କରୋନା ସହ ଲଢିବା ପାଇଁ ବଡ ଅସ୍ତ୍ର କ’ଣ ଜାଣନ୍ତି ?

ନୂଆଦିଲ୍ଲୀ: କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ। ଚୀନର ଉହାନ ସହରରୁ ଆସି ବିଶ୍ୱର ସବୁ ସହରରେ ପହଞ୍ଚିଗଲାଣି ଏଇ ଘାତକ କରୋନା ଭାଇରସ୍‌। ଆଜି ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା ୮ ହଜାର ପାଖାପାଖି ପହଞ୍ଚିଥିବାବେଳେ ୧ ଲକ୍ଷ ୯୮ ହଜାର ୭୨୭ ଜଣ ଆକ୍ରାନ୍ତ ହୋଇଛନ୍ତି। ଭାରତରେ ଇତି ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। କରୋନା ବିପକ୍ଷରେ ଲଢିବା ପାଇଁ ଆଜି ସାରା ବିଶ୍ୱବାସୀ ଲଢୁଛନ୍ତି। ତେବେ ଜାଣନ୍ତି, ଏହି ମହାଯୁଦ୍ଧରେ ସବୁଠାରୁ ବଡ ଅସ୍ତ୍ର ମଣିଷ ପାଖରେ କ’ଣ ଅଛି ?

ଭଗବନାଙ୍କୁ ଧନ୍ୟବାଦ, କରୋନା ବିରୋଧରେ ଲଢିବା ପାଇଁ ଦେଇଛନ୍ତି ଏକ ଶାଣିତ ଅସ୍ତ୍ର । ତାହା ହେଉଛି ଥର୍ମୋମିଟର ଗନ୍‌। କରୋନା ସମ୍ପର୍କିତ ଅନେକ ଫଟୋରେ ଆପଣ ଦେଖିଥିବେ କେହି ଜଣେ ମୁଣ୍ଡରେ ଗନ୍‌ ପରି ଏକ ଜିନିଷ ଲଗାଇ ପରୀକ୍ଷା କରୁଥିବେ । ତାହା ହେଉଛି ଥର୍ମୋମିଟର ଗନ୍‌।  ତେବେ କ’ଣ ଏହି ଥର୍ମୋମିଟର ଗନ୍‌ ? କ’ଣ ଏହାର କାମ ?

ସାରା ଦୁନିଆରେ କରୋନା ଯାଞ୍ଚ ପାଇଁ ଥର୍ମୋମିଟର ଗନ୍‌ର ବ୍ୟବହାର କରାଯାଉଛି। ଏହି ଗନ୍‌ରୁ ହିଁ ପ୍ରାରମ୍ଭିକ ସ୍ତରରେ ଜଣାଯାଏ ଜଣେ ବ୍ୟକ୍ତି କରୋନା ସନ୍ଦିଗ୍ଧ କି ନୁହେଁ  । କାରଣ କରୋନାର ପ୍ରାରମ୍ଭିକ ଲକ୍ଷଣ ହେଉଛି ଜ୍ୱର। ଶରୀରକୁ ନ ଛୁଇଁ ବି ଏହି ଥର୍ମୋମିଟର ସାହାଯ୍ୟରେ ଜଣେ ବ୍ୟକ୍ତିଙ୍କ ଶରୀରର ତାପମାତ୍ରା କେତେ ଜଣାପଡ଼ିଥାଏ। କିଛି ଦୂରରୁ ହିଁ ଏହି ଗନ ତାପମାତ୍ରା କହି ଦେଇ ପାରେ। ସାଧାରଣତଃ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଟିରେ ଥର୍ମୋମିଟର ଦେଇ ତାପମାତ୍ରା ମାପିବା ଉଚିତ୍‌ ନୁହେଁ। ଏ ଦୃଷ୍ଟିରୁ ଥର୍ମୋମିଟର ଗନ୍‌ରେ ବିପଦ ନାହିଁ। 

ତେବେ ଏହି ଡିଭାଇସ୍‌କୁ ଶରୀରର କେତେ ଦୂରରେ ରଖି ତାପମାତ୍ରା ମାପିବ, କେତେ ସମୟ ରଖିବ, କେଉଁ ସ୍ଥାନରେ ରଖି ମାପିବ ଏସବୁ ଗାଇଡ୍ ଲାଇନକୁ ଠିକଭାବେ ଜଗିବାକୁ ପଡ଼ିବ। ଏହି କାରଣରୁ ଅନେକ ସମୟରେ ଲୋକ ଯାଞ୍ଚରୁ ଖସି ଯାଉଛନ୍ତି। ତେଣୁ ଏହି ଗନ୍‌ ବ୍ୟବହାର ପାଇଁ ଟ୍ରେନିଂର ଆବଶ୍ୟକତା ରହିଛି।

ଅବଶ୍ୟ ଏକଥା ସତ ଯେ, ଶରୀରର ତାପମାତ୍ରା ଅଧିକ ହେଲେ ଜଣେ କରୋନା ଆକ୍ରାନ୍ତ ବୋଲି ଆମେ କହି ପାରିବା ନାହିଁ। ଶରୀରରେ ତାପମାତ୍ରା ସେତେବେଳେ ବଢେ, ଯେତେବେଳେ ଶରୀର ଅନୁଭବ କରେ ଯେ ଶରୀର ଭିତରେ କିଛି ଅନୁପ୍ରବେଶ କରିଛି । ସେତେବେଳେ ଶରୀରର ଇମ୍ୟୁନ ସିଷ୍ଟମ୍‌ ରାସୟନିକ ପଦାର୍ଥ ଛାଡିଥାଏ ଏବଂ ଏହା ଆମ ଶରୀରର ତାପମାତ୍ରାକୁ ବୃଦ୍ଧି କରିଥାଏ। ଏହାବ୍ୟତୀତ ଯଦି ଜଣେ କିଛି ଔଷଧ ଖାଇଥାଏ ତେବେ ତାର ଶରୀରର ତାପମାତ୍ରା କମିଯାଏ। ଏପରି ପରିସ୍ଥିତିରେ ଥର୍ମୋମିଟର ଗନରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ପାରେ ନାହିଁ। ଯେଉଁମାନଙ୍କ ଶରୀରେ ତାପାମାତ୍ରା ନଥାଏ ସେମାନଙ୍କ ସଂସ୍ପର୍ଶରେ ଆସିଲେ ଅନେକ ସମୟରେ ଏହି ଗନର ସାଇରନ୍‌ ବାଜି ଉଠେ।

ଯାହା ବି ହେଉ, ଏତେ ସବୁ ଅସୁବିଧା ସତ୍ତ୍ୱେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ଏହି ଗନ୍‌ ହିଁ ବ୍ୟବହୃତ ହେଉଛି। ଏହି ଗନ୍‌ ଯୋଗୁ ହିଁ ତ ଏତେ  ରୋଗୀଙ୍କୁ ଏତେ କମ୍‌ ସମୟରେ ପ୍ରାରମ୍ଭିକ ଚିହ୍ନଟ କରିବା ସମ୍ଭବ ହୋଇ ପାରୁଛି। 

You might also like