ଉନ୍ନାଓ ପୀଡ଼ିତା ବାପାଙ୍କୁ ହତ୍ୟା ମାମଲାରେ ସେନଗାର୍‌ଙ୍କୁ ୧୦ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ଉନ୍ନାଓ ପୀଡ଼ିତା ବାପାଙ୍କ ହତ୍ୟା ମାମଲାର ଶୁଣାଣି ଆଜି ସୁପ୍ରିମ୍ କୋର୍ଟରେ ହୋଇଯାଇଛି। କୋର୍ଟ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ଏହି ମାମଲାରେ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ୨୦୧୭ରେ ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା।  କୁଲଦୀପ ସିଂହ ସେନଗାର ଏବେ ଉନ୍ନାଓ ଦୁଷ୍କର୍ମ ମାମଲାରେ ତିହାର ଜେଲରେ ଆଜୀବନ କାରାଦଣ୍ଡ କାଟୁଥିବାବେଳେ ତାଙ୍କ ବିରୋଧରେ ଏହି ରାୟ ଶୁଣାଇଛନ୍ତି କୋର୍ଟ।

ସୂଚନାଥାଉ କି, ବିଚାର ବିଭାଗୀୟ ହେପାଜତରେ ଥିବା ବେଳେ ପୀଡ଼ିତାଙ୍କ ବାପାଙ୍କର ଏପ୍ରିଲ ୨୦୧୮ରେ ମୃତ୍ୟୁ ଘଟିଥିଲା। ପୀଡ଼ିତାଙ୍କ ବାପାଙ୍କୁ ମାଡ଼ ମରାଯିବା ସହିତ ଏକ ମାମଲାରେ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ ତାଙ୍କୁ ବିଚାର ବିଭାଗୀୟ ହେପାଜତକୁ ନେଇ ପଚରାଉଚରା କରିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ମାର୍ଚ୍ଚ ୪ରେ ସୁପ୍ରିମକୋର୍ଟ କୁଲଦୀପ ସିଂ ସେନଗାରଙ୍କୁ ଏହି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ।

ଅପରାଧିକ ଷଡ଼ଯନ୍ତ୍ର (୧୨୦ ବି) ଅନୁଯାୟୀ କୁଲଦୀପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ଏହି ମାମଲାରେ କନଷ୍ଟେବଳ ଅମୀର ଖାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ କୋର୍ଟ।

ଅନ୍ୟପକ୍ଷେ କୁଲଦୀପ ସେନଗାର ଜଣେ କ୍ଷମତାଶୀଳ ବ୍ୟକ୍ତି ହୋଇଥିବା ବେଳେ ତାଙ୍କ ବିରୋଧରେ ପୀଡ଼ିତା ସ୍ୱର ଉଠାଇ ନ୍ୟାୟ ପାଇଁ ଲଢ଼ୁଥିବାରୁ ସୁପ୍ରିମକୋର୍ଟର ବିଚାରପତି ପୀଡିତାଙ୍କୁ ପ୍ରଶଂସା କରିଥିଲେ। ଏଥିସହ ଦୁଷ୍କର୍ମ ଅଭିଯୋଗ ଆସିବା ପରେ କୁଲଦୀପ ସେନଗାର ପୀଡ଼ିତାଙ୍କ ବାପାଙ୍କ ନାମରେ ମିଛ ମାମଲା ରୁଜୁ କରି ତାଙ୍କୁ ଜେଲରେ ରଖିଦେଇଥିଲେ ବୋଲି କୋର୍ଟ କହିଥିଲେ। ସେତେବେଳେ କୁଲଦୀପ ରାଜ୍ୟର ଶାସକ ଦଳ ବିଜେପିର ବିଧାୟକ ଥିଲେ। ପୀଡ଼ିତା ଥାନାରେ ଏତଲା ଦେବା ପରେ ମଧ୍ୟ ଏହି ପୂର୍ବତନ ବାହୁବଳୀ ବିଧାୟକଙ୍କୁ ପୁଲିସ ଗିରଫ କରିନଥିଲା।

କୋର୍ଟ ମାମଲାରେ ହସ୍ତକ୍ଷେପ କରି ଯୋଗୀ ସରକାରକୁ ତାଗିଦ୍ କରିବା ପରେ ଗିରଫ ହୋଇଥିଲେ କୁଲଦୀପ। ଏହାପରେ ବିଜେପି ସେନଗାରଙ୍କୁ ଅଗଷ୍ଟ ୨୦୧୯ରେ ଦଳରୁ ବହିଷ୍କୃତ କରିଥିଲା। ଦୁଷ୍କର୍ମ ଓ ପୀଡ଼ିତାଙ୍କ ବାପାଙ୍କ ମାମଲାର ତଦନ୍ତ କରୁଥିବା ସିବିଆଇ ଏହି ମାମଲାରେ ଚାର୍ଜସିଟ୍ ଦାଖଲରେ ବିଳମ୍ୱ କରିଥିବାରୁ କୋର୍ଟ ମଧ୍ୟ ସିବିଆଇକୁ କଡ଼ା ସମାଲୋଚନା କରିଥିଲେ।

You might also like