ସ୍ୱାସ୍ଥ୍ୟ ବିଭାଗ ଆଇକାର୍ଡ ପକାଇ ଶିଶୁପୁତ୍ରକୁ ଅପହରଣ, ୪ କୋଟି ଦାବି କଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋଣ୍ଡାରେ ଜଣେ ବ୍ୟବସାୟୀଙ୍କ କୁନି ପୁଅକୁ ଅପହରଣ କରି ନେଇ ଯାଇଥିଲେ ଦୁର୍ବୃତ୍ତ। ଶିଶୁ ପାଇଁ ୪ କୋଟି ଟଙ୍କା ଦାବି କରିଥିଲେ। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଶିଶୁପୁତ୍ରକୁ ଉଦ୍ଧାର କରିବା ୟୁପି ପୋଲିସ ପାଇଁ ଏକ ଚାଲେଞ୍ଜ ଥିଲା। ଏସ୍‌ଟିଏଫ ଏବଂ କ୍ରାଇମ୍‌ ବ୍ରାଞ୍ଚ୍‌ ଅପହରଣକାରୀଙ୍କୁ ଖୋଜିବା ପାଇଁ ଦିନରାତି ଏକ କରି ଦେଇଥିଲେ। ଶେଷରେ  ଅପହରଣୀକାରୀ ଓ ଉଦ୍ଧାରକାରୀ ଟିମ୍‌ ମୁହାଁମୁହିଁ ହୋଇଥିଲେ। ଦୀର୍ଘ ୧୭ ଘଣ୍ଟା ପରେ ୟୁପି ପୋଲିସ ଶିଶୁକୁ ଉଦ୍ଧାର କରିବା ସହ ୫ ଜଣ ଅପହରଣୀକାରୀଙ୍କୁ ଗିରଫ କରିଛି। ଏନକାଉଣ୍ଟର ସମୟରେ ଅପହରଣକାରୀଙ୍କ ଦେହରେ ଗୁଳି ବାଜି ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ଖବର ଅନୁଯାୟୀ, ଅପହରଣକାରୀମାନେ ସମସ୍ତେ ସ୍ୱାସ୍ଥ୍ୟ ବିଭାଗର ଆଇକାର୍ଡ ପକାଇ ଗଳିକୁ ଆସି ଥିଲେ। ତେଣୁ ଲୋକଙ୍କ ମନରେ ଟିକିଏ ବି ସନ୍ଦେହ ସୃଷ୍ଟି ହୋଇ ନ ଥିଲା। ସେମାନେ ଲୋକଙ୍କ ନାମ ଏକ କାଗଜରେ ଲେଖିଥିଲେ। ଗଳିକୁ ସାନିଟାଇଜ କରିବା ସହ ଲୋକଙ୍କୁ ସାନିଟାଇଜର ଓ  ମାସ୍କ ବଣ୍ଟାଯିବ ବୋଲି କହିଥିଲେ। ଏହି ସମୟରେ ଅପହରଣକାରୀମାନେ ରାଜେଶ ଗୁପ୍ତାଙ୍କ ଘର ସାମ୍ନାରେ ପହଞ୍ଚିଲେ। ମାସ୍କ ଓ ସାନିଟାଇଜର ଦେବେ ବୋଲି କହି ତାଙ୍କର ୮ ବର୍ଷର କୁନିପୁଅକୁ ସାଙ୍ଗରେ ଧରି ଗାଡି ପାଖକୁ ଆସିଥିଲେ। ଗାଡି ପାଖରେ ପହଞ୍ଚିବା କ୍ଷଣି ଶିଶୁପୁତ୍ରକୁ ନେଇ ଫେରାର ହୋଇ ଯାଇଥିଲେ।

କିଛି ସମୟରେ ରାଜେଶ ଗୁପ୍ତାଙ୍କ ମୋବାଇଲକୁ ଦୁର୍ବୃତ୍ତମାନ ଫୋନ କରି ୪ କାଟି ଟଙ୍କା ଦାବି କରିଥିଲେ। ଏପରି ଏକ ଫୋନ କଲ ପାଇ ପରିବାର ଲୋକେ ପୁଅକୁ ଖୋଜି ନ ପାଇବାରୁ ଅପହରଣ ବିଷୟରେ ଜାଣିବାକୁ ପାଇଥିଲେ। ପରିବାର ଲୋକେ ପୋଲିସକୁ ଅବଗତ କରାଇବା ପରେ ଗଳିରେ ଲାଗିଥିବା ସିସିଟିଭ ଫୁଟେଜକୁ ଯାଞ୍ଚ କରାଯାଇଥିଲା। ଏହା ପରେ ପୋଲିସ ଯୋଜନା ପ୍ରସ୍ତୁତ କରି ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ ଗିରଫ କରିଥିଲା।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା। ତାଙ୍କର ନାମ ଛବି ପାଣ୍ଡେ। ତାଙ୍କର ସ୍ୱାମୀ ସୂରଜ ପାଣ୍ଡେ ମଧ୍ୟ ଏହି ମାମଲାରେ ସଂପୃକ୍ତ ଓ ପୋଲିସ ତାଙ୍କୁ ଗିରଫ କରିଛି। ଏମାନେ ସମସ୍ତେ କର୍ନଲଗଞ୍ଜ ବାସିନ୍ଦା। ଏହି ଦମ୍ପତ୍ତିଙ୍କ ସମେତ ପୋଲିସ ରାଜ ପାଣ୍ଡେ, ଉମେଶ ଯାଦବ ଏବଂ ଦୀପୁ କାଶ୍ୟପଙ୍କୁ ଗିରଫ କରାଯାଇଥିଲା। ଏଥିସହିତ ଏହି କାମରେ ବ୍ୟବହୃତ ଏକ ଅଲ୍‌ଟୋ କାର, .୩୨ ବୋରର ଏକ ପିସ୍ତଲ, ୩୧୫ ବୋରର ୨ଟି ପିସ୍ତଲ ମଧ୍ୟ ଜବତ କରିଛି।

ମାତ୍ର ୧୭ ଘଣ୍ଟା ମଧ୍ୟରେ ଶିଶୁପୁତ୍ରକୁ ଉଦ୍ଧାର କରିବା ୟୁପି ପୋଲିସର ଦକ୍ଷତାକୁ ପ୍ରତିପାଦନ କରିଛି।  ଏଥିପାଇଁ ୟୁପି ସରକାର ପକ୍ଷରୁ ଏହି ଉଦ୍ଧାରକାରୀ ଟିମ୍‌କୁ ୨ ଲକ୍ଷର ପୁରସ୍କାର ଦେବାପାଇଁ ଘୋଷଣା କରିଛି।

You might also like