ପୁଣି କମିଲା ସୁନା ଦର, ୭ ମାସରେ ୮, ୦୦୦ ଟଙ୍କା ଶସ୍ତା

ନୂଆଦିଲ୍ଲୀ: କିଛିଦିନ ତଳେ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଥିବା ବେଳେ ଗତକାଲି ଏହି ଦରରେ ବୃଦ୍ଧି ଘଟିଥିଲା। ଗତକାଲି ସକାଳେ Multi Commodity Exchange(MCX)ରେ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ହେଲେ ଆଜି ପୁଣିଥରେ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି।

ଆଜି ସକାଳ ୧୦ଟାରେ MCXରେ ସୁନା ଦର ୧୬୦ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୭,୮୫୩ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ଦର ୬୦୯ ଟଙ୍କା ହ୍ରାସ ପାଇ ପ୍ରତି କିଲୋଗ୍ରାମକୁ ୬୮,୩୧୭ ଟଙ୍କାରେ କାରବାର ଚାଲିଥିଲା।

ଦିଲ୍ଲୀ ସର୍ରାଫା ବଜାରରେ ବୁଧବାର ସୁନା ଦର ୩୮ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୭,୫୭୬ ଟଙ୍କା ଥିଲା। HDFC securities ଅନୁସାରେ, ଟଙ୍କା ମୂଲ୍ୟରେ ସୁଧାର ଯୋଗୁ ଏହାର ପ୍ରଭାବ ବହୁମୂଲ୍ୟ ଧାତୁରେ ଦେଖିବାକୁ ମିଳିଛି। ୨୦୨୦ ଅଗଷ୍ଟରେ ସୁନା ଦର ରେକର୍ଡ ଭାଙ୍ଗିଥିଲା। ସେହି ସମୟରେ ପ୍ରତି ୧୦ ଗ୍ରାମକୁ ସୁନା ଦର ୫୬,୨୦୦ ଟଙ୍କାରେ ପହଞ୍ଚିଥିଲା। ସେବେଠୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁନା ଦର ୮,୦୦୦ ଟଙ୍କା ହ୍ରାସ ପାଇଛି। ଚଳିତ ବଜେଟ୍‌ରେ କଷ୍ଟମ ଡ୍ୟୁଟି ହ୍ରାସ ଘୋଷଣା ପରେ ଲଗାତାର ଭାବେ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି।

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୯୦୦ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୮, ୯୫୦ଟଙ୍କା ରହିଛି। ଗତକାଲି ସୁନା ପ୍ରତି ୧୦ ଗ୍ରାମକୁ ୪୮,୦୧୦ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୯,୬୦୦ଟଙ୍କା ଥିଲା।

You might also like