ସାଧୁ ସନ୍ୟାସୀଙ୍କୁ ମୋଦିଙ୍କ ଅପିଲ : କୁମ୍ଭମେଳାକୁ ପ୍ରତୀକାତ୍ମକ ଭାବେ ପାଳନ କରିବାକୁ ଅନୁରୋଧ

  • କୁମ୍ଭମେଳାକୁ ଅଧିକ ସଂଖ୍ୟାରେ ଲୋକ ନ ଆସିବାକୁ ଅନୁରୋଧ
  • କୁମ୍ଭମେଳାକୁ ଆସିଥିବା  ୬୮ ସାଧୁ କରୋନା ଆକ୍ରାନ୍ତ
  • ସପ୍ତାହକ ମଧ୍ୟରେ ୨ହଜାର ଶ୍ରଦ୍ଧାଳୁ କୋଭିଡ୍ ପଜିଟିଭ୍
  • ୨ ରାଜସ୍ନାରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ବଢୁଥିବାରୁ ବଢୁଛି ଚିନ୍ତା । ତେଣୁ କୁମ୍ଭମେଳାକୁ ପ୍ରତୀକାତ୍ମକ ଭାବେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ୍ କରିଛନ୍ତି । ଏହାଫଳରେ କରୋନା ବିରୋଧରେ ଲଢେଇକୁ ବଳ ମିଳିବ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଦୁଇଟି ସାହି ସ୍ନାନ ଶେଷ ହୋଇଛି । ଆଗାମୀ ଦିନରେ ହେବାକୁ ଥିବା କୁମ୍ଭମେଳାକୁ ପ୍ରତୀକାତ୍ମକ ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି ।ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗରେ ହିନ୍ଦୁ ଧର୍ମ ଆଚାର୍ଯ୍ୟ ସଭାର ସଭାପତି ମହାମଣ୍ଡଳେଶ୍ୱର ସ୍ୱାମୀ ଅବଧେଶାନନ୍ଦ ଗିରିଙ୍କ ସହ ଫୋନରେ କଥାବାର୍ତ୍ତା କରିଛନ୍ତି ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ଅପିଲ ପରେ କୁମ୍ଭମେଳାରେ ସ୍ନାନ ପାଇଁ ଅଧିକ ସଂଖ୍ୟାରେ ଲୋକ ନ ଆସିବା ପାଇଁ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ ଅବଧେଶାନନ୍ଦ ଗିରି ଅନୁରୋଧ କରିଛନ୍ତି । ବର୍ତ୍ତମାନ ସୁଦ୍ଧା କୁମ୍ଭମେଳାକୁ ଆସିଥିବା ୬୮ଜଣ ବରିଷ୍ଠ ସାଧୁ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ନିରୱାନି ଆଖଡାର ମହାମଣ୍ଡଳେଶ୍ୱର କପିଲ ଦେବଙ୍କ କିଛି ଦିନ ତଳେ ମୃତ୍ୟୁ ହୋଇଛି । ଗତ ସପ୍ତାହକ ମଧ୍ୟରେ ୨ହଜାର ଶ୍ରଦ୍ଧାଳୁ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏପ୍ରିଲ ୧୨ ଓ ଏପ୍ରିଲ ୧୪ରେ ହୋଇଥିବା ଦୁଇଟି ସାହି ସ୍ନାନରେ ଲକ୍ଷ ଲକ୍ଷ ଭକ୍ତ ବୁଡ ପକାଇଥିଲେ ।

ସେପଟେ କିଛି ଦିନ ପାଇଁ ପବିତ୍ର ଗଙ୍ଗ ନଦୀରେ ସ୍ନାନ ନକରିବାକୁ ଅନୁରୋଧ କାଯାଇଛି । ଗଙ୍ଗା ସ୍ନାନ ଜରିଆରେ କରୋନା ସଂକ୍ରମଣର ଆଶଙ୍କା ରହିଛି । ପବିତ୍ର ଗଙ୍ଗା ନଦୀ ନିକଟସ୍ଥ ବିଭିନ୍ନ ଅଞ୍ଚଳରେ ଅଦୃଶ୍ୟ ଭାଇରସ୍ ବିକଟାଳ ରୂପ ନେଇ‍ପାରେ ବୋଲି ଚେତାବନୀ ଦେଇଛନ୍ତି ବୈଜ୍ଞାନିକ । ତେବେ ଏହାକୁ ଦୃଷ୍ଟିରେ ରଖି ଆଗାମୀ ୧୫ ଦିନ ପାଇଁ ଗଙ୍ଗା ସ୍ନାନରୁ ଦୂରେଇ ରହିବାକୁ ଅପିଲ କରିଛନ୍ତି ଗଙ୍ଗା ନଦୀ ବିକାଶ ଏବଂ ଜଳ ଉତ୍ସ ପରିଚାଳନା ଅନୁସନ୍ଧାନ କେନ୍ଦ୍ରର ଅଧ୍ୟକ୍ଷ ତଥା ନଦୀ ବିଜ୍ଞାନୀ ପ୍ରଫେସର ଡ। ବିଡି ତ୍ରିପାଠୀ ।

ଅନ୍ୟପଟେ ଦେଶରେ ଜାରି ରହିଛି ଦୈନିକ କରୋନା ସଂକ୍ରମଣର ୨ ଲକ୍ଷ ଟ୍ରେଣ୍ଡ । ଦିନକରେ ବାହାରିଛନ୍ତି ୨ ଲକ୍ଷ ୩୪ ହଜାରରୁ ଅଧିକ ପଜିଟିଭ । ଏହା ସହିତ ୧୩୪୧ ଜୀବନ ନେଇଛି ମହାମାରୀ ଏହି ସମୟ ଭିତରେ ୧ ଲକ୍ଷ ୨୩ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ଏହି ସୂଚନା ମିଳିଛି  ।

You might also like