ସ୍ୱାମୀ ବିବେକାନନ୍ଦଙ୍କ ସ୍କୁଲ୍‌ ଜୀବନର ୨ଟି ଅଦ୍ଭୁତ ଘଟଣା

ସ୍ୱାମୀ ବିବେକାନନ୍ଦଙ୍କ ବାଲ୍ୟକାଳ ହେଉ କି ସ୍କୁଲ୍ ଜୀବନ ‌କିମ୍ବା ଯୌବନ ତାଙ୍କ ଜୀବନର କାନ୍‌ଭାସ୍‌ରେ ଅଦ୍ଭୁତ ରଙ୍ଗ ଭରି ଦେଇଛି। ୧୮୬୩ ଜାନୁଆରୀ ୧୨ ତାରିଖରେ ଜନ୍ମିତ ସ୍ୱାମୀ ବିବେକାନନ୍ଦ ନରେନ୍ଦ୍ରନାଥ ଦତ୍ତ ନାମରେ ମଧ୍ୟ ପରିଚିତ। ତାଙ୍କ ସହ ଜଡ଼ିତ ଘଟଣାବଳୀ ହୁଏତ ସମସ୍ତଙ୍କୁ ଜଣାଥିବ ହେଲେ, ସ୍କୁଲ୍‌ ଜୀବନରେ ତାଙ୍କ ସହ ଏମିତି କିଛି ଅଜବ ଘଟଣା ଘଟିଥିଲା ଯାହା ଆପଣ ହୁଏତ ଜାଣିନଥିବେ।

ପ୍ରଥମ ସ୍କୁଲ୍‌ ଘଟଣା

୧୮୭୧ ମସିହାରେ ବିବେକାନନ୍ଦଙ୍କୁ ଯେତେବେଳେ ୮ ବର୍ଷ ବୟସ ହୋଇଥିଲା, ପଣ୍ଡିତ ଇଶ୍ୱରଚନ୍ଦ୍ର ବିଦ୍ୟାସାଗର ମେଟ୍ରୋପୋଲିଟନ୍‌ ଇନ୍‌ଷ୍ଟିଚ୍ୟୁସନ୍‌ରେ ତାଙ୍କର ଆଡମିଶନ୍‌ କରାଯାଇଥିଲା। ଖାଲି ପାଠ ପଢ଼ାରେ ନୁହେଁ, ଖେଳକୁଦ ପ୍ରତିଯୋଗିତାରେ ମଧ୍ୟ ସବୁବେଳେ ପ୍ରଥମ ସ୍ଥାନ ଅଧିକାର କରୁଥିଲେ ବିବେକାନନ୍ଦ। ଏହି ସମୟରେ ତାଙ୍କ ସହ ଏକ ଅଜବ ଘଟଣା ଘଟିଥିଲା। ଘଟଣାଟି ହେଲା, କ୍ଲାସ୍‌ରେ ଶିକ୍ଷକ ପାଠପଢ଼ାଉ ଥିବା ବେଳେ ନରେନ୍‌(ବିବେକାନନ୍ଦ) କିଛି ଛାତ୍ରଛାତ୍ରୀଙ୍କ ସହ କଥା ହେଉଥିଲେ। ଏହା ଦେଖି ଶିକ୍ଷକ ରାଗି ଯାଇଥିଲେ ଓ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ କରିଥିଲେ, କୁହ, ମୁଁ ଏବେ କ’ଣ ପଢ଼ାଉ ଥିଲି ? ଯାହାର ଉତ୍ତର କୌଣସି ଛାତ୍ରଛାତ୍ରୀ ଦେଇ ପାରିନଥିଲେ। ହେଲେ ଯେତେବେଳେ ଶିକ୍ଷକ ନରେନ୍‌ଙ୍କୁ ପଚାରିଥିଲେ ସେ ଚଟାପଟ୍‌ ଏହାର ଉତ୍ତର ଦେଇଥିଲେ। ଆଶ୍ଚର୍ଯ୍ୟ ହୋଇ ଶିକ୍ଷକ ନରେନ୍‌ଙ୍କୁ ପ୍ରଶ୍ନ କରିଥିଲେ-ତୁମେ ତ କଥା ହେଉଥିଲ ?

ହେଲେ କେମିତି ତୁମେ ଉତ୍ତର ସବୁ ଦେଇ ପାରିଲ ? ଏହାର ଉତ୍ତରରେ ନରେନ୍‌ କହିଥିଲେ-ମୁଁ ସାଙ୍ଗମାନଙ୍କ ସହ କଥା ହେଉଥିଲି ଏହା ସତ। ଆଉ ଏହା ବି ସତ ଯେ, ମୁଁ ଆପଣଙ୍କ କଥାକୁ ବି ଧ୍ୟାନ ଦେଉଥିଲି। ୮ ବର୍ଷ ବାଳକର ମୁହଁରୁ ଏଭଳି କଥା ଶୁଣି ଶିକ୍ଷକ ପୁରାପୂରି ଚକିତ ହୋଇଯାଇଥିଲେ। ଭାବିଥିଲେ ସତରେ କ’ଣ ଏହା ସମ୍ଭବପର ?

ଦ୍ୱିତୀୟ ବିଚିତ୍ର ଘଟଣା

ଏହି ସ୍କୁଲ୍‌ରେ ଆଉ ଏକ ଅଜବଗଜବ ଘଟଣା ଘଟିଥିଲା ବିବେକାନନ୍ଦଙ୍କ ସହ। ଦିନେ ବିଦ୍ୟାଳୟର ଜଣେ କଠୋର ମନୋଭାବର ଶିକ୍ଷକ ଜଣେ ଛାତ୍ରଙ୍କୁ ନିର୍ଦ୍ଦୟ ଭାବରେ ପିଟିଥିଲେ। ଏହା ଦେଖି ନରେନ୍‌ଙ୍କୁ ଭଲ ଲାଗିନଥିଲା। ଏହି ସମୟରେ ସେ ଶିକ୍ଷକଙ୍କୁ ଦେଖି ବ୍ୟଙ୍ଗ ଭାବରେ ହସିଥିଲେ। ଯାହା ଦେଖି ସମ୍ପୃକ୍ତ ଶିକ୍ଷକ ଆହୁରି ରାଗି ଯାଇଥିଲେ ଓ ନରେନ୍‌ଙ୍କୁ ପିଟିବା ଆରମ୍ଭ କରି ଦେଇଥିଲେ। ଏହି ସମୟରେ ଶିକ୍ଷକ ନରେନ୍‌ଙ୍କୁ କହିଥିଲେ, ପ୍ରତିଜ୍ଞା କର ତୁମେ ଆଗକୁ ମୋ ଉପରେ ଏମିତି ହସିବ ନାହିଁ।

ଯଦିଓ ଏହି ଘଟଣା ପାଇଁ ନରେନ୍‌ ଶିକ୍ଷକଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ, ହେଲେ କୌଣସି ପ୍ରତିଜ୍ଞା କରିନଥିଲେ। ଫଳରେ ଶିକ୍ଷକ ରାଗିଯାଇ ନରେନ୍‌ଙ୍କ କାନକୁ ଧରି ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ତାଙ୍କ କାନରୁ ରକ୍ତ ବାହାରିଥିଲା। ସ୍କୁଲ୍‌ରେ ଏଭଳି ହଙ୍ଗାମା ହୋଇଥିବା ଜାଣିପାରି ନିଜେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର କ୍ଲାସ୍‌ରୁମ୍‌ରେ ପହଞ୍ଚିଥିଲେ ଓ ଘଟଣା ସମ୍ପର୍କରେ ପଚାରି ଥିଲେ। ହେଲେ ନରେନ୍‌ ତାଙ୍କର ବ୍ୟାଗ୍‌ ଉଠାଇ କହିଥିଲେ, ଆଜିଠୁ କେବେ ବି ମୁଁ ଏହି ସ୍କୁଲ୍‌କୁ ଆଉ ଆସିବି ନାହିଁ।

ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ନିଜେ ଜଣେ ସିଦ୍ଧ ମହାତ୍ମା ଥିଲେ। ନରେନ୍‌ଙ୍କ ଦିବ୍ୟ ଗୁଣକୁ ସେ ଠିକ୍‌ ଭାବରେ ପରଖି ପାରିଥିଲେ। ତାଙ୍କୁ ଲାଗିଥିଲା, ଯଦି ଏଭଳି ବାଳକ ସ୍କୁଲ୍‌ରୁ ଋଷି ପଳେଇବେ ତା’ହେଲେ ଏହା ସ୍ୱୟଂ ସରସ୍ୱତୀଙ୍କ ରାଗି ଯିବା ସହ ସମାନ। ଈଶ୍ୱରଚନ୍ଦ୍ର ନରେନ୍‌ଙ୍କୁ ବୁଝାଇବା ସହ ସଠିକ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ତାଙ୍କୁ ଆଶ୍ୱାସନା ଦେଇଥିଲେ। ଈଶ୍ୱରଚନ୍ଦ୍ରଙ୍କ କଥା ଶୁଣି ନରେନ୍‌ ବୁଝି ଯାଇଥିଲେ ଓ ସ୍କୁଲ ଛାଡ଼ ନ ଥିଲେ। ବରଂ ତା’ପରଦିନ ଠିକ୍‌ ସମୟରେ ସ୍କୁଲ୍‌ରେ ପହଞ୍ଚିଥିଲେ।

You might also like