ସୁବୋଧ କୁମାର ଜୈସୱାଲ ହେଲେ ସିବିଆଇ ନୂଆ ଡାଇରେକ୍ଟର

ନୂଆଦିଲ୍ଲୀ:ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନ୍‌ଭେଷ୍ଟିଗେଶନ ଅର୍ଥାତ୍‌ ସିବିଆଇର ପରବର୍ତ୍ତୀ ନିର୍ଦ୍ଦେଶକ ପଦବୀ ପାଇଁ ଆଇପିଏସ ଅଧିକାରୀ ସୁବୋଧ କୁମାର ଜୈସୱାଲଙ୍କୁ ମଙ୍ଗଳବାର ଚୟନ କରାଯାଇଛି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ସମିତି ସଦସ୍ୟଙ୍କୁ ନେଇ ଏକ ବୈଠକର ନିଷ୍ପତ୍ତି କ୍ରମେ ତାଙ୍କୁ ଚୟନ କରାଯାଇଥିଲା ।

ନବନିଯୁକ୍ତ ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୈସୱାଲ ସିଆଇସିଏଫ ଡାଇରେକ୍ଟର ଜେନେରାଲ ଭାବେ କାର୍ଯ୍ୟରତ । ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚିଫ ଜଷ୍ଟିସ୍‌ ଅଫ ଇଣ୍ଡିଆ ଏବଂ ଲୋକସଭା ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଦ୍ୱାରା ଗଠିତ ବୈଠକରେ ଅନେକ ଆଲୋଚନା ପରେ ସୁବୋଧ କୁମାର ଜୈସୱାଲଙ୍କ ନାମରେ ମୋହର ବାଜିଛି । ସେ ଏହି ପଦରେ ୨ ବର୍ଷ ପାଇଁ କାର୍ଯ୍ୟ କରିବେ।

ସୁବୋଧ କୁମାର ୧୯୮୫ ବ୍ୟାଚର ମହାରାଷ୍ଟ୍ର କ୍ୟାଡର ଅଧିକାରୀ ଅଟନ୍ତି । ରାଜ୍ୟର ଉଦ୍ଧବ ଠାକ୍‌ରେ ସରକାର ସହ ମତଭେଦ ପରେ ସେଣ୍ଟ୍ରାଲ ଡେପୁଟେଶନରେ ଦିଲ୍ଲୀ ଆସିଥିଲେ । ମୁମ୍ବାଇ ସିପି ହେବା ପୂର୍ବରୁ ସେ ସେଣ୍ଟ୍ରାଲ ଡେପୁଟେଶନରେ ଥିଲେ । ସେ ‘ର’ (RAW) ରେ ଥିଲେ । ଜୈସୱାଲ ୨୦୦୬ରେ ହୋଇଥିବା ମୁମ୍ବାଇ ସିରିୟଲ ବିସ୍ଫୋରଣର ଯାଞ୍ଚ କରିଥିଲେ ।

ସୁବୋଧ କୁମାରଙ୍କ ଜନ୍ମ ୧୯୬୨ ଡିସେମ୍ବର ୨୨ ତାରିଖରେ । ୨୩ ବର୍ଷ ବୟସରେ ସେ ଆଇପିଏସ ହୋଇଥିଲେ । ନିଜର ଦକ୍ଷତା ପାଇଁ ଦେଶର ଗୋଇନ୍ଦା ସଂସ୍ଥା ‘ର’ ଅନେକ ମହତ୍ୱପୂର୍ଣ୍ଣ ଅପରେଶନ ପାଇଁ ମନୋନୀତ ହୋଇଥିଲେ ।
ଏଥିସହିତ ସେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଥିବା ଫୋର୍ସ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍‌ (SPG ) ରେ ସାମିଲ ହୋଇଥିଲେ । କ୍ୟାବିନେଟ ସଚିବାଳୟରେ ଅତିିରିକ୍ତ ସଚିବ ଏବଂ ସଂଯୁକ୍ତ ସଚିବ ପଦରେ କାର୍ଯ୍ୟ କରୁଥିଲେ । ୨୦୦୧ରେ ସୁବୋଧ କୁମାରଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ମିଳିଥିଲା । ଏହା ପରେ ଭାରତ ସରକାରଙ୍କ ଦ୍ୱାରା ପରେ ଅସାଧାରଣ ସୁରକ୍ଷା ପ୍ରମାଣ ପତ୍ରରେ ସମ୍ମାନିତ କରାଯାଇଥିଲା ।

You might also like