ବିଗୁଡ଼ୁଛି ସ୍ଥିତି, ମହାକୁମ୍ଭରୁ ଓହରିଯିବ ନିରଞ୍ଜନୀ ଆଖଡ଼ା, ଡାକ୍ତର-ପ୍ରଫେସର-ସଂସ୍କୃତ ବିଦ୍ୱାନ ଏଥିରେ ନାଗାସାଧୁ

କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିରଞ୍ଜନୀ ଆଖଡ଼ା ମହାକୁମ୍ଭରୁ ଓହରି ଯିବା ପାଇଁ ଘୋଷଣା କରିଛି। ଯଦି ଆମେ ସାଧୁଙ୍କ ସଂଖ୍ୟା ବିଷୟରେ କହିବା, ତେବେ ନିରଞ୍ଜନୀ ଆଖଡ଼ା ଦେଶର ସବୁଠାରୁ ବଡ ଏବଂ ପ୍ରମୁଖ ଆଖଡ଼ା ମଧ୍ୟରୁ ଅନ୍ୟତମ। ଜୁନା ଆଖଡ଼ା ପରେ ଏହାକୁ ସବୁଠାରୁ ଶକ୍ତିଶାଳି ବୋଲି ବିବେଚନା କରାଯାଏ। ଏହା ଦେଶର ୧୩ ପ୍ରମୁଖ ଆଖଡ଼ା ମଧ୍ୟରୁ ଗୋଟିଏ। ଏହାର ଆଉ ଏକ ପରିଚୟ ହେଉଛି, ଏଥିରେ ଡାକ୍ତର, ପ୍ରଫେସର ଏବଂ ବୃତ୍ତିଗତଙ୍କ ସମେତ ସର୍ବାଧିକ ଶିକ୍ଷିତ ସାଧୁ ସାମିଲ ଅଛନ୍ତି।

ହରିଦ୍ୱାର ମହାକୁମ୍ଭ ଆରମ୍ଭ ହେବା ଦିନଠାରୁ ପ୍ରାୟ ୭୦ ଜଣ ବରିଷ୍ଠ ସାଧୁ କରୋନା ପଜିଟିଭ୍ ହୋଇସାରିଲେଣି। ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ନିରଞ୍ଜନୀ ଆଖଡ଼ାର ଏକ ଭିନ୍ନ ପରିଚୟ ରହିଛି। ଏହା ହଜାରେ ବର୍ଷ ପୁରୁଣା ବୋଲି କୁହାଯାଏ।

୧୦୦୦ ବର୍ଷ ପୁରୁଣା ଆଖଡ଼ା

ନିରଞ୍ଜନୀ ଆଖଡ଼ା ୯୦୪ ମସିହାରେ ବିକ୍ରମ ସମ୍ୱତ ୯୬୦ କାର୍ତ୍ତିକ କୃଷ୍ଣପକ୍ଷ ସୋମବାର ଦିନ ଗୁଜୁରାଟର ମାଣ୍ଡବି ନାମକ ଏକ ସ୍ଥାନରେ ସ୍ଥାପନ ହୋଇଥିଲା। ମହନ୍ତ ଅଜି ଗିରି, ମୌନି ସରଜୁନାଥ ଗିରି, ପୁରୁଷୋତ୍ତମ ଗିରି, ହରିଶଙ୍କର ଗିରି, ରାଣଛୋର ଭାରତୀ, ଜଗଜୀବନ ଭାରତୀ, ଅର୍ଜୁନ ଭାରତୀ, ଜଗନ୍ନାଥ ପୁରୀ, ସ୍ୱଭାବ ପୁରୀ, କୈଲାଶ ପୁରୀ, ଖଡ଼ଗ ନାରାୟଣ ପୁରୀ ମିଳିତ ଭାବରେ ଏହାର ମୂଳଦୁଆ ଗଠନ କରିଥିଲେ। ଏହାର ମୁଖ୍ୟ କାର୍ଯ୍ୟାଳୟ ତୀର୍ଥରାଜ ପ୍ରୟାଗରେ ରହିଛି। ଉଜୈନ, ହରିଦ୍ୱାର, ତ୍ରୈମ୍ବକେଶ୍ୱର ଏବଂ ଉଦୟପୁରରେ ମଧ୍ୟ ଏହାର ଆଶ୍ରମ ରହିଛି।

ସବୁଠାରୁ ଅଧିକ ଶିକ୍ଷିତ

ଏକ ରିପୋର୍ଟ ଅନୁଯାୟୀ ନିରଞ୍ଜନୀ ଆଖଡ଼ାର ପ୍ରାୟ ୭୦ ପ୍ରତିଶତ ସାଧୁ ଉଚ୍ଚଶିକ୍ଷିତ। ସେମାନଙ୍କ ମଧ୍ୟରେ ଡାକ୍ତର, ଓକିଲ, ପ୍ରଫେସର, ସଂସ୍କୃତ ବିଦ୍ୱାନ ଏବଂ ଆଚାର୍ଯ୍ୟ ସାମିଲ ଅଛନ୍ତି।

ଏହି ଆଖଡ଼ାର ଜଣେ ସାଧୁ ସ୍ୱାମୀ ଆନନ୍ଦଗିରି ନେଟ୍ ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ଆଇଆଇଟି ଖଡ଼ଗପୁର, ଆଇଆଇଏମ୍ ଶିଲଙ୍ଗରେ ଅଧ୍ୟାପକ ଭାବେ କାର୍ଯ୍ୟ ମଧ୍ୟ କରିସାରିଛନ୍ତି। ଏବେ ସେ ବନାରସରେ ପିଏଚଡି କରୁଛନ୍ତି।

କିଏ ହେବ ମହାମଣ୍ଡଲେଶ୍ୱର ?

ଆଖଡ଼ାର ମହାମଣ୍ଡଲେଶ୍ୱର ହେବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନାହିଁ। ଏହି ଅଖଡ଼ାରେ ମହାମଣ୍ଡଲେଶ୍ୱର ହେବା ପାଇଁ, ଜଣେ ବ୍ୟକ୍ତିଙ୍କ ପାଖରେ ବୈରାଗ୍ୟ ଏବଂ ସନ୍ୟାସ ଭାବନା ରହିବା ନିହାତି ଜରୁରୀ। ମହାମଣ୍ଡଳେଶ୍ୱରଙ୍କ ଘର-ପରିବାର ଓ କୌଣସି ପାରିବାରିକ ସମ୍ପର୍କ ରହିବା ଉଚିତ୍ ନୁହେଁ।

ଯଦିଓ ଏଥିପାଇଁ କୌଣସି ବୟସ ସୀମା ନାହିଁ, କିନ୍ତୁ ଏହି ପଦବୀ ପାଇଥିବା ବ୍ୟକ୍ତିଙ୍କର ସଂସ୍କୃତ, ବେଦ ଏବଂ ପୁରାଣ ବିଷୟରେ ଜ୍ଞାନ ରହିବାଆବଶ୍ୟକ। ଏହାସହ ସେ ପ୍ରବଚନ ମଧ୍ୟ ଦେଇପାରୁଥିବ। ଜଣେ ବ୍ୟକ୍ତି ବାଲ୍ୟକାଳରେ କିମ୍ବା ଜୀବନର ଚତୁର୍ଥ ପର୍ଯ୍ୟାୟରେ ମହାମଣ୍ଡଲେଶ୍ୱର ହୋଇପାରେ। କିନ୍ତୁ ଏଥିପାଇଁ ଆଖଡ଼ାରେ ପରୀକ୍ଷା ଦେବାକୁ ପଡ଼ିଥାଏ।

You might also like