ଥିତି ଅସମ୍ଭାଳ ହେବାରୁ ପିଲାଙ୍କର ଭୋକ ବିକଳିଆ ମୁହଁକୁ ସେ ଦେଖି ନପାରି ଶେଷରେ ବାଛିନେଲେ ଆତ୍ମହତ୍ୟାର ଅଫେରା ପଥ।

ମୃତ ବିଜୟଙ୍କ ପତ୍ନୀଙ୍କ କହିବାନୁସାରେ ଲକ୍‌ଡାଉନ୍‌ ପାଇଁ କାମ ବନ୍ଦ ଥିଲା। ଘରେ ଗଚ୍ଛିତ ଥିବା ଖାଦ୍ୟ ଓ ଟଙ୍କା ଧୀରେ ଧୀରେ ସରିଯାଇଥିଲା। ପିଲାଙ୍କ ପେଟରେ ଦାନା ଦେବା ଅସମ୍ଭବ ହୋଇପଡ଼ିଥିଲା। ଘରେ ତାଙ୍କର ଗହଣା ବି ଥିଲା। କିନ୍ତୁ ଦୋକାନ ବଜାର ନ ଖୋଲିବାରୁ ଏଗୁଡ଼ିକ ବି ବିକ୍ରି ହୋଇପାରୁନଥିଲା। ରୋଜ୍‌ ରୋଜ୍ ପିଲାଙ୍କ ଭୋକ ବିକଳିଆ ମୁହଁ ଦେଖିବା ବିଜୟଙ୍କ ପକ୍ଷରେ ସମ୍ଭବ ନଥିଲା। ତେଣୁ ମୁଁ ନଥିବା ବେଳେ ସେ ଫାଶୀ ଦଉଡ଼ିରେ ନିଜ ଜୀବନକୁ ଶେଷ କରିଦେଲେ ବୋଲି ତାଙ୍କ ପତ୍ନୀ କହିଛନ୍ତି। 

ପଡ଼ୋଶୀଙ୍କ କହିବାନୁସାରେ, ବିଜୟଙ୍କୁ ଅନେକ ଲୋକ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇଥିଲେ ମଧ୍ୟ ବିଜୟ ଅନ୍ୟ ପାଖରେ ହାତ ପାତିବାକୁ ସଂକୋଚ ଅନୁଭବ କରୁଥିଲେ।

ତେବେ ଏହି ଘଟଣାରେ ପ୍ରଶାସନ ତରଫରୁ କୌଣସି ବୟାନ୍‌ ଆସିନଥିବା ବେଳେ ପୁଲିସ୍ ଏହାକୁ ଏକ ଆତ୍ମହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି।

 

You might also like